ବଦଳିବେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି! ଦାୟିତ୍ବ ନେବାକୁ ବରିଷ୍ଠ ନେତା ଅମଙ୍ଗ

Advertisment
ବଦଳିବେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି! ଦାୟିତ୍ବ ନେବାକୁ ବରିଷ୍ଠ ନେତା ଅମଙ୍ଗ

Athrav

ଭଦ୍ରକ:  ପିସିସି ସଭାପତି ବଦଳିବା ପରେ ଭଦ୍ରକ ଜିଲ୍ଲା କଂଗ୍ରେସ  କିମିଟିର ସଭାପତି ପରିବର୍ତ୍ତନ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଶରତ ପଟ୍ଟନାୟକ ନୂତନ ଭାବେ ପିସିସି ସଭାପତି ହେବା ପରେ ଶରତ ତାଙ୍କର ନୂଆ ଟିମ୍ ଗଠନ କରିବା ପାଇଁ  ପ୍ରୟାସ ଆରମ୍ଭ କରିଛନ୍ତି।  ଏବେ  ଭଦ୍ରକ ଜିଲ୍ଲା  କଂଗ୍ରେସ କମିଟିର ସଭାପତି ଅଛନ୍ତି ସୁବ୍ରତ ଦାସ। ସୁବ୍ରତ ସଭାପତି ରହିବେ ନା ସୁବ୍ରତଙ୍କ ସ୍ଥାନରେ ଶରତ ଆଉ କାହାକୁ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜିଲ୍ଲାର  ନୂଆ ସଭାପତି  ନେଇ  ଯେଉଁମାନଙ୍କ ନାମ ଚର୍ଚ୍ଚାରେ ରହିଛି ସେମାନଙ୍କ ମଧ୍ୟରେ  ଚର୍ଚ୍ଚାର ସବୁଠାରୁ ଆଗରେ  ଅଛନ୍ତି  କଂଗ୍ରେସ ନେତା  ଶୁଭେନ୍ଦୁ  ରାୟ ମହାପାତ୍ର,  ଦେବରୂପ ମହାନ୍ତି, ମଧୁମିତା ସେଠୀ,  ସତ୍ୟାନନ୍ଦ ରାଉତ।

ଏହି ଯୁବନେତାଙ୍କ ନାମକୁ ନେଇ ଚର୍ଚ୍ଚା ଅଧିକ ହେଉଥିବା ବେଳେ  ଜିଲ୍ଲାର  ପୂର୍ବତନ କଂଗ୍ରେସ  ସଭାପତି ଅଶୋକ ଦାସ, ନରେନ ପଲେଇ, କଂଗ୍ରେସ ନେତା ଦେବ ମହାନ୍ତି, ଦିଗମ୍ବର ଦାସ, ନଳିନୀକାନ୍ତ  ମହାନ୍ତି, ମନୋଜ ବିଶ୍ବାଳଙ୍କ ନାମକୁ  ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ କାହାକୁ ଜିଲ୍ଳା ସଭାପତି କରାଯିବ  ସେ ନେଇ କୌଣସି  ନିଷ୍ପତ୍ତି ଚୂଡାନ୍ତ ହୋଇ ପାରିନାହିଁ।   ଗତ ସାଧାରଣ ନିର୍ବାଚନ ବେଳେ କଂଗ୍ରେସ  ଜିଲ୍ଳାରେ  ଶୋଚନୀୟ  ଅବସ୍ଥାରେ  ରହିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପଞ୍ଚାୟତ  ଓ ପୌର ନିର୍ବାଚନରେ ମଧ୍ୟ କଂଗ୍ରେସ ସଂଗଠନ ଜିଲ୍ଳାରେ ଆହୁରି ଦୁର୍ବଳ  ହୋଇ ପଡିଛି।  ଦଳୀୟ ନେତୃତ୍ବକୁ ବିରୋଧ କରି ବହୁ ତୃଣମୂଳସ୍ତରର  କଂଗ୍ରେସ  ନେତା   ବିଜେଡି  ଓ  ବିଜେପିରେ ସାମିଲ  ହୋଇଛନ୍ତି। ଏହି ନେତାମାନେ ପୁଣି କଂଗ୍ରେସକୁ ଫେରିବାକୁ ଯୋଜନା କରୁଛନ୍ତି। କିନ୍ତୁ ନେତୃତ୍ବ ପରିବର୍ତ୍ତନ  ନ ହେଲେ ଏମାନେ ଦଳକୁ ଫେରିବା ସମ୍ଭବ ନୁହେଁ ବୋଲି ଆଲୋଚନା ହେଉଛି। ଅନେକ  କଂଗ୍ରେସ ନେତା ଦଳରେ ରହିଥିଲେ ମଧ୍ୟ  ସଂଗଠନ ଠାରୁ  ଦୂରେଇ  ରହିଛନ୍ତି ।

ଜିଲ୍ଲାରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କଂଗ୍ରେସ କୌଣସି ପ୍ରସଙ୍ଗ ଉପରେ ସ୍ବର ଉଠାଉ ନଥିବା କାରଣରୁ ଦଳୀୟ କର୍ମୀ ଓ ନେତାମାନେ  ଜିଲ୍ଲା ନେତୃତ୍ବ ଠାରୁ ଦୂରେଇ ରହିଛନ୍ତି। ଜିଲ୍ଳାରେ  କଂଗ୍ରେସର  ସଂଗଠନ  ଏଭଳି ଦୁର୍ବଳ ଅବସ୍ଥାରେ ଥିବାବେଳେ  ପିସିସି ସଭାପତି  ପରିବର୍ତ୍ତନ ପରେ ପୁଣି  ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠନ  ହେବ ବୋଲି ବହୁ କଂଗ୍ରେସ କର୍ମୀ ଓ ନେତା  ଆଶାବାଦୀ ଅଛନ୍ତି। କଂଗ୍ରେସର ଦୁର୍ବଳ ସଂଗଠନ କର୍ମୀଙ୍କ ମନୋବଳକୁ ଭାଙ୍ଗି ଦେଇଥିବା ବେଳେ ବିଜେଡିର ଦବ୍‌ଦବାକୁ ନେଇ କଂଗ୍ରେସର ବରିଷ୍ଠ ନେତାମାନେ  ଜିଲ୍ଲା  କଂଗ୍ରେସ ସଭାପତି  ହେବାକୁ ମଙ୍ଗୁ ନାହାନ୍ତି। ଜିଲ୍ଲାରେ ଦୁଇ ପ୍ରଭାବୀ କଂଗ୍ରେସ ନେତା ପୂର୍ବତନ ସାଂସଦ  ଅନନ୍ତ ପ୍ରସାଦ ସେଠୀ  ଓ  ପୂର୍ବତନ ବିଧାୟକ ନରେନ ପଲେଇଙ୍କ ଭୂମିକା ଆଗାମୀ  ଦିନରେ କଣ ରହିବ ତାହାର ଉପରେ ସମସ୍ତଙ୍କ ନଜର ରହିଛି। ରାଜ୍ୟରେ ବିଜେଡି ସଂଗଠନ ସୁଦୃଢ ଥିବା ବେଳେ କଂଗ୍ରେସ  କିଭଳି ଭଦ୍ରକରେ  ନିଜର  ସଂଗଠନ  ଆରମ୍ଭ କରିବ। ତାକୁ ନେଇ ମଧ୍ୟ ପର୍ଯ୍ୟାଲୋଚନା ହେଉଛି।

ଜିଲ୍ଲାରେ କାହାକୁ ନେତୃତ୍ବ ଦେଲେ  ଦଳକୁ ସହାୟକ ହେବ ତାକୁ ନେଇ ଦଳର ଏକ ଟିମ୍ ଭଦ୍ରକର ବିଭିନ୍ନ ନେତୃବର୍ଗଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ସବୁବର୍ଗର କଂଗ୍ରେସ କର୍ମୀଙ୍କୁ ସାଥୀରେ ନେଇ ଆଗାମୀ ଦିନରେ କେଉଁ ନେତା ଚାଲି ପାରିବେ ଓ ଦୁର୍ବଳ କଂଗ୍ରେସ ସଂଗଠନକୁ ସବଳ କରିବେ ତାହା  ଉପରେ  ତର୍ଜମା ହେଉଛି।  ଭଦ୍ରକ ଜିଲ୍ଳାରେ କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ମଧ୍ୟ ବିଚାରବିମର୍ଶ ଚାଲିଛି। ବରିଷ୍ଠ ନେତାଙ୍କର ପରାମର୍ଶ କ୍ରମେ  ଯୁବନେତାଙ୍କୁ  ଦଳ ହୁଏତ ଏଥର  ଜିଲ୍ଲା ସଭାପତି ପଦ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା  ୨ ତାରିଖ ଦିନ ଏହି ପ୍ରସଙ୍ଗରେ ଆଲୋଚନା ନେଇ କିଛି ଭଦ୍ରକ  କଂଗ୍ରେସ  ନେତାଙ୍କୁ  ଭୁବନେଶ୍ବର ଡକାଯାଇଛି।  ଦଳୀୟ  ନେତାମାନଙ୍କ ସହ ଆଲୋଚନା ପରେ ଜିଲ୍ଲା ସଭାପତି ବଦଳିବା ଉପରେ  ଚିନ୍ତା କରାଯିବ  ବୋଲି ଜଣାପଡ଼ିଛି।  ତେବେ ଆଗାମୀ ଦିନରେ ଦଳ କାହାକୁ ଜିଲ୍ଲା ସଭାପତି  ଆସନରେ ବସାଇବ  ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe