ଆମେ ସମସ୍ତେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଅଂଶ: ରାଜ୍ୟପାଳ

ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍‌ଯାପିତ

ଆମେ ସମସ୍ତେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଅଂଶ: ରାଜ୍ୟପାଳ

ଭାପୁର/ନୟାଗଡ଼ : ‘ମୋ ମାଟି ଭାପୁର’ ପକ୍ଷରୁ ବାଲୁଙ୍କେଶ୍ବର ହାଇସ୍କୁଲ ଖେଳପଡ଼ିଆଠାରେ ଅନୁଷ୍ଠିତ ହେଉଥିବା ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି।

ଏଥିରେ ରାଜ୍ୟପାଳ ପ୍ରଫେସର ଗ‌ଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ମହୋତ୍ସବରେ ବିପୁଳ ଜନସମାଗମ ଦେଖି ରାଜ୍ୟପାଳ ବିଭୋର ହୋଇଥିଲେ। ମେଳା ମାନେ ହେଉଛି ମିଳନ, ମାଟି ଆଉ ଆକାଶ, ପୃଥିବୀ ଆଉ ଆକାଶର ମିଳନ। ଉତ୍କଳ ମାଟିର ଉତ୍ସବ ଓ ମହୋତ୍ସବ ସବୁଠୁ ନିଆରା। ଉତ୍କଳର ରଜପର୍ବ ଆଉ କେଉଁଠି ହୁଏନାହିଁ। ଆମେ ଆଦିଶକ୍ତିର ସନ୍ତାନ ବୋଲି ରଜପର୍ବ ବାର୍ତ୍ତା ଦେଉଛି। ସେହିଭଳି ଉତ୍କଳର ଧନୁଯାତ୍ରା ଆଉ କେଉଁଠି ହୁଏ ନାହିଁ। ସମାଜରେ ଆତଙ୍କବାଦ, ଦାଦାଗିରି, ଗୁଣ୍ଡାଗିରି ଚଳିବ ନାହିଁ ବୋଲି ଧନୁଯାତ୍ରା ବାର୍ତ୍ତା ଦେଉଛି। ଆମେ ସମସ୍ତେ ହେଉଛେ ଆଦିଶକ୍ତିଙ୍କ ସନ୍ତାନ, ଆମ ଆଖିରେ ଜଗନ୍ନାଥଙ୍କ ଚମକ, ଆମ ଓଠର ହସ ଜଗନ୍ନାଥଙ୍କ ହସ। ଏଠାରେ ରାମ ଶବରୀ ଘରକୁ, ଶବରୀ ବି ରାମଙ୍କ ଘରକୁ ଭୋଜନ କରିବାକୁ ଆସନ୍ତି। ‘ବସୁଧୈବ କୁଟୁମ୍ବକମ୍‌, ସର୍ବେ ଭବନ୍ତୁ ସୁଖୀନ’ କେବଳ ଆମେ କହିପାରୁ। ଆମେ ସମସ୍ତେ ଗୋଟିଏ ପରିବାରର। ଆମେ ସମସ୍ତେ ‌ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଅଂଶ। ପ୍ରେମ ଓ ଭ୍ରାତୃତ୍ବ ଭାବ ଉପରେ ସାରା ବିଶ୍ବ ଛିଡ଼ା ହୋଇଛି। ସମଗ୍ର ବିଶ୍ବ ବର୍ତ୍ତମାନ ଓଡ଼ିଶାରେ ହକି ମାଧ୍ୟମରେ ‌ଯୋଡ଼ି ହୋଇଛି। ହକି, ବ୍ୟାଡ୍‌ମିଣ୍ଟନ୍‌, ଓଡ଼ିଶାର ନୃତ୍ୟଗୀତ ମାଧ୍ୟମରେ ଆମେ ସଭିଁଙ୍କୁ ବ‌ାନ୍ଧି ରଖିପାରିବା। ଦୁନିଆରେ ବହୁତ ସମ୍ପ୍ରଦାୟ, ଧର୍ମ ରହିଛି, କିନ୍ତୁ ଆମେ ସଭିଁଙ୍କୁ ସମ୍ମାନ ଦେଉ।

ଏଭଳି ମହୋତ୍ସବ ଗଣତନ୍ତ୍ରକୁ ସୁଦୃଢ କରୁଛି: ସୌମ୍ୟ
ସମାଜରେ ଶାନ୍ତିପ୍ରତିଷ୍ଠା ହେଲେ ଉତ୍ସବ ବଢ଼ିଥାଏ: ଅରୁଣ

ମହୋତ୍ସବ କମିଟି ସଭାପତି ତଥା ଭାପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ‌ବେଣୁଧର ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥଲେ। ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଉତ୍ସବ ଓ ମହୋତ୍ସବ ହେଉଛି ଗଣତାନ୍ତ୍ରିକ ପର୍ବ; ଉତ୍ସବ ‌ଉତ୍ସାହ ଯୋଗାଏ। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଦୁର୍ବଳ ହେଇଯାଉଛି ବୋଲି କୁହାଯାଉଛି। ଏଭଳି ଏକାଠି ହେବାର ପ୍ରକ୍ରିୟା ଗଣତନ୍ତ୍ରକୁ ଅଧିକ ମଜଭୁତ୍‌ କରୁଛି। ଉତ୍ସବ ପ୍ରତିଭାର ଆବିଷ୍କାର ଲାଗି ସୁଯୋଗ ଦିଏ।

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କହିଲେ, ସମାଜରେ ‌ଯେତେବେଳେ ଶାନ୍ତି ପ୍ରତିଷ୍ଠା ହୁଏ, ଅର୍ଥନୈତିକ ଅଭିବୃଦ୍ଧି ଘଟେ, ସେତେବେଳେ ଏଭଳି ଉତ୍ସବ, ମହୋତ୍ସବ ଅଧିକ ମାତ୍ରାରେ ହୋଇଥାଏ। ଜନସାଧାରଣ ଅବସର ବିନୋଦନ ଲାଗି ସୁଯୋଗ ପାଇଥାନ୍ତି। ନୟାଗଡ଼ ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟରେ ମଧ୍ୟ ମହୋତ୍ସବ ସଂଖ୍ୟା ବୃଦ୍ଧି ପାଉଛି। ଏହା ଦ୍ବାରା କଳାକାର ଉପକୃତ ହେବା ସହିତ କଳାର ଆଦାନପ୍ରଦାନ ହେଉଛି। ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା କହିଲେ, ପୂର୍ବରୁ ଉତ୍ସବ କହିଲେ ରାଜ୍ୟସ୍ତରରେ ହେଉଥିବା ନିର୍ଦ୍ଦିଷ୍ଟ କେତେକ ବଡ଼ ଉତ୍ସବକୁ ଆମେ ବୁଝୁଥିଲୁ। ବର୍ତ୍ତମାନ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମହୋତ୍ସବ ଅନୁଷ୍ଠିତ ହେଉଛି। ଏହା ଦ୍ବାରା ଅନେକ ହଜିଯାଉଥିବା କଳାର ପୁନଃରୁଦ୍ଧାର ହେବା ସହିତ କଳାକାର ମଧ୍ୟ ନିଜର ପ୍ରତିପୋଷଣ କରିପାରୁଛନ୍ତି। ଯେତେ ଉତ୍ସବ, ମହୋତ୍ସବ ହେବ ଆମ ଭିତରେ ସେତେ ଏକତା ବଢ଼ିବ।

ମୋ ନିଜ ମାଟିର ମହୋତ୍ସବରେ ସାମିଲ୍‌ ହେବା ମୋ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଅତିଥି କଥାକାର ତଥା ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା କହିଥିଲେ। ଏହି ଅବସର‌ରେ ଗଙ୍ଗାଧର ପଣ୍ଡାଙ୍କ ଶିଶୁ କିଶୋର ଗଳ୍ପ ପୁସ୍ତକ ଲୋକାର୍ପିତ ହୋଇଥିଲା। ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଭ‌ାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ମହୋତ୍ସବ କମିଟିର ଉପଦେଷ୍ଟା ବିଧାୟକଙ୍କ ଭାପୁର ବ୍ଲକ୍‌ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂହ ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe