‘ଫନି’ କ୍ଷତିପୂରଣରୁ ବଞ୍ଚିତ ପାନ ଚାଷୀ : କଟକ ଜିଲ୍ଲାରେ ୧୦ ହଜାରରୁ ଅଧିକ କ୍ଷତିଗ୍ରସ୍ତ, ତାଲିକାରେ ମାତ୍ର ୧୫ଶହ ନାମ

Advertisment
‘ଫନି’ କ୍ଷତିପୂରଣରୁ ବଞ୍ଚିତ ପାନ ଚାଷୀ : କଟକ ଜିଲ୍ଲାରେ ୧୦ ହଜାରରୁ ଅଧିକ କ୍ଷତିଗ୍ରସ୍ତ, ତାଲିକାରେ ମାତ୍ର ୧୫ଶହ ନାମ

youtube.com

କଟକ : ‘ଫନି’ କ୍ଷତିଗ୍ରସ୍ତ ପାନ ଚାଷୀ ୯ ମାସ ପରେ ବି ପାଇପାରୁ ନାହାନ୍ତି କ୍ଷତିପୂରଣ। କଟକ ଜିଲ୍ଲାରେ ୧୦ ହଜାରରୁ ଅଧିକ ପାନ ଚାଷୀ ଫନିରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କ୍ଷତିଗ୍ରସ୍ତଙ୍କ ତାଲିକାରେ ଚଢ଼ିଛି ମାତ୍ର ୧୫ଶହ ଚାଷୀଙ୍କ ନାମ। ଏଭଳି ସ୍ଥିତିରେ ଗୋଟିଏ ପଟେ ପ୍ରଶାସନ କ୍ଷତିପୂରଣ ପ୍ରଦାନ କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

publive-image localwire.me

କଟକ ଜିଲ୍ଲାରେ ନିଆଳି ଓ କଣ୍ଟାପଡ଼ା ବ୍ଲକ୍‌ର ୧୦ ହଜାରରୁ ଅଧିକ ପାନ ବରଜ ରହିଛି। ପାନକୁ ଏକ ଅର୍ଥକାରୀ ଫସଲ ଭାବେ ବିଚାର କରାଯାଉଥିବା ବେଳେ ଦିନକୁ ଦିନ ଚାଷୀଙ୍କ ସମସ୍ୟା ବଢିବାରେ ଲାଗିଛି। ଚାଷର ବ୍ୟବସ୍ଥା ଅନୁଯାୟୀ ୪ ଡିସିମିଲ ଜମିରେ ୯ଟି ପାନଗଛ ଲଗା ଯାଇଥାଏ। ବନ୍ଧା ଯାଇଥିବା ବାଉଁଶ ଉପରେ ମାଡିଥାଏ ପାନ ଲଟା। ଚାରିପାଖରେ ଘେରାଯାଇଥାଏ ନଡିଆ ବାହୁଙ୍ଗା ଓ ନଡ଼ା। ୬ମାସ ମଧ୍ୟରେ ପାନପତ୍ର ବିକ୍ରି ଆରମ୍ଭ କରେ ଚାଷୀ। ପାନରେ ରୋଗ ପୋକ ଓ ଚାଷ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇଥାଏ ଚାଷୀ। ସାଧାରଣତଃ ବର୍ଷା ଦିନେ ପାନର ମୂଲ୍ୟ କମ୍‌ ରହିଥାଏ। କିନ୍ତୁ ଚଳିତବର୍ଷ ଆଶାତୀତ ଭାବେ ପାନର ମୂଲ୍ୟ ହ୍ରାସ ପାଇଛି। ୨ ମାସ ପୂର୍ବରୁ ହଜାରେ ପାନକୁ ଚାଷୀ ୬ଶହରୁ ୭ ଶହ ଟଙ୍କାରେ ବିକ୍ରି କରୁଥିଲେ। କିନ୍ତୁ ବର୍ତ୍ତମାନ ସେହି ପାନ ଖସି ଆସିଛି ୫୦ରୁ ୧୫୦ ଟଙ୍କାକୁ। ଯେହେତୁ ପାନ ପାଇଁ ସରକାରୀସ୍ତରରେ ବଜାର ବ୍ୟବସ୍ଥା ନାହିଁ, ତେଣୁ ଚାଷୀ ପାନ ପାଇଁ ପ୍ରସିଦ୍ଧ ବିଭିନ୍ନ ହାଟରେ ବୁଲି ବୁଲି ପାନ ବିକ୍ରି କରୁଛନ୍ତି।

