ଭୁବନେଶ୍ବର: ଭାରତ ସରକାର ୨୦୨୪ ମସିହା ପାଇଁ ସମ୍ମାନ ଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ଏହି ତାଲିକାରେ ୨ ଜଣ ପ୍ରତିଭା ଅଛନ୍ତି। ଏହି ଦୁଇ ପ୍ରତିଭା ହେଲେ ଶବ୍ଦ ନୃତ୍ୟର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ଓ ଲୋକନାଟକ ‘କୃଷ୍ଣ ଲୀଲା’ କଳାକାର ଗୋପୀନାଥ ସ୍ବାଇଁ।
୮୫ ବର୍ଷୀୟ ଶବ୍ଦ ନୃତ୍ୟ କଳାକାର ଭାଗବତ ପ୍ରଧାନ ବରଗଡ଼ ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି। ଦୀଘ ପାଞ୍ଚ ଦଶନ୍ଧି ଧରି ଏହି ନୃତ୍ୟ କରି ଏହି କଳାକୁ ଲୋକପ୍ରିୟ କରିବାରେ ବଡ଼ ଭୂମିକା ତୁଲାଇଛନ୍ତି। ସେ ନିଜସ୍ବ ଉଦ୍ୟମରେ ୬୦୦ରୁ ଉର୍ଦ୍ଧ୍ବ କଳାକାରଙ୍କୁ ନୃତ୍ୟ ତାଲିମ ଦେଇଛନ୍ତି। ୧୯୬୦ ମସିହାରୁ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଆର୍ଥିକ ସଂକଟ ଦେଇ ଜୀବନ ଅତିବାହିତ ହୋଇଥିଲେ ମଧ୍ୟ କଳାର ପ୍ରଚାର ପ୍ରସାର ପାଇଁ କେବେ ଅବହେଳା କରି ନଥିଲେ।
ସେହପିର ଗଂଜାମ ଜିଲ୍ଲା ସେରଗଡ଼ ବ୍ଲକ ଅଧୀନ ଗୋବିନ୍ଦପୁର ଗାଁର କଳାକାର ଗୋପୀନାଥ ସ୍ବାଇଁ (୧୦୫) ଲୋକନାଟକ କୃଷ୍ଣ ଲୀଳାର ସଂରକ୍ଷଣ ଓ ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ପାରଂପରିକ ଶୈଳୀରେ କୃଷ୍ଣ ଲୀଳାର ପୂରାତନ ଓ ଆଧୁନିକତାର ମଧ୍ୟରେ ସେତୁ ପ୍ରତିଷ୍ଠା କରିବାକୁ ଉଦ୍ୟମ କରିଛନ୍ତି। ଆଖଡା (ପାରଂପାରିକ ଗାଁ ସ୍କୁଲ) ପ୍ରତିଷ୍ଠା କରି ଶତାଧିକ ଶିଷ୍ୟଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ୫ ବର୍ଷ ବୟସରୁ ସେ କୃଷ୍ଣ ଲୀଳା ପ୍ରତି ଆକୃଷ୍ଟ ହୋଇଥିଲେ।
Follow Us