ଔଷଧ ଦୋକାନୀଙ୍କୁ ଚାନ୍ଦା ମାଗିବା ଘଟଣା: ସବୁଠି ଚର୍ଚ୍ଚା, ମିଶ୍ର ପ୍ରତିକ୍ରିୟା

Advertisment
ଔଷଧ ଦୋକାନୀଙ୍କୁ ଚାନ୍ଦା ମାଗିବା ଘଟଣା: ସବୁଠି ଚର୍ଚ୍ଚା, ମିଶ୍ର ପ୍ରତିକ୍ରିୟା

Odisha Bytes

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ସରକାରୀ ପ୍ୟାଡ୍‌ରେ ଚାନ୍ଦା ମାଗିବା ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ଜିଲ୍ଲାର ସମସ୍ତ ଔଷଧ ଦୋକାନୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଏବେ ନିରାମୟ ଯୋଜନାରେ ସବୁ ଔଷଧ ମାଗଣାରେ ମିଳୁଥିବା ବେଳେ ଗ୍ରାମାଞ୍ଚଳର ଔଷଧ ଦୋକାନୀମାନେ ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି। ଏଭଳି ପରିସ୍ଥିତିରେ ବୌଦ୍ଧ ଡ୍ରଗ୍‌ସ ଇନସ୍ପେକ୍ଟର (ଡିଆଇ)ଙ୍କୁ ମେଲ୍‌ରେ ଜିଲ୍ଲାପାଳଙ୍କ ଗୋଟିଏ ଚିଠି(ସଂଖ୍ୟା ୧୦୭୩/୧୦.୧୦.୨୦୨୨) ଆସିଛି। ଜିଲ୍ଲା ରେଡକ୍ରସ ପାଣ୍ଠି ବୃଦ୍ଧି କରିବା ପାଇଁ ଡିଆଇଙ୍କୁ ବାର୍ଷିକ ୧୫ ଲକ୍ଷ ଟଙ୍କା ଦେବାକୁ ଟାର୍ଗେଟ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ସେହି ଟଙ୍କା ଜିଲ୍ଲାରେ ଥିବା ପ୍ରତି ଔଷଧ ଦୋକାନରୁ ୧୦ ହଜାର ଟଙ୍କା ଲେଖାଏଁ ଆଦାୟ କରି ଭରଣା କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଚିଠିଟି ଡିଆଇଙ୍କ ପର୍ଯ୍ୟନ୍ତ ସୀମିତ ରହିନାହିଁ।

ହ୍ବାଟ୍‌ସ୍‌ଆପ୍‌ରେ ଏ ମୋବାଇଲରୁ ସେ ମୋବାଇଲ ଘୂରି ବୁଲିଛି। ଏହାକୁ ନେଇ ବୁଧବାର ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଖବର ପ୍ରକାଶନ ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।  ସାମାଜିକ ଗଣମାଧ୍ୟମରେ ଖବରଟି ଅପ୍‌ଲୋଡ୍‌ ହେବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପିଏମ୍‌ କେୟାର ଫଣ୍ଡର ପାଣ୍ଠି ସଂଗ୍ରହ ପାଇଁ ସ୍ବେଚ୍ଛାରେ ଦାନ କରିବାକୁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅପିଲ୍‌ କରୁଛନ୍ତି। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଜିଲ୍ଲାର ଗରିବ, ନିଷ୍ପେସିତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ। ଜନହିତ ପାଇଁ ବ୍ୟବହୃତ ପାଣ୍ଠି ବୃଦ୍ଧି ପାଇଁ ଜିଲ୍ଲାପାଳ ଟଙ୍କା ଆଦାୟ ପାଇଁ ଚିଠି ଲେଖିବାରେ ଅସୁବିଧା କୋଉଠି? ପୁଣି କିଛି ବ୍ୟକ୍ତି ମତ ରଖି କହିଛନ୍ତି, ଏଥି ପାଇଁ ଜିଲ୍ଲାପାଳ ଅନୁରୋଧ କରି ପାରିବେ, ସରକାରୀ ଚିଠିରେ ଆଦେଶ ନୁହେଁ। ଟାର୍ଗେଟ ପୂରଣ ପାଇଁ ଔଷଧ ଦୋକାନୀଙ୍କୁ ଟାର୍ଗେଟ କାହିଁକି? ସରକାରୀ ତହବିଲରୁ ମାସିକ ମୋଟା ଅଙ୍କର ଦରମା ପାଉଥିବା ସମସ୍ତ ସରକାରୀ ଚାକିରିଆଙ୍କୁ କାହିଁକି ନୁହେଁ? ଏଭଳି ଅନେକ ମତାମତକୁ ନେଇ ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe