ଦୀର୍ଘ ୮ଘଣ୍ଟାର ଅପରେସନ୍ ପରେ ବି ପୋଖରୀକୁ ଖସି ପଡ଼ିଥିବା ଟ୍ରକ୍‌ ଭିତରୁ ଉଦ୍ଧାର ହୋଇ ପାରୁନାହାନ୍ତି ଚାଳକ, ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ

ଦୀର୍ଘ ୮ଘଣ୍ଟାର ଅପରେସନ୍ ପରେ ବି ପୋଖରୀକୁ ଖସି ପଡ଼ିଥିବା ଟ୍ରକ୍‌ ଭିତରୁ ଉଦ୍ଧାର ହୋଇ ପାରୁନାହାନ୍ତି ଚାଳକ, ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ

ଭଦ୍ରକ: ଗୁରୁବାର ପ୍ରତ୍ୟୁଷରେ ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀଠାରେ ଏକ ସଡ଼କ ଦୁର୍ଘଟଣା ହୋଇଥିଲ। ଏହି ଦୁର୍ଘଟଣାରେ କେନ୍ଦୁଝରରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ରାଜପଥ ସମ୍ପ୍ରସାରଣରେ କାମ କରୁଥିବା ଦୁଇଟି ଟ୍ରକକୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାଜପଥ ପାର୍ଶ୍ୱରେ ଥିବା ପୋଖରୀ ଭିତରକୁ ଗଳି ପଡ଼ିଥିଲା। ଫଳରେ ଟ୍ରକ ଭିତରେ ଚାଳକ ଚାପି ହୋଇ ରହି ଯାଇଥିଲେ।

publive-image

ସକାଳୁ ସନ୍ଧ୍ୟା ହୋଇଗଲା କିନ୍ତୁ ଉଦ୍ଧାର ହୋଇପାରୁନାହାନ୍ତି ଡ୍ରାଇଭର । ଦୀର୍ଘ ୮ଘଣ୍ଟାରୁ ଊର୍ଧ୍ୱ ସମୟ ଧରି ଚାଲିଥିବା ମିଳିତ ଅପରେସନ ପରେ ବି ପୋଖରୀ ଭିତରେ ବୁଡି ରହିଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଚାଳକଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ। ଜୀବନ ମରଣ ସହ ସଂଘର୍ଷ କରି ବଞ୍ଚିବା ପାଇଁ ନିଜେ ଆପ୍ରାଣ ଉଦ୍ୟମ କରୁଛନ୍ତି ଚାଳକ।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ, ପୁଲିସ ଏବଂ ଚେନ୍ ପୁଲି ସମସ୍ତେ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଟ୍ରକ୍‌ ତଳୁ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଦୀର୍ଘ ୮ଘଣ୍ଟାରୁ ଊର୍ଧ୍ୱ ସମୟ ହେବ ଏହି କାର୍ଯ୍ୟ ଜାରି ରହିଥିଲେ ହେଁ ଚାଳକଙ୍କୁ ଉଦ୍ଧାର କରା ଯାଇପାରୁନାହିଁ। ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଥିବାରୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ଏହି ଟ୍ରକ୍‌ଟି କଟକ ଆଡ଼ୁ ଆସୁଥିବା ବେଳେ ଭଦ୍ରକ ଜିଲ୍ଲାର ଆଖୁଆପଦା ଛକରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ଯିବାକୁ ଉଦ୍ୟତ ହେଉଥିଲା। ଏହି ସମୟରେ ଟ୍ରକ୍‌ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଛକ ନିକଟରେ ଭାରସାମ୍ୟ ହରାଇ ଏକ ପୋଖରୀ ମଧ୍ୟକୁ ଖସିପଡ଼ିଥିଲା। ଏହାଫଳରେ ଟ୍ରକର ସାମ୍ନାପଟ ପାଣିରେ ବୁଡ଼ି ଯାଇଥିବା ବେଳେ ଚାଳକ ତା’ ମଧ୍ୟରେ ଫସି ଯାଇଥିଲେ।

publive-image

ଏହି ଦୁର୍ଘଟଣା ସମୟରେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚି ୫ଟି ପମ୍ପ ସାହାଯ୍ୟରେ ପାଣି ବାହାର କରିବା କାମରେ ଲାଗିଥିଲେ। ଏହି ସମୟରେ ୧୬ ନଂ ଜାତୀୟ ରାଜପଥରେ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe