ଗଣିଜାଙ୍ଗ: ବନ୍ତ ବ୍ଲକ ସେଣ୍ଢତୀରା ପଂଚାୟତ ଶିଆଳିଆ ଗ୍ରାମର ବିଶ୍ୱନାଥ ନାୟକ ବୃତ୍ତିରେ ଜଣେ ଶିକ୍ଷକ। ପ୍ରବୃତ୍ତିରେ ସେ ଜଣେ ଚାଷୀ। ଶିକ୍ଷକତା ସହିତ ନିଜ ବାଡିରେ ଦେଢ଼ ଏକର ବିଶିଷ୍ଟ ଚାଷ ଜମିରେ ବିଭିନ୍ନ ଉନ୍ନତ କିସମର କଦଳୀ ଓ ଅମୃତଭଣ୍ଡା ସହ ଅନ୍ୟାନ୍ୟ ପରିବା ଚାଷ କରିଛନ୍ତି। ଉକ୍ତ ଜମିରେ ନିଜେ ଓ ନିଜର ପରିବାର ସଦସ୍ୟମାନେ ଲାଗିପଡନ୍ତି। ଧାଡ଼ିରେ ଅମୃତ ଭଣ୍ଡା ଗଛକୁ ଳଗାଇବା ସହ ତା ପାଖରେ ଜଳସେଚନର ସୁବିଧା ପାଇଁ ନାଳ କରି ପାଣି ମଡାନ୍ତି। ଉକ୍ତ ଫସଲ ପାଇଁ ଗ୍ରାମାଂଚଳରେ ମିଳୁଥିବା ଜୈବିକ ଖତ ଓ ସାର ପ୍ରୟୋଗ କରି ଅମଳ କରନ୍ତି।
ସେ କୁହନ୍ତି ଏବେ ବଜାରରରେ ବିଭିନ୍ନ ବିଷାକ୍ତ ସାର ଓ କୀଟନାଶକ ଔଷଧ ବ୍ୟବହାର କରି ବହୁ କମ୍ ଦିନରେ ଅଧିକ ପନିପରିବା ଉତ୍ପାଦନ କରାଯାଉଛି। ଏହାର ପ୍ରଭାବରେ ବିଭିନ୍ନ ରୋଗ ସୃଷ୍ଟି ହେଉଛି। ଆମ୍ଭେ ସେଥିରୁ ବଂଚିତ ରହି ଗ୍ରାମାଂଚଳରେ ମିଳୁଥିବା ଖତ କଂପୋଷ୍ଟ ସାରକୁ ପ୍ରୟୋଗ କରୁଛୁ। ଯାହା ପରିବେଶ କିମ୍ବା ସମାଜ ଉପରେ କିଛି କୁ ପ୍ରଭାବ ପଡ଼ୁନି। ଏହି ପରିବାପତ୍ରକୁ ଉକ୍ତ ଅଂଚଳର ଲୋକମାନେ ବହୁ କମ୍ ଅର୍ଥରେ କ୍ରୟ କରି ନିଜେ ଲାଭବାନ ହେଉଛନ୍ତି। ଗୋଟିଏ ପଟରେ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରି ମାନସିକ ପରିଶ୍ରମ କରୁଥିବା ବେଳେ ଦଶବର୍ଷ ହେଲା ବିଦ୍ୟାଳୟରୁ ଆସି ଏହି ବାଡ଼ିରେ ବିଭିନ୍ନ ପରିବା ଚାଷରେ ଲାଗିଥାଏ। ଏହି କାମରେ ମୋର ପରିବାରର ଲୋକେ ସହଯୋଗ କରିଥାନ୍ତି। ଏହାକୁ ଦେଖି ଆମ ଅଂଚଳର କିଛି ଲୋକ ନିଜ ନିଜ ବାଡ଼ିରେ କିପରି ଉନ୍ନତ କିସମର ପରିବା ଚାଷ କରି ଆତ୍ମନିର୍ଭରଶୀଳ ହେବେ ଏହା ତାଙ୍କୁ ପ୍ରୋରଣା ଯୋଗାଏ।
ଦେଢ଼ ଏକର ଜମିରୁ ୧୫ ଡେସିମିଲ ଜମିରେ କଦଳୀ, ୨୦ ଡେସିମିଲ ଜମିରେ ଅମୃତଭଣ୍ଡା ଚାଷ କରାଯାଇଛି। ଆଉ ବାକି ଜମିରେ ପୋଟଳ, ଭେଣ୍ଡି ସହ ଅନ୍ୟାନ୍ୟ ପରିବା ଲଗାଯାଇଛି। ଉକ୍ତ କ୍ଷେତରୁ ମାସିକ ୫ରୁ ୬ କୁଇଣ୍ଟାଲ ଅମୃତଭଣ୍ଡା ଓ ୩୦ରୁ ଅଧିକ କଦଳୀ କାନ୍ଧି ପାଇଥାନ୍ତି। ଏହି ଚାଷ କାର୍ଯ୍ୟରେ କିଛି ଲୋକ ନିୟୋଜିତ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି। ବର୍ତ୍ତମାନ ସମୟରେ ପରିବାପତ୍ରର ଉପ୍ତାଦନ କମ୍ ହେଉଥିବାରୁ ବିଶ୍ବନାଥ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସବ ପାଲଟିଛନ୍ତି।
Follow Us