ଶତବାର୍ଷିକୀ ଆଲୋଚନାଚକ୍ର: ବାସ୍ତବବାଦୀ ଦୃଷ୍ଟିକୋଣରେ ଭଞ୍ଜକିଶୋରଙ୍କ ନାଟକ ପ୍ରଭାବଶାଳୀ

Advertisment
ଶତବାର୍ଷିକୀ ଆଲୋଚନାଚକ୍ର: ବାସ୍ତବବାଦୀ ଦୃଷ୍ଟିକୋଣରେ ଭଞ୍ଜକିଶୋରଙ୍କ ନାଟକ ପ୍ରଭାବଶାଳୀ

କଟକ : ବାସ୍ତବବାଦୀ ଦୃଷ୍ଟିକୋଣ, ସମକାଳୀନ ସମାଜର ସମସ୍ୟା ଓ ସମାଧାନ ବେଶ୍ ସଫଳ ଭାବେ ନାଟ୍ୟକାର ଭଞ୍ଜ କିଶୋର ପଟ୍ଟନାୟକଙ୍କ ନାଟ୍ୟକୃତିରେ ପ୍ରତିଫଳିତ ହୋଇଛି। ଜୀବନ ସଂଗ୍ରାମର ପ୍ରତିଛବି ମଧ୍ୟ ତାଙ୍କ ନାଟକରେ ପରିଲକ୍ଷିତ ହୁଏ। ‘ଅଶୋକଚକ୍ର’, ‘ଜୟମାଲ୍ୟ’, ‘ମାଣିକଯୋଡ଼ି’ ଆଦି ନାଟକ ଭିତରେ ସ୍ରଷ୍ଟାଙ୍କ ସନ୍ଦେଶ ବେଶ୍ ସ୍ପଷ୍ଟ ବୋଲି ନାଟ୍ୟକାର ଭଞ୍ଜକିଶୋର ପଟ୍ଟନାୟକ ଜନ୍ମ ଶତବାର୍ଷିକ ଉତ୍ସବରେ ବକ୍ତାମାନେ ମତପ୍ରକାଶ କରିଛନ୍ତି।

ଶନିବାର ପୂର୍ବାହ୍ନରେ ଉତ୍କଳ ସାହିତ୍ୟ ସମାଜ ଓ କେନ୍ଦ୍ର ସାହିତ୍ୟ ଅକାଦେମିର ମିଳିତ ସହଯୋଗରେ ସାରସ୍ୱତ ପୀଠ ଶତାବ୍ଦୀ ଭବନଠାରେ ‘ଭଞ୍ଜକିଶୋର ପଟ୍ଟନାୟକ ଜନ୍ମଶତବାର୍ଷିକୀ’ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ବିଶିଷ୍ଟ ନାଟ୍ୟକାର ଜଷ୍ଟିସ୍ ଅରୁନ୍ ପରିଛା ଉଦ୍‌ଘାଟନ କରି କହିଲେ ଯେ, ଭଞ୍ଜକିଶୋର ପଟ୍ଟନାୟକ ଥିଲେ ତାଙ୍କ ସମୟର ଜଣେ ସଫଳ ସ୍ରଷ୍ଟା। ତାଙ୍କର ପ୍ରତିଟି ନାଟକରେ ସାମାଜିକ ଅଙ୍ଗୀକାର ବେଶ୍ ପ୍ରଭାବଶାଳୀ। ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ନାଟ୍ୟକାର ଓ ନାଟ୍ୟ ସମାଲୋଚକ ପ୍ରଫେସର ବିଜୟ କୁମାର ଶତପଥୀ ଭଞ୍ଜକିଶୋରଙ୍କୁ ବାସ୍ତବବାଦିଧାରାର ଅଗ୍ରଦୂତ ଭାବରେ ଅଭିହିତ କରି ତାଙ୍କ ନାଟ୍ୟ ସାଧନାର ବିଭିନ୍ନ ପର୍ଯ୍ୟାୟ ସଂପର୍କରେ ଆଲୋଚନା କରିଥିଲେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରି କେନ୍ଦ୍ର ସାହିତ୍ୟ ଅକାଦେମି ସଚିବ ଡକ୍ଟର କେ. ଶ୍ରୀନିବାସରାଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ଦେଇ କହିଲେ ଯେ ଭଞ୍ଜକିଶୋରଙ୍କ ନାଟ୍ୟଦିଗନ୍ତ ସାମାଜିକ ସମସ୍ୟାକୁ ନେଇ ବେଶ୍ ପ୍ରଭାବଶାଳୀ। ଏହି ଅଧିବେଶନରେ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ମନୋଜ ପଟ୍ଟନାୟକ। ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ ଧନ୍ୟବାଦ ପ୍ରଦାନ କରିଥିଲେ।

ପ୍ରଥମ ପ୍ରବନ୍ଧ ପାଠର ଅଧିବେଶନରେ ଆଲୋଚନା କରି ଡକ୍ଟର ରଶ୍ମିତା ତ୍ରିପାଠୀ, ସତ୍ୟଜିତ ମହାପାତ୍ର, ଡକ୍ଟର ସାରଦା ପ୍ରସାଦ ମହାନ୍ତି ଓ ସଭାମୁଖ୍ୟ ଗୀତିକବି ଗୌର ପଟ୍ଟନାୟକ ଭଞ୍ଜକିଶୋରଙ୍କ ନାଟ୍ୟପ୍ରତିଭା ସଂପର୍କରେ ଆକଳନ କରିଥିଲେ। ଏହି ଅଧିବେଶନରେ ଉତ୍କଳ ସାହିତ୍ୟ ସମାଜର ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ପ୍ରବନ୍ଧପାଠ ଅଧିବେଶନରେ ଆଲୋଚକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ, ଡକ୍ଟର ସଂଘମିତ୍ରା ମହାପାତ୍ର, ସୁବାସଚନ୍ଦ୍ର ମହାପାତ୍ର ଓ ସଭାମୁଖ୍ୟ ନାଟ୍ୟକାର ଡକ୍ଟର ବୈଜୟନ୍ତୀ ମିଶ୍ର ଭଞ୍ଜକିଶୋର ପଟ୍ଟନାୟକଙ୍କ ନାଟକର ବିଭିନ୍ନ ବିଭବ ସଂପର୍କରେ ଉଲ୍ଲେଖ କରିଥିଲେ। ଏହି ଅଧିବେଶନରେ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe