ଚାଷୀଙ୍କୁ ସମର୍ଥନ ଜଣାଇ ‘ଭାରତ ବନ୍ଦ’ ଜୀବନଯାତ୍ରା ଠପ୍

Advertisment

ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ, ଅପରାହ୍ନରେ ଖୋଲିଲା ଦୋକାନ

ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ, ଅପରାହ୍ନରେ ଖୋଲିଲା ଦୋକାନ

ଚାଷୀଙ୍କୁ ସମର୍ଥନ ଜଣାଇ ‘ଭାରତ ବନ୍ଦ’ ଜୀବନଯାତ୍ରା ଠପ୍

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନ ରଦ୍ଦ ଦାବିରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାର ପ୍ରଭାବ ଓଡ଼ିଶାରେ ପଡ଼ିଛି। କୃଷକ ଓ ଶ୍ରମିକ ସଂଗଠନଗୁଡ଼ିକ ସମେତ ୧୮ଟି ରାଜନୈତିକ ଦଳର କର୍ମକର୍ତ୍ତା ରାସ୍ତାକୁ ଓହ୍ଲାଇ କୃଷକଙ୍କ ଦାବିକୁ ସମର୍ଥନ ଜଣାଇଥିଲେ। ଫଳରେ ସାଧାରଣ ଜନଜୀବନ ଠପ୍ ହୋଇଯାଇଥିଲା। ବସ୍‌, ଟ୍ରେନ୍‌, ଅଟୋ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଯାତ୍ରୀ ପରିବହନ ଭୀଷଣ ପ୍ରଭାବିତ ହୋଇଥିଲା। ତେବେ ରାଜ୍ୟର କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ। ବନ୍ଦ ପାଳନ ଆପାତତଃ ଶାନ୍ତିପୂର୍ଣ୍ଣ ରହିଛି।

ଆଜି ସକାଳୁ ସକାଳୁ ବନ୍ଦ ପାଳନକାରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ପ୍ରଥମେ ରାଜ୍ୟର ପ୍ରମୁଖ ଅଞ୍ଚଳରେ ରେଳ ଷ୍ଟେସନ୍‌ରେ ପିକେଟିଂ ଆରମ୍ଭ ହୋଇଯାଇଥିଲା। ଫଳରେ ବହୁ ସ୍ଥାନରେ ଟ୍ରେନ୍‌ଗୁଡ଼ିକ ଅଟକି ରହିଥିଲା। ମଧ୍ୟାହ୍ନ ୧୨ଟା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ବସ୍‌ ଚଳାଚଳ ବନ୍ଦ ନେଇ ବସ୍‌ ମାଲିକ ସଂଘ କିଛି ଘୋଷଣା କରି ନ ଥିଲା। କିନ୍ତୁ ବସ୍‌ଷ୍ଟାଣ୍ଡ୍‌ଗୁଡ଼ିକରେ ସକାଳୁ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯିବାରୁ ବସ୍‌ ବାହାରି ପାରି ନ ଥିଲା। ବହୁ ଯାତ୍ରୀ ବସ୍‌ଷ୍ଟାଣ୍ଡ୍‌ରେ ଦୀର୍ଘ ସମୟ ଧରି ଅଟକି ରହିଥିଲେ। କିଛି କିଛି ବସ୍‌ ଅନ୍ୟ ସ୍ଥାନରୁ ବାହାରିଥିଲେ ବି ରାସ୍ତାରୋକ ଯୋଗୁ ଗନ୍ତବ୍ୟ ସ୍ଥଳକୁ ଯାଇପାରି ନ ଥିଲେ। ଅଟୋ ଚଳାଚଳ ପ୍ରାୟ ବନ୍ଦ ରହିଥିଲା। ରାଜଧାନୀ ସମେତ ରାଜ୍ୟର ପ୍ରାୟ ସବୁ ପ୍ରମୁଖ ସହରରେ ମାର୍କେଟ୍‌ଗୁଡ଼ିକ ବନ୍ଦ ରହିଥିଲା। ଦୋକାନବଜାର ବନ୍ଦ ରଖିବାକୁ ଗତକାଲି ଠାରୁ ବହୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇସାରିଥିଲେ। ଯାତ୍ରୀ ପରିବହନ ଓ ଦୋକାନବଜାର ବନ୍ଦ ଥିବାରୁ ରାସ୍ତାଘାଟ ଖାଁ ଖାଁ ଥିଲା। ଅପରାହ୍ନ ପ୍ରାୟ ୨ ଟା ପରେ ସବୁ ଅଞ୍ଚଳରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ଦୁଗ୍ଧ ଗାଡ଼ି, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା ଆଦି ଯଥାରୀତି ଚାଲିଥିଲା।

ଆନ୍ଦୋଳନକାରୀମାନେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଆଗରେ ପିକେଟିଂ କରିଥିଲେ। ଫଳରେ ବହୁ ଅଫିସ୍‌ରେ କର୍ମଚାରୀମାନେ ଭିତରକୁ ଯାଇପାରି ନ ଥିଲେ। କିଛି ବ୍ୟାଙ୍କ କର୍ମଚାରୀ ସଂଘ ଏହି ବନ୍ଦକୁ ନୈତିକ ସମର୍ଥନ ଦେଇଥିଲେ ବି ଆନ୍ଦୋଳନରେ ସକ୍ରିୟ ଭାଗ ନେଇ ନ ଥି‌ଲେ। କିନ୍ତୁ ବନ୍ଦ ସମର୍ଥକମାନେ ବିଭିନ୍ନ ବ୍ୟାଙ୍କ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ବ୍ୟାଙ୍କ ସେବା ବ୍ୟାହତ ହୋଇଥିଲା। କର୍ମଚାରୀ ଓ ଗ୍ରାହକମାନେ ବ୍ୟାଙ୍କକୁ ଆସି ପାରି ନ ଥିଲେ। କଂଗ୍ରେସ, ସିପିଆଇ ସ‌େମତ ବିଭିନ୍ନ ରାଜନୈତିକ ଦଳର ରାଜ୍ୟ ନେତୃବୃନ୍ଦ ରାଜଧାନୀର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିନା ସର୍ତ୍ତରେ କୃଷି ଆଇନ୍‌କୁ ରଦ୍ଦ କରିବାକୁ ଦାବି କରିଥିଲେ। ରାଜନୈତିକ ଦଳ, କୃଷକ ସଂଗଠନ, ଶ୍ରମିକ ସଂଗଠନର ନେତାମାନେ ମିଳିତ ଭାବେ ପିକେଟିଂ କରୁଥିବା ଦେଖାଯାଇଥିଲା। ଏହା ବାଦ୍ ବିଭିନ୍ନ ସଂଗଠନ ପୃଥକ ପୃଥକ ଭାବେ ରାସ୍ତା ଓ ରେଳରୋକ କରିଥିଲେ। ବନ୍ଦକୁ ସମର୍ଥନ ଜଣାଇ ବୁଦ୍ଧିଜୀବୀମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଥିବା ଦେଖାଯାଇଥିଲା। ବନ୍ଦ ପାଳନ ପାଇଁ ପୁଲିସ୍‌ ପକ୍ଷରୁ ସମସ୍ତ ସ୍ଥାନରେ ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲା। ରାସ୍ତାରୋକ ଓ ରେଳରୋକ କରୁଥିବା ଆନ୍ଦୋଳନକାରୀମାନଙ୍କୁ ପୁଲିସ୍‌ ଗିରଫ କରି ନେଇ ପରେ ଛାଡ଼ି ଦେଇଥିଲା। ଓଡ଼ିଶାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି କଂଗ୍ରେସ ସ‌େମତ ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଂଗଠନ ଓ କୃଷକ ସଂଗଠନ ପକ୍ଷରୁ ପୃଥକ ପୃଥକ ପ୍ରେସ୍ ବିବୃତିରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe