ଭାଗଚାଷୀ ପ୍ରସଙ୍ଗ: ସରକାରଙ୍କୁ ଅକଳରେ ପକାଇଲେ ନରସିଂହ, କୃଷି ମନ୍ତ୍ରୀ ଏଡ଼ାଇଗଲେ

Advertisment
ସମବାୟ ସଚିବଙ୍କ ପତ୍ର: ୩୧ ଅଗଷ୍ଟ ସୁଦ୍ଧା ଚାଷୀଙ୍କୁ ବକେୟା ନଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଭାଗଚାଷୀ ପ୍ରସଙ୍ଗ ନେଇ ବୁଧବାର ଦିନ ପ୍ରଶ୍ନକାଳରେ ସରକାରଙ୍କୁ ଅକଳରେ ପକାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ରାୟଗଡ଼ା ଜିଲ୍ଲାରେ ଚାଷ ଓ ଚାଷୀଙ୍କ ବିକାଶ ସଂକ୍ରାନ୍ତୀୟ ମକରନ୍ଦ ମୁଦୁଲିଙ୍କ ମୂଳ ପ୍ରଶ୍ନ ଉପରେ ଆଲୋଚନା ଚାଲିଥିଲା ବେଳେ ଶ୍ରୀ ମିଶ୍ର ଅତିରିକ୍ତ ପ୍ରଶ୍ନ ପଚାରି କହିଥିଲେ, ନିତି ଆୟୋଗ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଚାଷୀଙ୍କ ହାରାହାରି ବାର୍ଷିକ ଆୟ ୫,୧୧୨ ଟଙ୍କା। ରାୟଗଡ଼ା ଜିଲ୍ଲାରେ ଚାଷୀଙ୍କ ବାର୍ଷିକ ଆୟ କେତେ? ସରକାର ବହୁତ ପଦକ୍ଷେପ ନେଇଥିବା କହୁଛନ୍ତି ମାନେ ଆୟ ବଢ଼ିବା କଥା। ଭାଗ ଚାଷୀଙ୍କୁ ସରକାରୀ ସହାୟତା ଦିଆଯାଉଛି ବୋଲି କୃଷି ମନ୍ତ୍ରୀ କହୁଛନ୍ତି। ଆମ ରାଜ୍ୟରେ ଭାଗ ଚାଷୀ ବେଆଇନ୍। ଯିଏ ଭାଗ ଚାଷ କରୁଛନ୍ତି, ସେମାନଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ରାଜ୍ୟ ସରକାର ସହାୟତା‌ କିପରି ଦେଉଛନ୍ତି?

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଦୁଇଟି ମାପକାଠିରେ ନିତି ଆୟୋଗ ଚାଷୀଙ୍କ ବାର୍ଷିକ ଆୟ ହିସାବ କରୁଛନ୍ତି। ସେଥିରେ ତାଳମେଳ ଠିକ୍ ରହୁନି। ରାୟଗଡ଼ା ଜିଲ୍ଲାର ଚାଷୀଙ୍କ ଆୟ ସମ୍ପର୍କରେ ପରେ ତଥ୍ୟ ‌ଦିଆଯିବ।

ମନ୍ତ୍ରୀ ଭାଗ ଚାଷୀଙ୍କ ପ୍ରଶ୍ନ ଉପରେ କିଛି ନ କହିବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ, ଭାଗ ଚାଷୀ ବେଆଇନ କି ନାହିଁ, ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ସରକାର ସେମାନଙ୍କୁ କିପରି ସହାୟତା ଦେଉଛନ୍ତି? ମନ୍ତ୍ରୀ ଶ୍ରୀ ସ୍ବାଇଁ ଏହା ରାଜସ୍ବ ବିଭାଗର ପ୍ରସଙ୍ଗ ବୋଲି କହିଥିଲେ। ଶ୍ରୀ ମିଶ୍ର ପାଲଟା ପ୍ରଶ୍ନ କରିଥିଲେ, ଯଦି ମନ୍ତ୍ରୀ ଉତ୍ତର ନ ଦେବେ, ତେବେ ପ୍ରଶ୍ନୋତ୍ତର କାହିଁକି ହେଉଛି? ଯାହା ଇଚ୍ଛା ଉତ୍ତର ଦେଇଦେଲେ ହେବ ନାହିଁ। କିନ୍ତୁ ମନ୍ତ୍ରୀ ସେହି ପ୍ରସଙ୍ଗକୁ ଏଡ଼ାଇଯାଇଥିଲେ।

ରାୟଗଡ଼ା ଜିଲ୍ଲାରେ ଚାଷର ବିକାଶ ସମ୍ପର୍କରେ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ତଥ୍ୟ ଦେଇଥିଲେ। ମୂଳ ପ୍ରଶ୍ନକର୍ତ୍ତା ମକରନ୍ଦ ମୁଦୁଲି ରାୟଗଡ଼ାରେ ତେନ୍ତୁଳି ଅଧିକ ଉତ୍ପାଦନ ହେଉଥିବାରୁ ସେଠାରେ ଏକ ପ୍ରକ୍ରିୟାକରଣ ୟୁନିଟ୍‌ ପାଇଁ ପ୍ରସ୍ତାବ ଦେଇଥିଲେ। ସୁରେଶ ରାଉତରାୟ, ର‌ମେଶ ସାଏ ଓ ସନାତନ ବିଜୁଳି ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। ବଜେଟ୍‌ ଆଲୋଚନା ବେଳେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ପୁନର୍ବାର ଭାଗଚାଷୀଙ୍କୁ କିପରି ସହାୟତା ମିଳୁଛି ବୋଲି ପ୍ରଶ୍ନ କରିଥିଲେ। ଉତ୍ତର ଦେଲା ବେଳେ ଅର୍ଥ ମନ୍ତ୍ରୀ ମଧ୍ୟ ତାହାକୁ ଏଡ଼ାଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe