ବ୍ରହ୍ମପୁର: ସୁନା ଦୋକାନରୁ ୪ଶହ ଗ୍ରାମ ସୁନା ଅଳଙ୍କାର ସହ ୧ ଲକ୍ଷ ୪୦ହଜାର ଟଙ୍କା ଚୋରି

Advertisment
ବ୍ରହ୍ମପୁର: ସୁନା ଦୋକାନରୁ ୪ଶହ ଗ୍ରାମ ସୁନା ଅଳଙ୍କାର ସହ ୧ ଲକ୍ଷ ୪୦ହଜାର ଟଙ୍କା ଚୋରି

ବ୍ରହ୍ମପୁର:  ବ୍ରହ୍ମପୁର ବଡ଼ ବଜାରରେ ପୁଣି ଏକ ନାମକରା ଜୁଏଲାରି ସୋ' ରୁମ୍‌କୁ ଟାର୍ଗେଟ କରିଛନ୍ତି ଲୁଟେରା ଗ୍ୟାଙ୍ଗ୍। କେଶବ ଜୁଏଲାରି ସୋ' ରୁମ୍‌ର ସ୍କାଏଲାଇଟ୍‌ ଭାଙ୍ଗି ଭିତରେ ପଶି ୪ଶହ ଗ୍ରାମ ସୁନା ଅଳଙ୍କାର ଓ ପ୍ରାୟ ନଗଦ ୧ଲକ୍ଷ ୪୦ହଜାର ଟଙ୍କା ଧରି ଚମ୍ପଟ ମାରିଛନ୍ତି। ଗତ ଅକ୍ଟୋବର ୩୦ତାରିଖ ରାତିରେ ବଡ଼ ବଜାରରେ ଥିବା ବିନୋଦ ଜୁଏଲାରି‌ରୁ ଲୁଟ୍‌ ଘଟଣା ପରେ ଏହା ଦ୍ବିତୀୟ ଘଟଣା। ସେହି ସମାନ ଢଙ୍ଗରେ ଲୁଟ୍‌ ହୋଇଥିବାରୁ ପୁଲିସର ନିଦ ହଜି ଯାଇଛି। ବିନୋଦ ଜୁଏଲାରି ଚୋରି ଘଟଣାରେ ଅଦ୍ୟାବଧି ପୁଲିସ କାହାକୁ ଧରି ପାରି ନାହିଁ। ସମାନ ଢ଼ଙ୍ଗରେ ଚୋର ଗ୍ୟାଙ୍ଗ୍‌ ଛାତ ଦେଇ ଭିତରେ ପଶି ଚୋରି କରିଛନ୍ତି। ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର, ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ସୋ' ରୁମ୍‌ର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ନମୁନା ସଂଗ୍ରହ କରି ତଦନ୍ତ ଚାଲିଥିବା ଏସ୍‌.ପି. କହିଛନ୍ତି।

publive-image

ବଡ଼ ବଜାର ମୁଖ୍ୟ ରାସ୍ତାରେ ରହିଛି କେଶବ ଜୁଏଲାରି। ପ୍ରତିଦିନ ଭଳି ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସୋ' ରୁମ୍‌ ବନ୍ଦ କରି ମାଲିକ ଓ ଅନ୍ୟ କର୍ମଚାରୀ ଘରକୁ ଯାଇଥିଲେ। ଆଜି ସକାଳ ପ୍ରାୟ ୧୦ଟା ବେଳେ ପି. ସତ୍ୟନାରାୟଣ ସେନାପତି ଓ କର୍ମଚାରୀମାନେ ସୋ' ରୁମ୍‌ରେ ପହଞ୍ଚିଥିଲେ। ୩ମହଲା ବିଶିଷ୍ଟ ଜୁଏଲାରି ସୋ' ରୁମ୍‌ର କ୍ୟାସ୍‌ କାଉଣ୍ଟର୍‌ର ଡ୍ରୟର୍‌ ଖୋଲା ରହିଥିବା ଦେଖିବାକୁ ପାଇଥିଲେ। ଯାଞ୍ଚ ପରେ ୩ଟି କାଉଣ୍ଟର୍‌ରୁ ପ୍ରାୟ ୧ଲକ୍ଷ ୪୦ହଜାର ଟଙ୍କା ଗାଏବ ଥିବା ଜଣାପଡ଼ିଥିଲା। ସେହିପରି ବିଭିନ୍ନ ସମୟରେ ଗ୍ରାହକମାନେ ମରାମତି ପାଇଁ ଦେଇଥିବା ପ୍ରାୟ ୪ଶହ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଡ୍ରୟର୍‌ରେ ନଥିଲା। ସୋ' ରୁମ୍‌ରୁ ଚୋରି ହୋଇଥିବା ସନ୍ଦେହ କରି ମାଲିକ ସତ୍ୟନାରାୟଣ ପୁଲିସକୁ ଖବର କରିଥିଲେ। ଯାଞ୍ଚ ପରେ ତୃତୀୟ ମହଲାର ସିଡ଼ି ଘରେ ଥିବା ଏକ ସ୍କାଏଲାଇଟ୍‌ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରାର ତାର ଛିଣ୍ଡି ପଡ଼ିଥିବା ନଜରକୁ ଆସିଥିଲା। ଚୋର ଗ୍ୟାଙ୍ଗ୍‌ ସ୍କାଏଲାଇଟ୍‌ ଭାଙ୍ଗି ଭିତରେ ପଶିଛନ୍ତି। ସୋ' ରୁମ୍‌ର ସମସ୍ତ ଅଳଙ୍କାର ଆଇରନ୍‌ ଚେଷ୍ଟରେ ରଖାଯାଇଥିଲା। ଫଳରେ ଚୋରମାନେ ତାହା ନେଇପାରି ନାହାନ୍ତି। କିନ୍ତୁ କ୍ୟାସ୍ କାଉଣ୍ଟର୍‌ରେ ଥିବା ପୁରୁଣା ଅଳଙ୍କାର ଓ ଟଙ୍କା ଧରି ଚମ୍ପଟ ମାରିଛନ୍ତି।

ଚୋରମାନେ ତାଲା ଭାଙ୍ଗିବା ପାଇଁ ଧରି ଆସିଥିବା କିଛି ଲୁହାଛଡ଼ ଘଟଣାସ୍ଥଳରେ ଛାଡ଼ି ଯାଇଛନ୍ତି। ପୁଲିସ ତାହା ଜବତ କରିଛି। ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି। ସୋ' ରୁମ୍‌ର ନକ୍ସା ସହିତ ଭଲ ଭାବେ ପରିଚିତ ଥିବା କୌଣସି ବ୍ୟକ୍ତି ଏଭଳି କାମ କରିଥିବା ପୁଲିସ ଅନୁମାନ କରୁଛି। ଖୁବ୍‌ଶୀଘ୍ର ଏ ଦିଗରେ ସଫଳତା ମିଳିବ ବୋଲି ଏସ୍‌.ପି. କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe