ବିଦ୍ୟୁତ ଦର ବଢ଼ିବା ପଛରେ ରହିଛି ରାଜ୍ୟ ସରକାରଙ୍କ ବଡ଼ ଦୁର୍ନୀତି: ବିଜେପି

Advertisment

ଘରୋଇ କମ୍ପାନିକୁ ଶାଗ ମାଛ ଦରରେ ଜମି ବିକ୍ରି ହୋଇଛି

ଘରୋଇ କମ୍ପାନିକୁ ଶାଗ ମାଛ ଦରରେ ଜମି ବିକ୍ରି ହୋଇଛି

ବିଦ୍ୟୁତ ଦର ବଢ଼ିବା ପଛରେ ରହିଛି ରାଜ୍ୟ ସରକାରଙ୍କ ବଡ଼ ଦୁର୍ନୀତି: ବିଜେପି

ଭୁବନେଶ୍ୱର : ଦୀର୍ଘ ୨୧ ବର୍ଷ ଶାସନ କଲା ପରେ ବିଜେଡି ସରକାର ଆହୁରି ଦୁର୍ନୀତିଖୋର ଓ ଭଷ୍ଟ୍ରାଚାରୀ ହୋଇଚାଲିଛି। ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଟ୍ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ପୋଷିଛନ୍ତି ରାଜ୍ୟ ସରକାର। ଆଇନ କାନୁନ, ନିୟମ, ସମ୍ବିଧାନକୁ ଜଳାଞ୍ଜଳି ଦେଇ ରାଜ୍ୟ ସରକାର ବ୍ୟାପକ ରାଜସ୍ବହାନି କରାଉଛନ୍ତି। ଲମ୍ବା ସମୟ ଧରି ବିଦ୍ୟୁତ କ୍ଷେତ୍ରରେ ଆଖିବୁଜା ଦୁର୍ନୀତି ଚାଲିଛି। ବିଦ୍ୟୁତ ଦର ବଢ଼ିବା ପଛରେ ଏହି ଦୁର୍ନୀତି ହିଁ ମୁଖ୍ୟ କାରଣ ବୋଲି ବିଜେପି ଅଭିଯୋଗ କରିଛି।

ସିଏଜି ରିପୋର୍ଟକୁ ଭିତ୍ତି କରି ବିଜେପି ପକ୍ଷରୁ ଆ‌ଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଲେ ଯେ ୨୦୧୩-୧୪ରେ ବିଦ୍ୟୁତ ଉତ୍ପାଦନରେ ଏଟି ଆଣ୍ଡ୍ ସି କ୍ଷତି ୩୭ ପ୍ରତିଶତ ଥିବା ଜଣାପଡିଥିଲା। ଏହି କ୍ଷତି ୨୨ ପ୍ରତିଶତରୁ ଅଧିକ ହେବା କଥା ନୁହେଁ ବୋଲି ଓଇଆରସି ସମୀକ୍ଷା କରିଥିଲେ। କ୍ଷତି ଭରଣା କରିବା ପାଇଁ ପରବର୍ତ୍ତୀ ୩ ବର୍ଷ ମଧ୍ୟରେ ୨୬୦୦ କୋଟି ଟଙ୍କାରେ ୫୦୦ ନୂଆ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଯୋଜନା ହୋଇଥିଲା। ଏହା ମଧ୍ୟରେ ୮/୯ ବର୍ଷ ବିତିଗଲା ପରେ ବି ରାଜ୍ୟ ସରକାର ମାତ୍ର ୩୫ ପ୍ରତିଶତ କାର୍ଯ୍ୟ ସାରିଛନ୍ତି। ସେତେବେଳର ୨୬୦୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ଏବେ ବୃଦ୍ଧି ହୋଇ ୩୮୪୩ କୋଟି ହେଲାଣି। ଘରୋଇ ବିଦ୍ୟୁତ ବେପାରୀଙ୍କ ପାଇଁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର । ଯୋଗ୍ୟତା ନ ଥିବା ୫ଟି ସଂସ୍ଥାକୁ ରାଜ୍ୟ ସରକାର ଟ୍ରାନ୍ସଫର୍ମର କିଣିବାକୁ ଅନୁମତି ଦେଇଥିଲେ। ଓପିଟିସିଏଲ୍‌ର ଟ୍ରାନ୍ସଫର୍ମର ଲଗାଇବାର ନିଜର କ୍ଷମତା ଥିବା ସତ୍ତ୍ବେ ଘରୋଇ କମ୍ପାନିକୁ ଲାଭ ଦେବା ପାଇଁ ସୁଯୋଗ ଦିଆଯାଇଛି । ଟ୍ରାନ୍ସଫର୍ମର କିଣାବିକାରେ ୧୭୫ କୋଟି କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ରାଜ୍ୟର ବିଦ୍ୟୁତ କ୍ଷେତ୍ରକୁ ସୁଧାରିବା ପାଇଁ ରାଜ୍ୟ ସରକାରଙ୍କର କୌଣସି ଆଗ୍ରହ କିମ୍ବା ଉଦ୍ଦେଶ୍ୟ ନାହିଁ ବୋଲି ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଥିଲେ।

ଜମି ଦୁର୍ନୀତି ସମ୍ପର୍କରେ ବିଜେପି ପକ୍ଷରୁ କୁହାଯାଇଛି, ୨୦୧୪ ରେ ରାଜ୍ୟ ସରକାର ୫୨ ହଜାର କୋଟି ଟଙ୍କାର ଜମି ଦୁର୍ନୀତି କରିଛନ୍ତି ବୋଲି ଓଡିଶାର ତତ୍‌କାଳୀନ ଏଜି ଅମର ପଟ୍ଟନାୟକ କହିଥିଲେ। ଏହି ଜମି ଦୁର୍ନୀତି ବର୍ତମାନ ବି ଚାଲିଛି। ସରକାର କିକ୍ ବ୍ୟାକ ନେଇ ଘରୋଇ କମ୍ପାନିଗୁଡ଼ିକୁ ଶାଗ ମାଛ ଦରରେ ସରକାରୀ ଜମି ଯୋଗାଇ ଚାଲିଛନ୍ତି । ରାଜ୍ୟ ସରକାର ସରକାରୀ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନ କରି ଘରୋଇ କମ୍ପାନିକୁ ଆବଶ୍ୟକତାଠାରୁ ଅଧିକ ଜମି ଯୋଗାଇ ଚାଲିଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ସୁଦର୍ଶନ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe