ଭଣ୍ଡାରିପୋଖରୀ: ଭେଟେରାନ୍‌ ଲଢ଼ିବେ ନା ନୂଆ?

Advertisment
ଝାରସୁଗୁଡ଼ା ଉପନିର୍ବାଚନ: ଆଦିବାସୀ, ଅଘରିଆ ଭୋଟରଙ୍କ ଉପରେ ନଜର

ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ। ଏହି ଆସନରୁ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଲଗାତର ୩ ଥର ନିର୍ବାଚନ ଜିତି ହ୍ୟାଟ୍ରିକ୍‌ କରିଛନ୍ତି। ତେଣୁ ଏଥର ବି ବିଜୟଧାରାକୁ ଅବ୍ୟାହତ ରଖିବା ଲାଗି ତାଙ୍କ ସମର୍ଥକ ଚାହିବା ସ୍ବାଭାବିକ। ତେବେ ଚିନ୍ତାର କାରଣ ହେଉଛି; ୨୦୦୯ରେ ୪୪ ପ୍ରତିଶତ ଓ ୨୦୧୪ରେ ୪୫ ପ୍ରତିଶତ ଭୋଟ୍‌ ପାଇଥିବା ପ୍ରଫୁଲ୍ଲଙ୍କ ଭୋଟ୍‌ ହାର ଗତ ନିର୍ବାଚନରେ ୪୦ ପ୍ରତିଶତକୁ ଖସି ଆସିଥିଲା। ଏଥିସହ ବୟସ ମଧ୍ୟ ତାଙ୍କ ପାଇଁ ପ୍ରତିବନ୍ଧକ ସାଜିପାରେ। ତେଣୁ ଆସନ୍ତା ନିର୍ବାଚନରେ ସେ ନିଜ ପୁଅ ପ୍ରୟାସକାନ୍ତିଙ୍କୁ ଆଗକୁ ଆଣିବାକୁ ଲବି କରୁଥିବା ଚର୍ଚ୍ଚା ହେଉଛି। ତେବେ ବିଜେଡିର ଏକ ଟାଣୁଆ ଗୋଷ୍ଠୀ ପ୍ରୟାସକାନ୍ତିଙ୍କୁ ବିରୋଧ କରି ଆସୁଛନ୍ତି। ଏକଦା ପ୍ରଫୁଲ୍ଲଙ୍କର ଅନୁଗତ ଥିବା ପୂର୍ବତନ ବନ୍ତ ବ୍ଲକ୍‌ ଅଧ୍ୟକ୍ଷା ରେବତୀ ନାୟକଙ୍କ ସ୍ବାମୀ ତଥା ନାଟ୍ୟକାର ସୁଧାଂଶୁ ନାୟକଙ୍କ ସହ ପ୍ରୟାସକାନ୍ତିଙ୍କର ଗତ ପଞ୍ଚାୟତ ନିର୍ବାଚନ ସମୟରେ ତୀବ୍ର ମତଭେଦ ହୋଇଥିଲା। ସୁଧାଂଶୁଙ୍କୁ ଦଳରୁ ନିଲମ୍ବନ ମଧ୍ୟ କରାଯାଇଥିଲ। ସୁଧାଂଶୁ ଏଯାଏ କୌଣସି ଦଳରେ ଯୋଗ ଦେଇନଥିଲେ ବି ଆଗାମୀ ନିର୍ବାଚନରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରନ୍ତି ବୋଲି କୁହାଯାଉଛି।

publive-image

ସେହିପରି ଗତଥର ଏଠାରୁ ବିଜେପିର ପ୍ରାର୍ଥୀ ଥିଲେ ବଦ୍ରିନାରାୟଣ ଧଳ। ହେଲେ ଏଥର ବଦ୍ରିଙ୍କୁ ଏଠାରେ ଚ୍ୟାଲେଞ୍ଜ କରିପାରନ୍ତି ଦଳର ବରିଷ୍ଠ ନେତା ପଞ୍ଚାନନ ରାଉତ। ୨୦୧୯ ନିର୍ବାଚନ ବେଳେ ବି ଟିକଟ୍‌ ପାଇଁ ବଦ୍ରି ଓ ପଞ୍ଚାନନଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିଲା। ଗତଥର ମାତ୍ର ୨୨ ପ୍ରତିଶତ ଭୋଟ୍‌ ପାଇଥିବାରୁ ପୁଣି ଥରେ ଟିକଟ୍‌ ପାଇଁ ଦଳର ଶୀର୍ଷ ନେତୃତ୍ବଙ୍କୁ ମନେଇବା ବଦ୍ରିଙ୍କ ପାଇଁ ସହଜ ହୋଇନପାରେ। ଏହାଛଡ଼ା ବିଜେଡିରୁ ନିଲମ୍ବିତ ସୁଧାଂଶୁ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିବାରୁ ଟିକେଟ୍‌ ଆଶାୟୀଙ୍କ ସଂଖ୍ୟା ଆହୁରି ଲମ୍ବିପାରେ।

ବିଜେଡି ଓ ବିଜେଡି ଭଳି କଂଗ୍ରେସରେ ଏଠାରେ ଟିକଟ୍‌ ପାଇଁ ଟଣାଓଟରା ଆଶଙ୍କା ରହିବନି, ଯଦି ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଣି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନିଅନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହୋଇ ୬୦ ହଜାରରୁ ଅଧିକ ଭୋଟ୍‌ ହାତେଇଥିଲେ ନିରଞ୍ଜନ। କେବଳ ସେତିକି ନୁହେଁ, ପ୍ରଫୁଲ୍ଲଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୮ ହଜାର ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ। ନିରଞ୍ଜନ ଏଥର ପୁଣି ମଇଦାନ୍‌କୁ ଓହ୍ଲାଇବେ କି ନ‌ାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। କିନ୍ତୁ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ନିୟମିତ ଉପସ୍ଥିତି ନିର୍ବାଚନ ଲଢିବା ଚର୍ଚ୍ଚାକୁ ଅଧିକ ଖୋରାକ୍‌ ଯୋଗାଉଛି। ଦଳୀୟ କର୍ମୀଙ୍କୁ ଏକ୍‌ଜୁଟ କରି ସେ ସଭାସମିତି ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe