ବିଇଓ ଅଫିସ୍‌ କେଳେଙ୍କାରୀ ଘଟଣା: ବ୍ୟାଙ୍କ ମ୍ୟାନେଜର, ରାଜସ୍ବ ନିରୀକ୍ଷକଙ୍କୁ ଜେରା

Advertisment
ବିଇଓ ଅଫିସ ଟଙ୍କା ହଡ଼ପ ଘଟଣା: ଭିଜିଲାନ୍ସ ପକ୍ଷରୁ ଶୁଚିସ୍ମିତାଙ୍କୁ ମାରାଥନ ଜେରା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ କେଳେଙ୍କାରୀ ଘଟଣାରେ ଆଜି ଭିଜିଲାନ୍ସ ପକ୍ଷରୁ ଆକ୍ସିସ ବ୍ୟାଙ୍କ ମ୍ୟାନେଜର ଓ ଭବାନୀପାଟଣା ନଜୁଲ ରାଜସ୍ବ ନିରୀକ୍ଷକଙ୍କୁ ଜେରା କରାଯାଇଛି। ଅନ୍ୟପକ୍ଷରେ ଶୁଚିସ୍ମିତା ନିଜ ମା’ଙ୍କ ନାମରେ ମଧ୍ୟ ହିଲଟାଉନରେ ଜମି କିଣିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ଭବାନୀପାଟଣା ବିଇସ ଅଫିସ୍‌ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ ଘଟଣାରେ ଭିଜିଲାନ୍ସ ବିଭାଗ ଆକ୍ସିସ ବ୍ୟାଙ୍କର ମ୍ୟାନେଜର ମନୋରଞ୍ଜନ ସାହୁ ଓ ଭବାନୀପାଟଣା ନଜୁଲ ରାଜସ୍ବ ନିରୀକ୍ଷକ ରାକେଶ କୁମାର ସାହୁଙ୍କୁ ଜେରା କରିଥିଲା। ଆକ୍ସିସ ବ୍ୟାଙ୍କରେ ଟଙ୍କା ନେଣଦେଣ ଉପରେ ସବିଶେଷ ତଥ୍ୟ ଯାଞ୍ଚ କରାଯାଇଥିଲା। ସେହିଭଳି ଇରିଗେସନ କଲୋନିରେ ଭିଜିଲାନ୍ସ ପକ୍ଷରୁ ସିଲ୍‌ ହୋଇଥିବା ୨ଟି ଘର ଓ ହିଲ୍‌ଟାଉନ୍‌ରେ ନିଜ ମା’ଙ୍କ ନାରେ କିଣା ଯାଇଥିବା ଜମିର ତଦନ୍ତ କରାଯାଇଥିଲା। ଭବାନୀପାଟଣା ତହସିଲର ଖାତା ନଂ-୧୮୯/୫୯୪୬, ପ୍ଲଟ ନଂ-୨୦୯/୬୧୫୭ରେ ୮୦ ଡିସିମିଲ, ସ୍ବପ୍ନା ସୁଆରଙ୍କ ନାମରେ ରେଜିଷ୍ଟ୍ରେସନ ହୋଇଛି। ମ୍ୟୁଟେସନ କେସ ନଂ-୩୧୮୯/ ୨୦୨୦ ତାରିଖ ୭.୯.୨୦୨୦ରେ ପଟ୍ଟା ମିଳିଥିଲା। ସେହିଭଳି ଖାତା ନଂ-୧୩୩/୫୯୯ ପ୍ଲଟ ନଂ-୧୩୨/୬୯୮ରେ ୧ ଏକର ସ୍ବପ୍ନା ସୁଆରଙ୍କ ନାମରେ କିଣା ଯାଇଛି। ମ୍ୟୁଟେସନ କେସ ନଂ-୧୫୨୯/୨୦୨୦ ତା. ୨୫.୦୩.୨୦୨୨ରେ ଖାରଜ ହୋଇ ଖାତା ନମ୍ବର ୧୩୩/୩୮କୁ ଆସିବା ସହ ପଟ୍ଟା ମିଳିଛି। ଗୋଟିଏ ପଟେ ଇରିଗେସନ କଲୋନି ୧୫ ନଂ. ଲେନରେ ୪ ମହଲା କୋଠା ଓ ଅନ୍ୟ ଏକ ସ୍ଥାନରେ ଏକ ଆଜବେଷ୍ଟସ ଘରକୁ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ସିଲ କରାଯାଇଛି। ବର୍ତ୍ତମାନ ହିଲ ଟାଉନର ୨ଟି ଜମି ଉପରେ ଭିଜିଲାନ୍ସର ଖୋଳତାଡ଼ ଆରମ୍ଭ ହୋଇଛି। ବୁଧବାର ଶୁଚିସ୍ମିତା ଫେରାର ଘଟଣାରେ ଟାଉନ ଥାନା ପୁଲିସ୍‌ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ହେଲେ ଏ ପର୍ଯ୍ୟନ୍ତ ଟାଉନ୍‌ ଥାନା ପୁଲିସ ଶୁଚିସ୍ମିତାଙ୍କୁ ଠାବ କରିପାରି ନଥିବାରୁ ପୁଲିସ୍ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe