ମୋରମ ଗାଡ଼ି ଜବତ ଘଟଣାକୁ ଦଫାରଫା ଉଦ୍ୟମ : ବେତନଟୀ ତହସିଲଦାରଙ୍କ ରାତିଅଧିଆ ବଦଳି

Advertisment

ତହସିଲଦାରଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ , ୨ ଗିରଫ

ତହସିଲଦାରଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ , ୨ ଗିରଫ

ବାଃ ବାଃ’ରେ ତହସିଲଦାର : ଉପଜିଲ୍ଲାପାଳଙ୍କୁ ବି ନକଲ କରିଦେଲେ!

ବାରିପଦା/ବେତନଟୀ/ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲଦାରଙ୍କ ଅତ୍ୟନ୍ତ ଘନିଷ୍ଠ କହି ଏସ୍‌ଟିଏଫ୍‌ ନାମରେ ‌ବିଭିନ୍ନ ଲଘୁ ଖଣିଜ ବୋଝେଇ ଟ୍ରକ୍‌କୁ ଅଟକାଇବା ଓ ପରବର୍ତ୍ତୀ ସମୟରେ ଏହାକୁ ରଫାଦଫା ପାଇଁ ଡିଲ୍‌ କରାଯାଉଥିଲା। ଏହି ଘଟଣାରେ ବେତନଟୀ ତହସିଲଦାରଙ୍କୁ ଆଜି ରାତିଅଧିଆ ଜିଲ୍ଲା ପାର୍‌ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ କଳାହାଣ୍ଡିର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବା ଖବର ମିଳିଛି। ଏହି ମାମଲାରେ ୫ ଜଣଙ୍କ ନାମରେ ଏତଲା ଦିଆଯିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପୁଲିସ ଆଜି ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ମହିଳା ଓ ଜଣେ ଯୁବକ ଅଟକ ଅଛନ୍ତି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ବାଲେଶ୍ବରର ଅଭିଜିତ ମହଲ ଓ ବେତନଟୀର ଶିବାଶିଷ ନାଥ।

ପ୍ରକାଶଥାଉକି, ସୋମବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ଛକ ନିକଟରେ ଦୁଇଟି ମୋରମ ବୋଝେଇ ଟ୍ରକ୍‌ ଜବତ କରାଯାଇଥିଲା। ମାତ୍ର ଏହାକୁ ନେଇ ଦେଖାଦେଇଥିଲା ବିବାଦ। ମୋରମ ବୋଝେଇ ଗାଡି ଜବତ କରିଥିବା ବ୍ୟକ୍ତିମାନେ କୌଣସି ସରକାରୀ କର୍ମଚାରୀ ନଥିଲେ ବୋଲି ଶ୍ରୀକାନ୍ତ ଦାସ ନାମକ ଜଣେ ଗାଡ଼ି ମାଲିକ ଥାନାରେ ଅଭିଯୋଗ କରିଥିଲେ। କିଛି ଅସାମାଜିକ ଯୁବକ ତାଙ୍କ ଗାଡିକୁ ଅଟକାଇବା ସହିତ ଡ୍ରାଇଭରଙ୍କଠାରୁ ଜୋରଜବରଦସ୍ତ ଗାଡିର କାଗଜପତ୍ର ମାଗିଥିଲେ। ଏ ନେଇ ସେ ବୈଶିଙ୍ଗା ଥାନାରେ ବେତନଟୀ ତହସିଲଦାର ଅନିଶା ଦାସ, ବୈଶିଙ୍ଗା ଅଞ୍ଚଳର ଖଗେଶ୍ବର ବେହେରା, ଶିବାଶିଷ ନାଥ, ଅଭିଜିତ ମହଲ ଏବଂ ଜଣେ ମହିଳାଙ୍କ ନାମରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗ ଉପରେ ଦଫା ୩୪୧, ୨୯୪, ୩୨୩, ୩୭୯, ୩୮୪, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରିବା ସହ ଅଭିଜିତ ମହଲ ଓ ଶିବାଶିଷ ନାଥଙ୍କୁ ଗିରଫ କରିଛି।

ଅଭିଜିତ ନିଜକୁ ତହସିଲଦାରଙ୍କ ଘନିଷ୍ଠ ବୋଲି ଦର୍ଶାଇ ଫୋନ୍‌ ଜରିଆରେ ଜବତ ଗାଡ଼ି ମାଲିକଙ୍କ ନିକଟରୁ ଅର୍ଥ ମାଗି ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବାର ଏକାଧିକ ଅଡିଓ ଟେପ୍‌ ଗତକାଲି ସାମ୍ନାକୁ ଆସିଥିଲା। ଯାହାକି ପୂରା ଜିଲ୍ଲାରେ ଲଘୁ ଖଣିଜ ଚୋରାଚାଲାଣକୁ କିପରି ସରକାରୀ କଳର ପ୍ରତ୍ୟକ୍ଷ ସହଯୋଗରେ ନିୟନ୍ତ୍ରଣ କରାଯାଉଛି, ତାହା ପଦାକୁ ଆସିଥିଲା। ଏ ନେଇ 'ସମ୍ବାଦ'ରେ ଆଜି ଖବର ପ୍ରକାଶିତ ହେବା ପରେ ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା।

ଏ ସଂପର୍କରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ କହିଛନ୍ତି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ, କାହାକୁ ବି ଛଡ଼ାଯିବନି। ଅନ୍ୟପକ୍ଷରେ ତହସିଲଦାର ଅନିଶା ଦାସ ଅଭିଯୋଗକୁ ଭିତ୍ତିହୀନ କହିବା ସହିତ ଉକ୍ତ ଗାଡ଼ି ମାଲିକ ପୂର୍ବରୁ ତାଙ୍କୁ ଟଙ୍କା ଯାଚୁଥିବା ପାଲଟା ଅଭିଯୋଗ ଆଣିଛନ୍ତି। ଅଭିଜିତଙ୍କ ସହିତ ତାଙ୍କର ସମ୍ପର୍କ ଅଛି ବୋଲି ଯାହା କୁହାଯାଉଛି ସେସବୁ କେବଳ ଅପ୍ରଚାର ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe