ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ହାଇସ୍କୁଲ କେନ୍ଦ୍ରକୁ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ୫୦ଜଣ ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅଛନ୍ତି। ସେହିପରି ବାଇକରେ ଯାଉଥିବା ପିଟାପିଟି ହାଇସ୍କୁଲର ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି (୫୩) ମଧ୍ୟ ମହୁମାଛି ଆକ୍ରମଣ ଯୋଗୁଁ ଖସିପଡ଼ି ଆହତ ହୋଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବାଳିକା ହାଇସ୍କୁଲର ନିକଟ ଏକ ବରଗଛରେ ୫୦ ରୁ ଊର୍ଦ୍ଧ୍ବ ମହୁଫେଣା ରହିଛି । ଗତକାଲି ପୂର୍ବାହ୍ନରେ ମହୁମାଛି ଆକ୍ରମଣରେ ୮ ଜଣ ବାଟୋଇ ଆହତ ହୋଇଥିଲେ। ବାଜପକ୍ଷୀ ମହୁଫେଣା ଖାଇଲାବେଳେ ମହୁମାଛି ଉଡ଼ି ଲୋକଙ୍କୁ ଆକ୍ରମଣ କରୁଛି। ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ଆଜି ଇଂରାଜୀ ପରୀକ୍ଷା ଦେଇଥିଲେ ବୋଲି ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ସୁପରିଣ୍ଟେଣ୍ଡେଣ୍ଟ ସୁଶାନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି।
ଖବରପାଇ ହରିଚନ୍ଦନପୁର ତହସିଲଦାର ହିମାଂଶୁ ପଣ୍ଡା, ଅତିରିକ୍ତ ତହସିଲଦାର ବିରାମ କିସ୍କୋ, ବିଡିଓ ପ୍ରଭୁକଲ୍ୟାଣ ଦାସ, ଏବିଡିଓ ବିଦୁଭୂଷଣ ଜେନା, ଜିପିଇଓ ରାକେଶ କୁମାର ଦାଶ, ଏବିଇଓ ଗୋପାଳ ଚନ୍ଦ୍ର ସାହୁ, ବନପାଳ ଡମ୍ବରୁଧର ମହାନ୍ତ, ଥାନା ଅଧିକାରୀ ପ୍ରଫୁଲ କୁମାର ବାର୍ଲ୍ଲା ପ୍ରମୁଖ ବାଳିକା ହାଇସ୍କୁଲକୁ ଯାଇ ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ମହୁମାଛି ଘଉଡ଼ାଇବା ସମ୍ପର୍କରେ ଆଲୋଚନା କରିଥିଲେ।
Follow Us