ଧମା: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ହୁମା ଗ୍ରାମର ଜଣେ ସଫଳ ଉଦ୍ୟୋଗୀ ମହିଳା ହେଉଛନ୍ତି ଭଗବତୀ ମେହେର (୩୫)। ସେ ସମ୍ବଲପୁରୀ ଶାଢ଼ି ବୁଣି ସେଥିରୁ ବାର୍ଷିକ ଲକ୍ଷାଧିକ ଟଙ୍କା ଉପାର୍ଜନ କରିବା ସହିତ ଗାଁର ୨୩ ଜଣ ମହିଳାଙ୍କୁ ବି ରୋଜଗାର ଯୋଗାଇବାରେ ସହାୟକ ହୋଇଛନ୍ତି। ଭଗବତୀ କହନ୍ତି, ଶାଢ଼ି ବୁଣିବା ଆମର କୌଳିକ ବୃତ୍ତି ହୋଇଥିଲେ ମଧ୍ୟ ସେ ଏହି କାମ ଶିଖି ନଥିଲେ। ୨୦୦୫ ମସିହାରେ ସେ ବସନ୍ତ ମେହେରଙ୍କୁ ବିବାହ କରିବା ପରେ ଲୁଗା ବୁଣିବା କାମ ଶିଖିଲେ। ପୂର୍ବରୁ ତାଙ୍କ ସ୍ୱାମୀ ବସନ୍ତ ମେହେର ଶାଢ଼ି ବୁଣୁଥିଲେ। ଫଳରେ ଲୁଗା ବୁଣିବା କାମ ଶିଖିବା ପାଇଁ ତାଙ୍କର ଆଗ୍ରହ ବଢ଼ିଥିଲା।
ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ଉଦ୍ୟମ ବଳରେ ଭଗବତୀ ଶାଢ଼ି ବୁଣିବାରେ ଏବେ ନିପୁଣା ହୋଇଯାଇଛନ୍ତି। ଗତ ୧୦ ବର୍ଷ ହେଲା ସେ ନିଜେ ଶାଢ଼ି ପ୍ରସ୍ତୁତ କରୁଛନ୍ତି। କେବଳ ସେତିକି ନୁହେଁ, ଗାଁର ଅନ୍ୟ ମହିଳାମାନଙ୍କୁ ବି ଏହି କାମ ଶିଖାଇଛନ୍ତି। ସେ ନିଜେ ମାସକୁ ପ୍ରାୟ ୯/୧୦ ଖଣ୍ଡ ଶାଢ଼ି ବୁଣିବା ସହ ବର୍ଷକୁ ଲକ୍ଷାଧିକ ଟଙ୍କା ଉପାର୍ଜନ କରୁଛନ୍ତି। ଭଗବତୀଙ୍କ ଦ୍ବାରା ଗଠିତ ଜାଗୃତି ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ଶାଢ଼ି ବୁଣି ଭଲ ଅର୍ଥ ରୋଜଗାର କରୁଛନ୍ତି। ଭଗବତୀ କହିଛନ୍ତି, ଏବେ ଆମେ ସାହୁକାରଠାରୁ ସୂତା ଆଣି ଶାଢ଼ି ବୁଣୁଛୁ। ଶାଢ଼ି ବୁଣିବା ପରେ ତାଙ୍କୁ ବିକ୍ରି ପାଇଁ ଯୋଗାଇ ଦେଇଥାଉ। ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଆମେ ଅଧିକ ଅର୍ଥ ଉପାର୍ଜନ ସହିତ ପ୍ରଗତି ପଥରେ ଅଗ୍ରସର ହୋଇପାରନ୍ତୁ।
Follow Us