ଭଦ୍ରକ ଲୋକସଭା ଆସନ: ପୁରୁଣା ପ୍ରାର୍ଥୀଙ୍କୁ ନେଇ ମଇଦାନରେ ୩ ପ୍ରମୁଖ ଦଳ

Advertisment
ଭଦ୍ରକ ଲୋକସଭା ଆସନ: ପୁରୁଣା ପ୍ରାର୍ଥୀଙ୍କୁ ନେଇ ମଇଦାନରେ ୩ ପ୍ରମୁଖ ଦଳ

ଭଦ୍ରକ: ଭଦ୍ରକ ଜିଲ୍ଲାର ଭଦ୍ରକ, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି ସହ ବାଲେଶ୍ବର ଜିଲ୍ଲାର ସୋର ଓ ସିମୁଳିଆ ନିର୍ବାଚନମଣ୍ଡଳୀକୁ ନେଇ ଭଦ୍ରକ ଲୋକସଭା ଆସନ ଗଠିତ। ଏହି ଆସନ ଦଖଲ ପାଇଁ ବିଜେଡି ଟିକେଟରେ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ବିଜେପି ଟିକେଟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅଭିମନ୍ୟୁ ସେଠୀ ନିର୍ବାଚନ ଲଢ଼ୁଛନ୍ତି। ସେହିପରି କଂଗ୍ରେସ ଗତଥରର ପ୍ରାର୍ଥୀ ମଧୁମିତା ସେଠୀଙ୍କ ବଦଳରେ ତାଙ୍କ ବାପା ଅନନ୍ତ ପ୍ରସାଦ ସେଠୀଙ୍କୁ ପ୍ରାର୍ଥୀ କରିଛି। ଭଦ୍ରକ ଲୋକସଭା ଆସନକୁ ବିଜେଡି ଲଗାତାର ଷଷ୍ଠଥର ପାଇଁ ଦଖଲ କରିସାରିଛି। ଏଥର ମଧ୍ୟ ଗଡ଼ ରକ୍ଷା ଲକ୍ଷ୍ୟରେ ଦଳ ମହିଳା କାର୍ଡ ଖେଳିବା ସହ ପୁଣି ସାଂସଦ ମଞ୍ଜୁଲତାଙ୍କୁ ଟିକେଟ ଦେଇଛି। ଗତ ନିର୍ବାଚନରେ ମୋଦୀ ଲହର ସତ୍ତ୍ବେ ମଞ୍ଜୁଲତା ବିଜେପି ପ୍ରାର୍ଥୀ ଅଭିମନ୍ୟୁଙ୍କୁ ୨୮,୭୯୧ ଭୋଟ୍‌ରେ ପରାସ୍ତ କରିଥିଲେ। ୫ ବର୍ଷ ମଧ୍ୟରେ ହୋଇଥିବା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ସେ ପୁଣିଥରେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି।

ସେହିପରି ବିଜେପିର ଅଭିମନ୍ୟୁ ଜଣେ ଯୁବ ଚେହେରା ଭାବେ ଗତଥର ପ୍ରଥମକରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ୪,୮୪,୨୫୪ (୩୯.୪୩ ପ୍ରତିଶତ) ଭୋଟ ପାଇ ବିଜେଡିକୁ ଟକ୍କର ଦେଇଥିଲେ। ଏଥର ମଧ୍ୟ ସେ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାମକୁ ଆୟୁଧ କରି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ଅନନ୍ତ ନିଜର ଲମ୍ବା ଅଭିଜ୍ଞତାକୁ ପୁଞ୍ଜି କରି ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ୧୯୮୪ ମସିହାରେ ଅନନ୍ତ ଏଠାରୁ ଜନତା ପାର୍ଟିର ମଙ୍ଗରାଜ ମଲ୍ଲିକଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ। ତେବେ ବିଜେଡିର ମଞ୍ଜୁଲତା, ବିଜେପିର ଅଭିମନ୍ୟୁ ଓ କଂଗ୍ରେସର ଅନନ୍ତ; କେହି କାହାଠାରୁ କମ୍‌ ନଥିବା ବେଳେ ସମସ୍ତେ ବିଜୟୀ ହେବା ନେଇ ଆଶା ବାନ୍ଧିଛନ୍ତି। ଏପରି ସମୟରେ ଭଦ୍ରକ ଲୋକସଭା ନିର୍ବାଚନରେ ଏଥର ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୀତିଜ୍ଞମାନେ ଭବିଷ୍ୟବାଣୀ କରିସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe