ଭୁବନେଶ୍ୱର : ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ମିଳିତ ବି.ଏଡ୍. ଶିକ୍ଷକ ମହାସଂଘ। ଏନେଇ ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋୟର ପିଏମ୍ଜିଠାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସଭାପତି ଅଜୟ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାୟକ, ମହାସଚିବ ଉମେଶ ଚନ୍ଦ୍ର ନାୟକ, ଉପସଭାପତି ସରୋଜ କୁମାର ପଣ୍ଡା, ଅର୍ଚ୍ଚନା ଜେନା, ମକର କେତନ ସାହୁ, ସନ୍ତୋଷ କୁମାର ବେହେରା, ଅକ୍ଷୟ ପୃଷ୍ଟି ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ, କାଳକ୍ଷେପଣ ନୀତିକୁ ସମାଲୋଚନା କରିଥିଲେ।
ଶିକ୍ଷା ଅଧିକାର ଆଇନ ୨୦୦୯, ରାଜ୍ୟ ଶିକ୍ଷା ନୀତି ୨୦୧୦ ଅନୁଯାୟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଜିଟି ପଦରେ ବି.ଏଡ୍. ତାଲିମଧାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ମାତ୍ର ବି.ଏଡ୍. ଶିକ୍ଷା ସହାୟକଙ୍କୁ ଦିନ ମଜୁରିଆଠାରୁ କମ୍ ବେତନ ଦେଇ ଗୋତିଶ୍ରମିକ ପରି ବ୍ୟବହାର କରୁଛନ୍ତି। ‘ସମାନ କାମକୁ ସମାନ ଦରମା’ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବା ଆଶ୍ଚର୍ଯ୍ୟଚକିତ କରିଛି। ଯଦି ଆସନ୍ତା ଫେବ୍ରୁଆରି ୧୩ ସୁଦ୍ଧା ଷଷ୍ଠ ବେତନ କମିସନ ଦ୍ୱାରା ସୁପାରିସ ଆଧାରରେ ଟିଜି ବେତନ ୯୩୦୦ ଟଙ୍କା ସହ ୪୬୦୦ ଟଙ୍କା ଗ୍ରେଡ୍ ପେ’, ଲେବଲ୍-୩ କ୍ୟାଡର୍ରେ ନିଯୁକ୍ତିଠାରୁ ନିୟମିତ କରିବା, ୭ମ ବେତନ କମିସନ ଅନୁଯାୟୀ ସମସ୍ତ ଶିକ୍ଷା ସହାୟକଙ୍କୁ ବର୍ଦ୍ଧିତ ଦରମା ଉପରେ ୨୫% ଓ ବାର୍ଷିକ ୧୦% ବୃଦ୍ଧି କରା ନ ଗଲେ ବ୍ୟାପକ ଆନ୍ଦୋଳନ ହେବ। ମହାସଂଘର ୫୫ ହଜାରରୁ ଅଧିକ ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମହାସଂଘ ପକ୍ଷରୁ ଲକ୍ଷ୍ମଣ ମହାନ୍ତି, ଅଜୟ ଧଳ, ରଞ୍ଜନ ମହାନ୍ତି, ଦେବେନ୍ଦ୍ର କୁମାର ନାୟକ, ଉମେଶ ଚନ୍ଦ୍ର ନାୟକ, ସନ୍ତୋଷ ପ୍ରଧାନ ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି।
Follow Us