publive-image business-standard.com

ନିଆଳି ଅଞ୍ଚଳରୁ ଉତ୍ପାଦିତ ହେଉଥିବା ପାନ ନିଆଳି ହାଟ, କାଳିଆଘାଇ ହାଟ, ଜଗତସି˚ହପୁର ଜିଲ୍ଳାର ସୋମନାଥ ହାଟ, ଖୋର୍ଧା ଜିଲ୍ଲାର ବନମାଳିପୁର, ପୁରୀର ପିପିଲି, ନୂଆହାଟ ଆଦି ବିଭିନ୍ନ ପାନପାଇଁ ପ୍ରସିଦ୍ଧ ସାପ୍ତାହିକ ହାଟରେ ବିକ୍ରି ହୋଇଥାଏ। ବେପାରୀ ଚାଷୀଙ୍କ ପାଖରୁ କମ୍‌ ମୂଲ୍ୟରେ ନେଇ ଭଲ ପ୍ୟାକି˚ କରି ଚଢାଦରରେ ପାନପତ୍ର ଛାଡିଥାନ୍ତି ବଜାରକୁ। ଦିଲ୍ଲୀ, ମୁମ୍ବାଇ, ସୁରଟ୍‌ ଏପରିକି ଦୁବାଇ ମଧୢ ଯାଇଥାଏ ନିଆଳି ପାନ। ‘ଫନି’ରେ ନିଆଳି, କଣ୍ଟାପଡା, କଟକ ସଦର, ସାଲେପୁର ଅଞ୍ଚଳର ପାନ ବରଜ ସବୁ ଉଜୁଡି ଯାଇଥିଲା। ସରକାରୀ ଭାବେ ସା‌ଢେ ୫ହଜାର ପାନ ବରଜ ଉଜୁଡି ଯାଇଥିବା ରେକର୍ଡରେ ଦର୍ଶାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ମିଳିପାରୁନି ‘ଫନି’ କ୍ଷତିଗ୍ରସ୍ତ ସହାୟତା ରାଶି। ବାରମ୍ବାର ଦୌଡି ଦୌଡି ଥକି ପଡିଲେଣି, ପାନ ଚାଷୀ। କିନ୍ତୁ ମିଳିଥିବା ସୂଚନା ଅନୁସାରେ ସାରା ରାଜ୍ୟରେ ୫ ହଜାର ପାନ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବାକୁ ଥିବାବେଳେ ସେଥିରୁ କଟକର ୧୫ଶହ ଚାଷୀଙ୍କ ନାଁ ରହିଛି। ତେଣୁ ସେହି କ୍ଷତିଗ୍ରସ୍ତ ୧୫ଶହରୁ ସର୍ବାଧିକ କ୍ଷତିଗ୍ରସ୍ତ ନିଆଳି ଓ କଣ୍ଟାପଡାର ଚାଷୀ ରହିଛନ୍ତି। ତେଣୁ ସହାୟତା ବଣ୍ଟନକୁ ନେଇ ଚିନ୍ତାରେ ପଡ଼ିଛି ପ୍ରଶାସନ। ଫଳରେ ଉଦ୍ୟାନ ବିଭାଗ ବାଣ୍ଟିପାରୁନି ଟଙ୍କା। ଏହାକୁ ନେଇ ପାନଚାଷୀଙ୍କ ମଧ୍ୟରେ କ୍ଷୋଭ ବଢିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe