ରଣପୁର: ରଣପୁର ବ୍ଲକ୍ ଅନ୍ତର୍ଗତ କାଣ୍ତପଡ଼ା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଥିବା ଜଣାଯାଇଛି। ଫଳରେ ଏ ନେଇ ଉକ୍ତ ଅଞ୍ଚଳରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୂଚନା ଥାଉକି, ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ନିରୀହ ଲୋକଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ କରାଯାଇଛି। ଏ ନେଇ ରାଜସ୍ବରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ ହେଉଛି।
ହେଲେ କିଛି ଅସାଧୁ ରାଜନେତା ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଯୋଗୁ ବହୁ ନିରୀହ ଗରିବ ଯୋଗ୍ୟ ହିତାଧିକାରୀ ଉକ୍ତ ତାଲିକାରୁ ବାଦ୍ ପଡ଼ୁଥିବା ଦେଖିବାକୁ ମିଳିଛି। ଏହାର ଜ୍ବଳନ୍ତ ଉଦାହରଣ ରଣପୁର ବ୍ଲକ୍ ଅନ୍ତର୍ଗତ କାଣ୍ତପଡ଼ା ପଞ୍ଚାୟତ। ତେବେ ଏହି ପଞ୍ଚାୟତରେ ୨୦୧୮ ମସିହାରେ କାଣ୍ତପଡ଼ା ଗାଁର କବିରାଜ ବେହେରା, ସୁରେନ୍ଦ୍ର ପାତ୍ର, ଯୁଧିଷ୍ଠିର ରାଉତ, ବିକ୍ରମ ରାଉତ, ଅନୁରୂପ ଭାବେ ଉକ୍ତ ପଞ୍ଚାୟତ ଅଧୀନ ରାଜବଲ୍ଲଭପୁର ଗାଁର ସରୋଜ ପରିଡ଼ା, ରମେଶ ସାହୁ, ସାରଙ୍ଗଧର ନାୟକ, ବିରଞ୍ଚି ପରିଡ଼ା, ସେହିପରି ଉକ୍ତ ପଞ୍ଚାୟତ ଅଧୀନ କରଡ଼ାପଲ୍ଲା ଢିପସାହିର ସୁକାନ୍ତି ନାୟକ ପ୍ରମୁଖ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ରାଜନୈତିକ ଆକ୍ରୋଶମୂଳକ ଭାବନା ରଖି ଏବଂ ସରକାରୀ କଳର ମନମାନୀ ଯୋଗୁ ଉପରୋକ୍ତ ହିତାଧିକାରୀଗଣ ବାଦ୍ ପଡ଼ିଥିବା ଅଭିଯୋଗ ହେଉଛି। ତେବେ ଏମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଝାଟିମାଟି କୁଡ଼ିଆ ତଳେ ରହିଆସୁଛନ୍ତି।
ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ହେଁ କୌଣସି ପ୍ରତିକାର ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ, ବହୁ ଥିଲାବାଲା ଲୋକେ ବିଭାଗୀୟ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ଯୋଜନା ହାତେଇ ନେଉଥିବା ବେଳେ ନଥିବାବାଲା ହାତ ଟେକି ବସିଥିବା ଦେଖିବାକୁ ମିଳିଛି। ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଉପରୋକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରି ସରକାରୀ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
Follow Us