ସମ୍ବଲପୁର: ସ୍ପଷ୍ଟ ଦିବାଲୋକରେ ସମ୍ବଲପୁର ସହରରେ ଆଜି ଏକ ବର୍ବର ହତ୍ୟାକାଣ୍ଡ ଘଟିଛି। ବରେଇପାଲି ଥାନା ଅନ୍ତର୍ଗତ ରେମେଡ୍ ଛକ ନିକଟରେ ଜଣଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ସନ୍ତୋଷ ବେହେରା ଓରଫ ହନୁ। ଦୀକ୍ଷିତ ସାହୁ ନାମକ ଜଣେ ଯୁବକ ଛୁରା ଆକ୍ରମଣ କରି ଫେରାର ହୋଇଛି।
ସୂଚନା ଅନୁସାରେ ବରେଇପାଲି ଥାନା ଅନ୍ତର୍ଗତ ରେମେଡ ଛକ ନିକଟରେ ସନ୍ତୋଷ ବେହେରା ଏକ ପାନ ଦୋକାନ ରହିଛି। ସେ ଅନ୍ୟ ଦିନ ପରି ଆଜି ମଧ୍ୟ ନିଜର ଦୋକାନରେ ବସିଥିଲେ। ଦିନ ପ୍ରାୟ ୧୨ଟା ହେବ ସନ୍ତୋଷଙ୍କ ପାନ ଦୋକାନକୁ ଏକ ବାଇକ୍ରେ ଜଣେ ଦୁର୍ବୃତ୍ତ ପହଞ୍ଚି ଥିଲା। ବିନା କୌଣସି କଥା କହି ସନ୍ତୋଷଙ୍କୁ ସେ ଛୁରାରେ ଅତର୍କିତ ଭାବେ ଆକ୍ରମଣ କରିଥିଲା। ସନ୍ତୋଷଙ୍କ ପ୍ରାଣ ବଞ୍ଚାଇବା ପାଇଁ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଦୁର୍ବୃତ୍ତ କିଛି ଶୁଣି ନଥିଲା। ଗୁରୁତର ଭାବେ ସନ୍ତୋଷ ଘଟଣାସ୍ଥଳରେ ପଡ଼ି ଛଟପଟ ହେଉଥିବା ବେଳେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ୍ ଜାରି ରଖିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
Follow Us