ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚୋରା କରତକଳ

Advertisment
ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚୋରା କରତକଳ

ବାଲିଅନ୍ତା: ବାଳକାଟି ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚାଲିଛି ଚୋରା କରତକଳ। କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଜାଗେଶ୍ବରୀ କଲୋନି ଭିତରେ ଚାଲିଛି ଏହି କରତକଳ। ଅଥଚ ବନ ବିଭାଗ ନଜରରେ ପଡ଼ୁ ନାହିଁ। ଏହି କରତକଳ ଯୋଗୁଁ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ ବି ବନ ବିଭାଗ ସବୁ ଦେଖି ନ ଦେଖିବା ଭଳି ଚୁପ୍ ରହୁଛି। ତେଣୁ ଏହାକୁ ନେଇ ସ୍ଥାନୀୟ ଲୋକେ ବନ ବିଭାଗ ଓ କାଠମାଫିଆଙ୍କ ମଧୁଚନ୍ଦ୍ରିକା ବାବଦରେ ଆଲୋଚନା କରୁଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି କରତକଳଟି ଦିନ ରାତି ୨୪ଘଣ୍ଟା ଚାଲିଛି। ଜନବସତି ଭିତରେ କରତକଳଟି ଥିବାରୁ ୨୪ଘଣ୍ଟା କର୍କଶ ଶବ୍ଦ ସ୍ଥାନୀୟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। କଲୋନି ଭିତର ଗଳିକନ୍ଦି ରାସ୍ତାରେ କାଠ ବୋଝେଇ ଭାରୀଯାନ ଯା’ଆସ କରିବା ଦ୍ବାରା ସ୍ଥାନୀୟ ଲୋକମାନେ ଯାତାୟାତ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବଡ଼ କଥା ହେଉଛି, ସ୍ଥାନୀୟ ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ଏଥିପାଇଁ ଧ୍ବଂସ ହେବାରେ ଲାଗିଛି। କାଠମାଫିଆମାନେ ଗଛ କାଟି ରାତାରାତି କରତକଳରେ ଚିରି ବିକି ଦେଉଛନ୍ତି। ଏମିତିକି ଘରୋଇ ବାଡ଼ି ବା ବଗାୟତରୁ ବଡ଼ବଡ଼ ଗଛ ଚୋରି ହେଉଛି।

କିଛି ଦିନ ତଳେ କାଠ ମାଫିଆମାନେ ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଚନ୍ଦନ ଓ ଶାଗୁଆନ ଗଛ କାଟି ନେଇଥିଲେ ଓ ଉକ୍ତ କରତକଳରେ ଚିରେଇ ବିକି ଦେଇଥିଲେ। ଅଭିଯୋଗ ପରେ ବି ବନ ବିଭାଗ ଅଧିକାରୀ କରତକଳ ମାଲିକ ଓ କାଠ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ତେଣୁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ବାଳକାଟି ଫାଣ୍ଡି ପୁଲିସ କାଠଚୋରକୁ ଧରି କେବଳ ପଚରାଉଚରା କରି ଛାଡ଼ି ଦେଇଥିଲା। ଏ ସଂପର୍କରେ ବାଲିପାଟଣା ରେଞ୍ଜର ମାନସ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ବାଳକାଟି ଓ ଝିଣ୍ଟି ମେଳକ ସମେତ ବାଲିଅନ୍ତା ବ୍ଲକ୍‌ର କରତ କଳଗୁଡ଼ିକ ଉପରେ ଚଢ଼ଉ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe