ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବିଏଡ୍‌ ପାସ୍‌ଆଉଟ୍‌

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବିଏଡ୍‌ ପାସ୍‌ଆଉଟ୍‌

ଭୁବନେଶ୍ବର : ଓଏସ୍‌ଏସ୍‌ଟିଇଟି, ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ଓ ବିଏଡ୍‌ ନିୟମାବଳୀରେ ସମନ୍ବୟ ରହୁ ନଥିବାରୁ ବହୁ ବିଏଡ୍‌ ପାସ୍‌ ଆଉଟ୍‌ ଓଏସ୍‌ଏସ୍‌ଟିଇଟି ଦେବାକୁ ଯୋଗ୍ୟତା ଅର୍ଜନ କରିପାରୁ ନାହାନ୍ତି। ତେଣୁ ଆଜି ଶତାଧିକ ବିଏଡ୍‌ ପାସ୍‌ ଆଉଟ୍‌ ଯୁବକ ଯୁବତୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ‌ା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ୨୦୧୮ ଓ ୨୦୧୯ ମସିହାରେ ସ୍ନାତକ ପାସ୍‌ କରିଥିଲେ। ସ୍ନାତକ ପଢ଼ିବା ସମୟରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଥମ ଥର ପାଇଁ ୨୦୧୫ରେ ସିବିସିଏସ୍‌(ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ) ପା‌ଠ୍ୟକ୍ରମ ଲାଗୁ ହୋଇଥିଲା। ଏହି ପାଠ୍ୟକ୍ରମ ଅନୁଯାୟୀ କୌଣସି ବି ଛାତ୍ରଛାତ୍ରୀ ୨୦୦ ମାର୍କର ଭାଷା ବିଷୟ ବାଧ୍ୟତାମୂଳକ ଭାବେ ପଢ଼ିନାହାନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ସିବିସିଏସ୍‌ ପାଠ୍ୟକ୍ରମକୁ ଆଖିରେ ରଖି ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି ୨୦୧୮ରେ ବିଏଡ୍‌ ନାମଲେଖା ପାଇଁ ପୂର୍ବରୁ ଥିବା ଗାଇଡ୍‌ଲାଇନ୍‌ରେ ପରିବର୍ତନ ଆଣିଛନ୍ତି। ଏହି ପରିବର୍ତନ ଏପର୍ଯ୍ୟନ୍ତ ଲାଗୁ ରହିଛି। ସେମାନେ ଆହୁରି କହିଛନ୍ତି ଯେ ଏସ୍‌ସିଇଆର୍‌ଟି ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ବିଏଡ୍‌ ନାମଲେଖା ପାଇଁ ଗାଇଡ୍‌ଲାଇନ୍‌ ଓ ଯୋଗ୍ୟତା ନିୟମ ଅନୁଯାୟୀ ସେମାନେ ବିଏଡ୍‌ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଜ୍ୟର ବିଭିନ୍ନ ସରକାରୀ ବିଏଡ୍‌ କଲେଜରେ ପାଠ୍ୟକ୍ରମ ଶେଷ କରିଛନ୍ତି। ବର୍ତମାନ ଅସୁବିଧା ହେଉଛି ଯେ ବିଏଡ୍‌ ନାମଲେଖା ସମୟରେ ଓଏସ୍‌ଏସ୍‌ଟିଇଟିର ଗାଇଡ୍‌ଲାଇନ୍‌ ଓ ଚୁକ୍ତିଭିତ୍ତିକ ଶିକ୍ଷକ ଗାଇଡ୍‌ଲାଇନ୍‌ ମଧ୍ୟରେ ସମନ୍ବୟ ନାହିଁ। ଏସ୍‌ସିଇଆର୍‌ଟି ଗତବର୍ଷ ଚିଠି କରିବା ପରେ ମଧ୍ୟ ବିଏସ୍‌ଇ(ମାଧ୍ୟମିକ ଶିକ୍ଷା ପରିଷଦ), ଡିଏସ୍‌ଇ(ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ), ଓଏସ୍‌ଏସ୍‌ଟିଇଟି ଓ ଶିକ୍ଷକ ନିଯୁକ୍ତିର ଗାଇଡ୍‌ଲାଇନ୍‌ରେ ପରିବର୍ତନ ଆଣୁନାହାନ୍ତି। ବିଏସ୍‌ଇ ଓ ଏସ୍‌ସିଇଆର୍‌ଟିକୁ ବାରମ୍ବାର ଦୌଡ଼ିବା ପରେ ମଧ୍ୟ ସେମାନଙ୍କୁ କୌଣସି ନ୍ୟାୟ ମିଳୁନାହିଁ। ତେଣୁ ବିଭାଗୀୟ ମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରିବା ସହ ଓଏସ୍‌ଏସ୍‌ଟିଇଟିର ଟିଜିଟି କଳା ପାଇଁ ଥିବା ଗାଇଡ୍‌ଲାଇନ୍‌, ଏସ୍‌ସିଇଆର୍‌ଟିର ଚିଠି ଅନୁଯାୟୀ ପରିବର୍ତନ ଆଣନ୍ତୁ।

ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଛାତ୍ରଛାତ୍ରୀ ଯେପରି ପରୀକ୍ଷା ଦେବାରୁ ବଞ୍ଚିତ ନ ହେବେ, ସେଥିଲାଗି ପଦକ୍ଷେପ ନିଆଯାଉଛି। ପୂର୍ବରୁ ଚଳିତ ମାସ ୧୩କୁ ଶେଷ ତାରିଖ ବୋଲି ଘୋଷଣା କରାଯାଇଥିଲା। ଏବେ ତାହାକୁ ଦିନେ, ଦୁଇ ଦିନ ପାଇଁ ଘୁଞ୍ଚା ଯିବା ସହ ୨୦୦ ମାର୍କର ଲାଙ୍ଗୁଏଜ୍ ପରୀକ୍ଷାରେ ରିହାତି କରାଯାଇପାରେ। ଏନେଇ କିଛି ନିଷ୍ପତ୍ତି ନିଆଯାଇନାହିଁ। ବିଚାରବିମର୍ଶ ପରେ ଖୁବ୍‌ଶୀଘ୍ର ବୋର୍ଡ ତରଫରୁ ବିଜ୍ଞପ୍ତି ଜାରି ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe