Image Courtesy of India Today
ଭୁବନେଶ୍ବର: କୋଭିଡ୍-୧୯ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଟ୍ରେନ୍ରେ ବନ୍ଦ କରାଯାଇଥିବା ବେଡରୋଲ/ଲିନେନ୍ ସେବା ପୁଣିଥରେ ଆରମ୍ଭ କରାଯାଇଛି। ପୂର୍ବତଟ ରେଳପଥରୁ ଛାଡ଼ୁଥିବା ଟ୍ରେନ୍ଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ଟ୍ରେନ୍ ଭିତରେ ଚାଦର, ତକିଆ, କମ୍ବଳ ଓ ଟାୱେଲ ସେବାକୁ ପୁଣିଥରେ ପ୍ରଚଳନ କରିଛି। ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ(୧୮୪୨୫/୧୮୪୨୬)ରେ ମାର୍ଚ୍ଚ ୨୧ରୁ ବେଡରୋଲ/ଲିନେନ ସେବା ଯୋଗାଣକୁ ପୂର୍ବତଟ ରେଳପଥ ଆରମ୍ଭ କରି ଏବେ ସୁଦ୍ଧା ୬୦ଟି ଟ୍ରେନ୍ରେ ବେଡରୋଲ ସେବା ଯୋଗାଉଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୬୭ ଯୋଡା ଟ୍ରେନ୍ ମଧ୍ୟରୁ ଖୁବ କମ ସମୟ ମଧ୍ୟରେ ୩୦ ଯୋଡ଼ା ଟ୍ରେନରେ ଏହି ସେବା ଯୋଗାସରିଛି। ଏହି ଟ୍ରେନଗୁଡ଼ିକ ମଧ୍ୟରୁ ୬ ଯୋଡ଼ା ଦୈନିକ ଚଳାଚଳ କରୁଥିବା ଟ୍ରେନ୍, ଦୁଇ ଯୋଡ଼ା ଦ୍ୱି-ସାପ୍ତାହିକ, ଦୁଇ ଯୋଡ଼ା ତ୍ରି-ସାପ୍ତାହିକ, ୧୫ ଯୋଡ଼ା ସାପ୍ତାହିକ ଓ ୫ ଯୋଡ଼ା ଟ୍ରେନ ସପ୍ତାହରେ ୫/୪ ଦିନ ଚଳାଚଳ କରୁଛି। ଭୁବନେଶ୍ୱରରୁ ୭ ଯୋଡ଼ା ଟ୍ରେନ୍, ପୁରୀରୁ ୧୦ ଯୋଡ଼ା, ସମ୍ବଲପୁରରୁ ୪ ଯୋଡ଼ା ଓ ବିଶାଖାପାଟଣାରୁ ୯ ଯୋଡ଼ା ଟ୍ରେନ୍ ବର୍ତ୍ତମାନ ବେଡରୋଲ/ଲିନେନ ସେବାରେ ଅନ୍ତର୍ଭୁକ୍ତ ହୋଇଛି। ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ରୋକିବା ପାଇଁ ଟ୍ରେନ୍ ଭିତରେ ବେଡରୋଲ/ଲିନେନ ଓ ପରଦା ଉପରେ ପ୍ରତିବନ୍ଧକ ଲଗାଇଥିଲା। ସମସ୍ତ ଟ୍ରେନର ଶୀତତାପ ନିୟନ୍ତ୍ରିତ କୋଚରେ ଯାତ୍ରୀଙ୍କୁ ଦୀର୍ଘ ଯାତ୍ରା ସମୟରେ ନିଜର କମ୍ବଳ ଆଣିବାକୁ ପରାମର୍ଶ ଦିଆଯାଇଥିଲା।
Follow Us