ଭଦ୍ରକ ଦୁର୍ଘଟଣା: ସିଏମ୍‌ଓଙ୍କ ସହ ନେତା-ଅଧିକାରୀ ଆଲୋଚନା, ହଟିଲା ରାସ୍ତା ଅବରୋଧ, ମୃତକ ପରିବାର ପ୍ରତି ମିଳିବ ୪ ଲକ୍ଷ ଟଙ୍କା

Advertisment
ଭଦ୍ରକ ଦୁର୍ଘଟଣା: ସିଏମ୍‌ଓଙ୍କ ସହ ନେତା-ଅଧିକାରୀ ଆଲୋଚନା, ହଟିଲା ରାସ୍ତା ଅବରୋଧ, ମୃତକ ପରିବାର ପ୍ରତି ମିଳିବ ୪ ଲକ୍ଷ ଟଙ୍କା

ଭଦ୍ରକ: ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ଆଲୋଚନା କରିବା ପରେ ଗୁରୁବାର ରାତି ୯ଟା ୪୫ରେ ରାସ୍ତା ଅବରୋଧ ହଟିଛି। ବିଭିନ୍ନ ଦାବି ନେଇ ପ୍ରାୟ ୫୦୦୦ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିବା ପରେ ପୁଲିସ ଘଟଣାସ୍ଥଳରୁ ୪ଜଣ ଛାତ୍ରଛାତ୍ରୀଙ୍କ ମୃତଦେହକୁ ଛୁଇଁ ପାରି ନଥିଲା। ଫଳରେ ପ୍ରାୟ ୧୦ ପ୍ଲାଟୁନ ପୁଲିସ ଡକାଯାଇଥିଲା। ଘଟଣାସ୍ଥଳକୁ ମହିଳା ଶିଶୁ ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ଯୁଗଲ କିଶୋର ପଟ୍ଟନାୟକ, ଜିଲ୍ଲାପାଳ ଜ୍ଞାନ ଦାସ, ଏସ୍‌.ପି. ଡକ୍ଟର ବାତୁଲା ଗଙ୍ଗାଧର ଓ ସିଡିଏମ୍‌ଓ ଡ.ମହମ୍ମଦ ଅବଦୁଲା ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଉତ୍ତେଜିତ ଲୋକେ ବୁଝିବାକୁ ପ୍ରସ୍ତୁତ ନଥିଲେ।

ପରେ ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆଲୋଚନା ପରେ ଏହାକୁ ୪ ଲକ୍ଷ ଟଙ୍କା କରି ଦିଆଯାଇଛି। ସେହିଭଳି ଭଦ୍ରକ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି। ଆହତ ଛାତ୍ରଛାତୀଙ୍କ ପରିବାର ଲୋକେ ୫ ହଜାର ଟଙ୍କା ଲେଖାଏଁ ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ସହାୟତା ଦିଆଯାଇଛି। ସେହିପରି ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି।

publive-image

ମାତ୍ର ଏହା ପୂର୍ବରୁ ସ୍ଥାନୀୟ ଉତ୍ତେଜିତ ଲୋକେ ରାସ୍ତା ଅବରୋଧ କରି ହଜାର ହଜାର ସଂଖ୍ୟାରେ ଯାନବାହନ ଅଟକାଇ ଦେଇଥିଲେ। ଫଳରେ ଯାତାୟତ ପ୍ରଭାବିତ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଟ୍ରକରେ ନିଅାଁ ସଂଯୋଗ କରିବା ପରେ ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ଶେଷରେ ପୁଲିସ ମୃଦୁ ଲାଠି ଚାଳନା କରିବା ସହିତ ରବର ବୁଲେଟ ପ୍ରହାର କରିଥିଲା ଓ ଲୁହବୁହା ଗ୍ୟାସ ଛାଡ଼ିଥିଲା। ଭୟରେ ଲୋକମାନେ ଗାଁ ଭିତରକୁ ପଶିଯାଇଥିଲେ। ପୁଲିସ ୪ ଛାତ୍ରଛାତ୍ରୀଙ୍କର ମୃତଦେହକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଛି।

publive-image

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ରାଣୀତାଲ ହାଇ ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀ ଘରକୁ ଫେରୁଥିଲେ। ଏହି ସମୟରେ ରାହାଞ୍ଜ ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ୧୦ ଚକିଆ ଟ୍ରକ ରାସ୍ତା ପାର ହେଉଥିବା ପିଲାମାନଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଓ ୫ ଜଣ ଗୁରୁତର ହୋଇଥିଲେ। ମୃତକ ମାନେ ହେଲେ ସତ୍ୟବ୍ରତ ବାରିକ, କଳ୍ପନା ଜେନା, କେତା ସାହୁ, ସୁକାନ୍ତ ସାହୁ ଓ ପ୍ରିୟମ୍ବଦା ମହାନ୍ତି ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ଗୁରୁତର ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ୨ ଛାତ୍ରଛାତ୍ରୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe