Photograph: (Sambad.in)
ଭଦ୍ରକ: ଭଦ୍ରକ ଟାଉନ ପୁଲିସକୁ ମିଳିଛି ବଡ଼ ସଫଳତା। ଏକ କବାଡ଼ିଆ ଗୋଦାମ ଉପରେ ଚଢ଼ାଉ କରି ପ୍ରାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବିଦ୍ୟୁତ୍ ତାର ଜବତ କରିଛି। ଚଢ଼ାଉ ଜାରି ରହିଥିବା ବେଳେ ଜବତ ତାର ଆହୁରି ଅଧିକ ପରିମାଣରେ ମିଳିବ ବୋଲି ଚଢ଼ାଉରେ ସାମିଲ ଥିବା ପୁଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏଥିରେ ୬ ଜଣରୁ ଅଧିକ ପୁଲିସ କର୍ମଚାରୀ ମୁତୟନ ଅଛନ୍ତି।
ସୂଚନା ଅନୁସାରେ, ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ହଲଦିଡ଼ିହ ବାଇପାସ୍ ନିକଟରେ ଥିବା ଏକ କବାଡ଼ିଆ ବାଲାଙ୍କ ନିକଟରୁ ଚୋରା ବିଦ୍ୟୁତ୍ ତାର ଜବତ କରିଥିଲା। ଭଦ୍ରକ ଟାଉନ ପୁଲିସ ଖବର ପାଇ ଆଜି କବାଡିଆ ଗୋଦାମ ଉପରେ ଅଚାନକ ଭାବରେ ଚଢ଼ାଉ କରିଥିଲା। ପୁଲିସ ଚଢ଼ାଉ କରି ଟ୍ରକରେ ଥିବା ବିଦ୍ୟୁତ ତାର ଜବତ କରିଛି।
ବର୍ତ୍ତମାନ ସୁଦ୍ଧା ଏହି କବାଡ଼ିଆ ଗୋଦାମରୁ ଦୁଇଟି ଟ୍ରକରେ ପ୍ରାୟ ଦେଢ଼ ଟ୍ରକ୍ ତାର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି। ମିଶ୍ରଙ୍କ ତତ୍ତ୍ଵlବଧାନରେ ଚୋରି, ଧଳାଜହର, ଗୋରୁଗାଡ଼ି ପାଇଁ ଏକ ଚାରି ଜଣିଆ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଆଜି ଚଢ଼ାଉ କରି ବିଦ୍ଯୁତ ତାର ଚୋରି ରକେଟର ପର୍ଦ୍ଦାଫାସ କରିଛନ୍ତି।
ଆଜି ଟାଉନ ପୁଲିସ ଦୁଇଟି ଚୋରା ତାର ବୋଝେଇ କଣ୍ଟେନର ଜବତ କରିଛି। ଏହି ତାର ବୋଝେଇ ଟ୍ରକକୁ ଟାଉନ ପୁଲିସ ଥାନାକୁ ଆଣିଛି। ରାକେଟରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବ ବୋଲି ପୁଲିସ କହିଛି। ଜବତ ହୋଇଥିବା ପ୍ରାୟ ଏକ କୋଟି ଟଙ୍କାର ବିଦ୍ୟୁତ୍ ତାର ସମ୍ପର୍କରେ ଆହୁରି ତଦନ୍ତ ଚାଲିଛି। ଏହି ଘଟଣାରେ ଥାନାରେ କୌଣସି ମାମଲା ରୁଜୁ କରାଯାଇନାହିଁ। ଆସନ୍ତାକାଲି ଘଟଣା ସମ୍ପର୍କରେ ମାମଲା ରୁଜୁ କରାଯିବ। ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କରିଛନ୍ତି।
Odisha | Bhadrak
Follow Us