କେନ୍ଦ୍ର ସ୍ୱାସ୍ଥ୍ୟ ଯୋଜନାରେ ହିତାଧିକାରୀ ହତାଶ, ଚିକିତ୍ସା ଖର୍ଚ୍ଚ ଭରଣା ଲାଗି ଆଇଏଏସ୍‌ଙ୍କୁ ବି ଭୁଆଁ ବୁଲାଉଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ଯୋଜନାରେ ହିତାଧିକାରୀ ହତାଶ, ଚିକିତ୍ସା ଖର୍ଚ୍ଚ ଭରଣା ଲାଗି ଆଇଏଏସ୍‌ଙ୍କୁ ବି ଭୁଆଁ ବୁଲାଉଛନ୍ତି

Business North Carolina

ପ୍ୟାନେଲଭୁକ୍ତ ହସ୍ପିଟାଲଙ୍କ ବକେୟା ବିଲ୍ ୧୧୦୦ କୋଟିରୁ ବେଶି
କ୍ୟାସ୍‌ଲେସ୍ ଚିକିତ୍ସା ଦେବାକୁ ୭୫% ହସ୍ପିଟାଲଙ୍କ ନା

ଭୁବନେଶ୍ବର : ସାଧାରଣ ଲୋକେ କ’ଣ ପରଖିଲେ ଭିନ୍ନ କଥା, ମାତ୍ର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ‘ଆୟୁଷ୍ମାନ ଭାରତ’ ଏବଂ ବିଜୁ ସ୍ବାସ୍ଥ୍ୟ ଯୋଜନା ମଧ୍ୟରୁ କେଉଁଟି ବେଶି ଭଲ-ସେ ବାଦିପାଲା ଧୀରେ ଧୀରେ ବନ୍ଦ ହୋଇଗଲାଣି। ତେବେ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ସାମାଜିକ ତଥା ସ୍ବାସ୍ଥ୍ୟ ସୁରକ୍ଷା ଲକ୍ଷ୍ୟରେ ୬୦ ବର୍ଷ ପୂର୍ବରୁ ଆରମ୍ଭ ହୋଇ ଏବେ ବି ବଳବତ୍ତର ଥିବା ତଥାକଥିତ ଅନନ୍ୟ ଯୋଜନା ‘କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା’ (Government Health scheme)ର ଗତି ଓ ଅଧୋଗତି ଯେ ଲକ୍ଷ ଲକ୍ଷ ରୋଗଗ୍ରସ୍ତ ହିତାଧୀକାରୀଙ୍କ ପ୍ରତି କ୍ରୁର ଉପହାସ ସାବ୍ୟସ୍ତ ହୋଇଛି-ତାହାକୁ ଅସ୍ବୀକାର କରାଯାଇ ନପାରେ। ସପରିବାର କରୋନାରେ ଗୁରୁତର ହୋଇ କ୍ରମଶଃ ଆରୋଗ୍ୟ ଲାଭ କରୁଥିବା ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର କିପରି ପରିଣତ ବୟସରେ ନିଜ ମେଡ଼ିକାଲ୍ ବିଲ୍ ଭରଣା ପାଇଁ ବିଭାଗୀୟ ଅଫିସରଙ୍କ ଅସହଯୋଗ ଓ ମାନସିକ ଲାଞ୍ଛନା‌େର ନିିରାଶ ହେଉଛନ୍ତି-ତାହା ହଁି ଏହାର ଅନ୍ୟତମ ଜ୍ବଳନ୍ତ ଦୃଷ୍ଟାନ୍ତ।

କେନ୍ଦ୍ର ସଚିବ ପାହ୍ୟାରୁ ଅବସର ଗ୍ରହଣ କରିଥିବା ଓଡ଼ିଶା କ୍ୟାଡ଼ର୍ ଆଇଏଏସ୍‌ ଅଫିସର ଗୌତମ ବୁଦ୍ଧ ମୁଖାର୍ଜୀ କରୋନାର ଡେଲ୍‌ଟା ଭୂତାଣୁରେ ଗୁରୁତର ଆକ୍ରାନ୍ତ ହୋଇଥିଲେ। ତାଙ୍କ ଫୁସ୍‌ଫୁସ୍‌ ୬୦ ଭାଗରୁ ଅଧିକ ନଷ୍ଟ ହୋଇଯାଇଥିଲା ଏବଂ ଓଜନ ୨୦ କିଲୋ ହ୍ରାସ ପାଇଥିଲା। ଏଭଳି ଆକସ୍ମିକ ବିପତ୍ତି ବେଳେ ସେ କୌଣସି କେନ୍ଦ୍ରୀୟ କିମ୍ବା କେନ୍ଦ୍ର ପ୍ୟାନେଲ୍‌ଭୁକ୍ତ ହସ୍ପିଟାଲକୁ ଯିବା ଅବସ୍ଥାରେ ନଥିବାରୁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା (CGHC)ର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହ୍ବାଟ୍‌ସ୍‌ ଆପ୍ ବାର୍ତ୍ତା ଜରିଆରେ ଯୋଗାଯୋଗ କରି ଯେ କୌଣସି ହସ୍ପିଟାଲ୍‌ରେ ଚିକିତ୍ସିତ ହେବାକୁ ସବୁଜ ସଙ୍କେତ ପାଇଥିଲେ। ତଦନୁଯାୟୀ ସ୍ବତନ୍ତ୍ର କରୋନା ଚିକିତ୍ସା କେନ୍ଦ୍ର ଭାବେ ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦିତ ଭୁବନେଶ୍ବରସ୍ଥିତ ସମ୍ ହସ୍ପିଟାଲ୍‌ ଆଇସିୟୁରେ ସେ ଦୀର୍ଘ ଦିନ ଚିକିତ୍ସିତ ହୋଇଥିଲେ। ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବାରୁ ନିରନ୍ତର ଅମ୍ଳଜାନ ପ୍ରଶ୍ବାସ ସହ ଏକାନ୍ତବାସରେ ରହିବାକୁ ଡାକ୍ତରଙ୍କ ପରାମର୍ଶକ୍ରମେ ଘରକୁ ଫେରିଥିଲେ। ଏହି ସମୟରେ ତାଙ୍କ ପତ୍ନୀ, ପୁଅ ଓ ବୋହୁ କରୋନା ସଂକ୍ରମିତ ହେବାରୁ ସପରିବାର ଅଶ୍ବିନୀ ହସ୍ପିଟାଲ ଯାଇ ତାଙ୍କୁ ପୁନର୍ବାର ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିଲା। ଉଭୟ ସମ୍ ଓ ଅଶ୍ବିନୀ ହସ୍ପିଟାଲର ଆଇସିୟୁ ବିଲ୍ ବାବଦରେ ତାଙ୍କୁ ତତ୍‌କ୍ଷଣାତ୍ ୯୦ ହଜାର ଟଙ୍କା ଜମା କରିବାକୁ ପଡ଼ିଥିଲା। ଏବେ ବି ଶ୍ରୀ ମୁଖାର୍ଜୀଙ୍କୁ ଅମ୍ଳଜାନ ସହାୟତାରେ ରହିବାକୁ ପଡୁଛି ଓ ସେ ବାହାରକୁ ଯିବା ଅବସ୍ଥାରେ ନାହାନ୍ତି। ପତ୍ନୀ କିମ୍ବା ପରିବାରର ପ୍ରଶ୍ନ ନ ଉଠାଇ ଶ୍ରୀ ମୁଖାର୍ଜୀ କେବଳ ନିଜ ମେଡ଼ିକାଲ ବିଲ୍ ଭରଣା ନିମନ୍ତେ ଆବେଦନ କରିବା ପରେ ଦୀର୍ଘ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନାର ସ୍ଥାନୀୟ ଅତିରିକ୍ତ ନିର୍ଦ୍ଦେଶକ ଜିରାରୁ ଶିରା କାଢ଼ିବା ଭଳି ଗୋଟିଏ ପରେ ଗୋଟିଏ ଆପତ୍ତି ଉଠାଇ ତାଙ୍କୁ ଭୁଆଁ ବୁଲାଇ ଆବେଦନକୁ ପକାଇ ରଖିଛନ୍ତି। ସ୍ବାସ୍ଥ୍ୟାବସ୍ଥା ଦୃଷ୍ଟିରୁ ଶ୍ରୀ ମୁଖାର୍ଜୀ ଘରୁ ବାହାରକୁ ଯିବା ଅବସ୍ଥାରେ ନଥିଲେ ମଧ୍ୟ କୋର୍ଟକୁ ଯାଇ ଅଫିଡେଭିଟ୍, ହସ୍ପିଟାଲକୁ ଯାଇ ବିଭିନ୍ନ ସଂଶୋଧିତ ଦଲିଲ୍ ସଂ‌ଗ୍ରହ କରିବାକୁ କତ୍ତୃର୍ପକ୍ଷ ନିର୍ଦ୍ଦେଶ ଦେଉଛନ୍ତି। ବାରମ୍ବାର ନିରାଶ ହେବା ପରେ ସେ ଗତ ମାସ ଦେଇଥିବା ଚିଠିରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବ୍ୟତୀତ ତାଙ୍କର ଅନ୍ୟ ଉପାୟ ନାହିଁ ବୋଲି କତ୍ତୃର୍ପକ୍ଷଙ୍କୁ ଜଣାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରତିରକ୍ଷା, ରେଳବାଇ ଓ ଦିଲ୍ଲୀ ପ୍ରଶାସନର ଅଫିସର ଏବଂ କର୍ମଚାରୀଙ୍କ ବ୍ୟତୀତ ପାର୍ଲାମେଣ୍ଟ ସମେତ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସର, କର୍ମଚାରୀ ସରକାରୀ କିମ୍ବା ସରକାରୀ ପ୍ୟାନେଲଭୁକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଓ ଔଷଧ ବାବାଦରେ କରିଥିବା ଖର୍ଚ୍ଚ ଏହି ସ୍ବାସ୍ଥ୍ୟ ଯୋଜନାରେ ଭରଣା କରାଯାଇଥାଏ। ଏଥି ପାଇଁ ହିତାଧିକାରୀଙ୍କୁ ଏକକାଳୀନ କିମ୍ବା ବେତନରୁ ନିର୍ଦ୍ଧାରିତ ଅର୍ଥ ଦେବାକୁ ପଡ଼ିଥାଏ। ପ୍ରାୟ ୩୮ ଲକ୍ଷ ୫୦ ହଜାର ହିତାଧିକାରୀ ଏହି ଯୋଜନା ଅନ୍ତର୍ଭୁକ୍ତ ଏବଂ ସେମାନେ ଅର୍ଥ ଜମା ନକରି ଚିକିତ୍ସା ପାଇବା ବ୍ୟବସ୍ଥା ଅଛି। ସେସବୁ ଖର୍ଚ୍ଚର ବିଲ୍ ସରକାର ସମ୍ପୃକ୍ତ ହସ୍ପିଟାଲ୍‌କୁ ଦେବା ବ୍ୟବସ୍ଥା ଅଛି। ମାତ୍ର ସୂଚନା ଅନୁସାରେ ପ୍ୟାନେଲ୍‌ଭୁକ୍ତ ହସ୍ପିଟାଲଗୁଡ଼ିକର ବିଲ୍ ନିୟମିତ ଦିଆଯାଉ ନଥିବାରୁ ଗତ ବର୍ଷ ମାର୍ଚ୍ଚ ସୁଦ୍ଧା ହସ୍ପିଟାଲଗୁଡ଼ିକର ବକେୟା ବିଲ୍ ୧୧୦୦ କୋଟି ଟଙ୍କାକୁ ଟପିଛି। ଏ ବର୍ଷ ତାହା ଆହୁରି ଅଧିକ ହେବ। ନିୟମିତ ବିଲ୍ ପାଉନଥିବାରୁ ପ୍ୟାନେଲଭୁକ୍ତ ହସ୍ପିଟାଲଗୁଡ଼ିକ ମଧ୍ୟରୁ ପ୍ରାୟ ୭୫% କ୍ୟାସ୍‌ଲେସ୍ ଚିକିତ୍ସା ଯୋଗାଇ ଦେବାକୁ ରୋକ୍‌ଠୋକ୍ ମନା କରିଦେଉଛନ୍ତି। ସୁତରାଂ ଶ୍ରୀ ମୁଖାର୍ଜୀଙ୍କ ଭଳି ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନ୍‌ଧାରୀ ଯେ ମାଗଣା ଚିକିତ୍ସା ନପାଇ ଜୀବନ ବିକଳରେ ଟଙ୍କା ଗଣିବାକୁ ବାଧ୍ୟ ହେଉଥିବେ-ସେଥିରେ ସନ୍ଦେହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe