ଦେଢ଼ବର୍ଷ ଧରି ଚଉକିରେ ଲିପି, ମାଆର ସେବା କରୁଛି ୮ବର୍ଷର ଝିଅ

Advertisment
ଦେଢ଼ବର୍ଷ ଧରି ଚଉକିରେ ଲିପି, ମାଆର ସେବା କରୁଛି ୮ବର୍ଷର ଝିଅ

ଧାମରା: ଚାନ୍ଦବାଲି ବ୍ଲକ ବାଂଶଡା ପଞ୍ଚାୟତ ଗଙ୍ଗାଧରପୁର ଗାଁର ଲିପିଲତା ଭଳ(୨୬) । ତାଙ୍କ ସ୍ବାମୀ ସରୋଜ କୁମାର ଭଳ ଜଣେ ଦିନ ମଜୁରିଆ। ଘରଡିହ ବ୍ୟତୀତ ତାଙ୍କର ଜମି ବୋଲି କିଛି ବି ନାହିଁ । ଦେଢ଼ବର୍ଷ ପୂର୍ବେ ଲିପିଲତା ରୋଷେଇ କରୁଥିବା ସମୟରେ ତାଙ୍କ ଶାଢ଼ୀରେ ନିଆଁ ଲାଗି ଯାଇଥିଲା। ଫଳରେ ତାଙ୍କ ଶରୀରର ଅଧା ଅଂଶ ଜଳି ଯାଇଥିଲା। ଏହି ସମୟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଧାର ଉଧାର କରି ସେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । କିଛି ଦିନ ଚିକିତ୍ସା ପରେ ଅର୍ଥ ଅଭାବରୁ ସେ ଘରକୁ ଫେରିଥିଲେ । ସେବେଠାରୁ ସେ ଚଲାବୁଲା କରିପାରୁ ନାହାନ୍ତି। କେବଳ ଗୋଟିଏ ଚେୟାରରେ ବସି ରହୁଛନ୍ତି। ଏମିତି ଅବସ୍ଥା ତାଙ୍କର ସେ ବିଛଣାରେ ଶୋଇପାରୁ ନାହାନ୍ତି। ଚେୟାରରେ ଦେଢବର୍ଷ ଧରି ବସି ରହୁଛନ୍ତି। ଦିନ ରାତି ୨୪ ଘଣ୍ଟା ଚେୟାରରେ ବସି ରହିବା ସହ ସେଠାରେ ହିଁ ନିତ୍ୟକର୍ମ କରୁଛନ୍ତି ।

ଏମିତିକି ତାଙ୍କର ଦେଢ ବର୍ଷର ଶିଶୁପୁତ୍ରକୁ ଖୁଆଇବାରେ ମଧଅୟ ଅକ୍ଷମ ହେଉଛନ୍ତି। ଆଠବର୍ଷର ଝିଅ ଖେଳିବା ବୁଲିବା ଓ ସ୍କୁଲ ଯିବା ବୟସରେ ମାଆର ସେବା କରୁୁଛି। ଚିକିତ୍ସା ପାଇଁ ଆର୍ଥିକ ଅନଟନ ପ୍ରତିବନ୍ଧକ ସାଜିଥିବାରୁ ଆଉ ଡାକ୍ତରଙ୍କୁ ଦେଖାଇବା ସମ୍ଭବ ହେଉନାହିଁ। ଡାକ୍ତରଙ୍କ କହିବା ଅନୁସାରେ ଲିପିଙ୍କର ପ୍ଲାଷ୍ଟିକ ସର୍ଜରି ହେବ। ଏଥିପାଇଁ ୨/୩ ଲକ୍ଷ ଟଙ୍କା ଦରକାର । ଯାହାକି ଲିପିଙ୍କ ପରିବାର ପକ୍ଷେ ସମ୍ଭବ ନୁହେଁ। ଏଥିପାଇଁ ସେ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ନିକଟରେ ଗୁହାରି କରୁଛନ୍ତି। ସମସ୍ତେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ପୁଣି ଭୁଲି ଯାଉଥିବା ଲିପିଲତା କହିଛନ୍ତି । ଏହି ବିପଦ ସମୟରେ ତାଙ୍କୁ ସାହାଯ୍ୟ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ପ୍ରତ୍ୟେକ ଲୋକ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସେ ପୁଣି ତାଙ୍କ ସ୍ବାଭାବିକ ଜୀବନ ବଞ୍ଚି ପାରିବେ। ଏଥିପ୍ରତି ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe