ଶତ ପ୍ରତିଶତ ଟିକାକରଣ ପରେ ବୁଷ୍ଟର ଡୋଜ୍‌ ଦିଆଯିବା ଭଲ

Advertisment
ଫ୍ରଣ୍ଟ୍‌ଲାଇନ୍‌ କର୍ମଚାରୀଙ୍କ ପାଇଁ ବୁଷ୍ଟର ଡୋଜ୍‌ ଗୁରୁତ୍ବପୂର୍ଣ୍ଣ: ଆଇଏମ୍‌ଏ ମୁଖ୍ୟ

DNA India

ଅନେକ ଟିକା ମଧ୍ୟ ଜୀବନବ୍ୟାପୀ ସୁରକ୍ଷା ଦେଇପାରି ନାହିଁ
ଲୋକଙ୍କୁ ଏବେ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ପଡ଼ିନାହିଁ: ଲାନ୍‌ସେଟ୍‌

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ହେଲେ କରୋନାର ସମ୍ଭାବ୍ୟ ତୃତୀୟ ଲହର କିଭଳି ରହିବ; ତାହାକୁ ନେଇ ବିଶେଷଜ୍ଞମାନେ ଆକଳନ ଜାରି ରଖିଛନ୍ତି। ଯଦି କରୋନାର ନୂତନ ଭାରିଏଣ୍ଟ ନ ଆସେ ତାହେଲେ ତୃତୀୟ ଲହରର କମ୍ ପ୍ରଭାବ ଦେଖା ଯାଇପାରେ। ଅନ୍ୟପଟରେ ରାଜ୍ୟ ତଥା ଦେଶରେ ଏବେ କରୋନା ଟିକାକରଣ ଜୋରସୋରରେ ଚାଲିଛି। ହେଲେ କରୋନା ଟିକା ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ୨୦ ପ୍ରତିଶତଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହେଉ ନ ଥିବା ଜଣାପଡ଼ିବା ପରେ ଚିନ୍ତା ବଢ଼ି ଯାଇଛି। ନିକଟରେ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ଡା.ଅଜୟ ପରିଡ଼ା ରାଜ୍ୟରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ସୂଚନା ଦେଇଥିଲେ। ଯାହାଫଳରେ ଏବେ କରୋନାର ବୁଷ୍ଟର୍‌ ଡୋଜ୍‌କୁ ନେଇ ଆଲୋଚନା ଚାଲିଛି। ଅନ୍ୟପଟରେ ଲାନ୍‌ସେଟ୍‌ ମାଗାଜିନ୍ ପକ୍ଷରୁ ହୋଇଥିବା ଗବେଷଣାରେ ଲୋକଙ୍କୁ ଏବେ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ପଡ଼ି ନ ଥିବା କୁହାଯାଇଛି। ତେଣୁ ବୟସାଧିକ କିମ୍ବା ଏକାଧିକ ଜଟିଳ ରୋଗରେ ପୀଡ଼ିତ ଲୋକମାନଙ୍କ ମନରେ ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ଟିକା ବିଶେଷଜ୍ଞ ଡା.କ୍ଷୀରୋଦ ରାଉତ କହିଛନ୍ତି, କ‌ରୋନା ପାଇଁ ଆସିଥିବା କୌଣସି ଟିକା ଜୀବନ ବ୍ୟାପୀ ରୋଗ ପ୍ରତିରୋଧକ ଶକ୍ତି ଦେବାରେ ସକ୍ଷମ ହେଉନାହିଁ। ତେଣୁ ବୁଷ୍ଟର୍‌ ଡୋଜ୍‌କୁ ନେଇ ଏବେ ଚର୍ଚା ଆରମ୍ଭ ହୋଇଛି। ତେବେ କେବଳ କରୋନା ଟିକା ନୁହେଁ, ଏହା ପୂର୍ବରୁ ଅନେକ ରୋଗ ପାଇଁ ଆସିଥିବା ଟିକାରେ ମଧ୍ୟ ଜୀବନବ୍ୟାପୀ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହେଉ ନ ଥିବା ନଜରକୁ ଆସିଥିଲା। ପୋଲିଓରେ ୫ଟି ଡୋଜ୍ ଦେବାକୁ ପଡ଼ୁଥିବା ବେଳେ ଫ୍ଲୁ ପାଇଁ ବାର୍ଷିକ ଟିକାର ଆବଶ୍ୟକତା ପଡ଼ୁଛି। କୋଭିଡର ନୂଆ ନୂଆ ଷ୍ଟ୍ରେନ୍‌କୁ କରୋନା ଟିକା ରୋକିବାରେ ସଫଳ ହେ‌ଉ ନ ଥିବା କୁହାଯାଉଛି। ତେବେ ବୁଷ୍ଟର୍‌ ଡୋଜ୍‌କୁ ନେଇ ଏତେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଆଇସିଏମ୍‌ଆର୍‌ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଟିକାକୁ ନେଇ ଗଠିତ ହୋଇଥିବା କମିଟି ଓ କେନ୍ଦ୍ର ସରକାର ଏହା ଉପରେ ନିଷ୍ପତ୍ତି ନେବେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏହା ଉପରେ ପ୍ରସ୍ତାବ ଦେଇପାରେ।

publive-image International Banker

ହେଲେ ବୁଷ୍ଟର୍‌ ଡୋଜ୍‌ଟି ବର୍ଷେ ପାଇଁ ଦିଆଯିବ କି ୫ବର୍ଷ ପାଇଁ ଏହା କାମ କରିବ; ତାହା ଉ‌ପରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ରାଜ୍ୟ କିମ୍ବା ଦେଶରେ ଏବେ ଅନେକ ଲୋକ ଟିକା ନେଇ ନାହାନ୍ତି। ତେଣୁ ସମସ୍ତେ ଟିକା ପାଇବା ପରେ ବୁଷ୍ଟର୍‌ ଡୋଜ୍ ଉପରେ ଆଲୋଚନା କଲେ ଭଲ। ଦେଶରେ ଦିଆଯାଉଥିବା ଉଭୟ କୋଭିସିଲ୍‌ଡ ଓ କୋଭାକ୍ସିନ୍ ଟିକାରେ ବୁଷ୍ଟର ଡୋଜ୍ ଦିଆଯାଇ ପାରିବ ବୋଲି ଡା.ରାଉତ ସୂଚନା ଦେଇଛନ୍ତି।

ଅପରପକ୍ଷରେ ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ରଙ୍କ କହିବା କଥା, ବୁଷ୍ଟର୍‌ ଡୋଜ୍‌କୁ ନେଇ ଏ ଯାଏ କେବଳ ଇସ୍ରାଏଲରେ ଏକ ଷ୍ଟଡି ଆସିଛି। ଯେହେତୁ ଇସ୍ରାଇଲ୍‌ରେ ଫାଇଜର୍‌ ଟିକା ଦିଆଯାଇଥିଲା ଏବଂ ଅନ୍ୟ ଦେଶ ତୁଳନାରେ ସେଠାରେ ଆଗୁଆ ଟିକା ଦିଆଯାଇଥିଲା; ତେଣୁ ଟିକା ନେଇଥିବା ଲୋକମାନଙ୍କ ଦେହରେ ଇମ୍ୟୁନିଟି ହ୍ରାସ ପାଉଥିବା ଏହି ଷ୍ଟଡିରେ ନଜରକୁ ଆସିଛି। ଫାଇଜର୍‌ର ବୁଷ୍ଟର୍‌ ଡୋଜ୍ ନେବାର ୧୨ ଦିନ ପରେ ଜଣେ ଗୁରୁତର ହେବା ଏକ ଦଶମାଂଶକୁ ହ୍ରାସ ପାଉଛି। ସେହିପରି ବ୍ରିଟେନ୍‌ ସରକାର ମଧ୍ୟ ନିଜର ଲୋକମାନଙ୍କୁ ବୁଷ୍ଟର୍‌ ଡୋଜ୍ ଦେବାକୁ ଅନୁମୋଦନ କରିଛନ୍ତି। ତେବେ ଓଡ଼ିଶା କିମ୍ବା ଭାରତରେ ଆସନ୍ତା ବର୍ଷ ବୁଷ୍ଟର୍‌ ଡୋଜ୍ ସଂପର୍କରେ ଚିନ୍ତା କରାଯାଇପାରେ।

ଆଷ୍ଟ୍ରାଜେନିକା ବା ଭାରତରେ କୋଭିସିଲ୍‌ଡରେ ଦୁଇ ଡୋଜ୍‌ ଭିତରେ ବ୍ୟବଧାନ ଅଧିକ ରହିଥିବାରୁ ଏହି ଟିକା ନେଇଥିବା ଲୋକଙ୍କ ଶରୀରରେ ଆଣ୍ଟିବଡି ଅଧିକ ଦିନ ପର୍ଯ୍ୟନ୍ତ ରହୁଥିବା ଦେଖାଯାଉଛି। ତେବେ କୋଭାକ୍ସିନ୍‌ର ବୁଷ୍ଟର୍‌ ଡୋଜ୍‌କୁ ନେଇ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଷ୍ଟଡି ଆସିନାହିଁ। ଆଗକୁ ୬୦ବର୍ଷରୁ ଅଧିକ ବୟସ୍କ କିମ୍ବା ଜଟିଳ ରୋଗ ଥିବା ଲୋକମାନଙ୍କୁ ବୁଷ୍ଟର୍‌ ଡୋଜ୍‌ର ଆବଶ୍ୟକତା ପଡ଼ିପାରେ। ହେଲେ କେନ୍ଦ୍ର ସରକାର ବୁଷ୍ଟର୍‌ ଡୋଜ୍‌କୁ ଅନୁମୋଦନ ନ ଦେଲା ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଶତ ପ୍ରତିଶତ ଟିକାକରଣ ହେବା ପରେ ବୁଷ୍ଟର ଡୋଜ୍‌କୁ ଅନୁମୋଦନ କରାଗଲେ ଭଲ ହେବ ବୋଲି ଡା.ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe