ସ୍ବୟଂସହାୟକ ଗୋଷ୍ଠୀରୁ ସିଧାସଳଖ କୃଷିଯାତ ସାମଗ୍ରୀ କ୍ରୟ: ଭାରତ ମସଲାର ୩ ନୂଆ ୟୁନିଟ୍‍ ଖୋଲିଲା

Advertisment
ସ୍ବୟଂସହାୟକ ଗୋଷ୍ଠୀରୁ ସିଧାସଳଖ କୃଷିଯାତ ସାମଗ୍ରୀ କ୍ରୟ: ଭାରତ ମସଲାର ୩ ନୂଆ ୟୁନିଟ୍‍ ଖୋଲିଲା

କଟକ : ପୂର୍ବ ଭାରତରେ ପ୍ରଥମ ମସଲା ଉଦ୍ୟୋଗଭାବେ ଭାରତ ମସଲା ସଫଳତାର ଆଉ ଏକ ନୂଆ ଫର୍ଦ ଯୋଡିଛି। ରାମଦାସପୁରସ୍ଥିତ କମ୍ପାନିର କାରଖାନାରେ ଅକ୍ଷୟ ତୃତୀୟା ଅବସରରେ କମ୍ପାନିର ୩ଟି ନୂଆ ୟୁନିଟ୍‍ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ୨ଟି ହଳଦୀ ଗୁଣ୍ଡ ଏବଂ ଗୋଟିଏ ମସଲା ୟୁନିଟ୍‍ ରହିଛି। ପ୍ରତି ୟୁନିଟରେ ଗୋଟିଏ ଦିନରେ ପ୍ରାୟ ୧୫୦ ମେଟ୍ରିକ ଟନ୍‌ ମସଲା ପ୍ରସ୍ତୁତ କରିହେବ। ଯାହା ପୂର୍ବ ଭାରତରେ ମସଲା ପ୍ରସ୍ତୁତ କରୁଥିବା କମ୍ପାନି ମାନଙ୍କ ତୁଳନାରେ ସର୍ବାଧିକ ବୋଲି କୁହାଯାଉଛି।

ଓରମାସ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ କମ୍ପାନୀ ପକ୍ଷରୁ ଆଜି ପ୍ରାଥମିକ ପର୍ଯ୍ୟାୟରେ କେଚଅପ ପ୍ରସ୍ତୁତ ପାଇଁ ଟମାଟୋ ସଂଗ୍ରହ କରାଯାଇଛି। ତିଗିରିଆସ୍ଥିତ ମା ଦକ୍ଷିଣେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ କମ୍ପାନି ପକ୍ଷରୁ ଟମାଟୋ କ୍ରୟ କରାଯାଇଥିଲା। ଓରମାସର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନବିହାରୀ ରାଉତଙ୍କ ସମେତ ଅନ୍ୟ ଅଧିକାରୀମାନେ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ସଂଗୃହୀତ ଟମାଟୋ କମ୍ପାନିର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡାଙ୍କୁ ହସ୍ତାନ୍ତର କରିଥିଲେ। ଏକ ଟମାଟୋ ଭର୍ତ୍ତି ଟ୍ରକ କମ୍ପାନିର ରାମଦାସପୁରସ୍ଥିତ କାରଖାନାକୁ ଆସିଥିଲା। ଏହି କାରଖାନାରେ ସ୍ଥାପନ ହୋଇଥିବା ପ୍ଲାଣ୍ଟରେ କେଚଅପ ପ୍ରସ୍ତୁତ କରାଯିବ ବୋଲି କମ୍ପାନିର ପରିଚାଳନା ନିର୍ଦେଶକ ସୁଶାନ୍ତକୁମାର ପଣ୍ଡା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଓରମାସ ସହିତ ଭାରତ ମସଲା କର୍ତ୍ତୃପକ୍ଷ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ ଏଣିକି ଭାରତ ମସଲା କର୍ତ୍ତୃପକ୍ଷ ସିଧାସଳଖ ଚାଷୀ ଏବଂ ଚାଷ ସହିତ ସଂଶ୍ଳିଷ୍ଟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ବିଭିନ୍ନ ଚାଷ ସାମଗ୍ରୀ ଯଥା ଅଦା, ଟମାଟୋ, ଲଙ୍କା, ହଳଦୀ, ଶୁଖିଲା ଆମ୍ବ (ଆମ୍ବୁଲ), ମୁଗ, ସୋରିଶ ସମେତ ୧୧ଟି କୃଷିଜାତ ସାମଗ୍ରୀ କ୍ରୟ କରିବ। ଏହିସବୁ କୃଷିଜାତ ଜିନିଷ ଏନଏସିଡିଇଏକ୍ସ କିମ୍ବା ଏମଏସପି ଦ୍ୱାରା ସ୍ଥିରିକୃତ ମୂଲ୍ୟରେ କମ୍ପାନି ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ କ୍ରୟ କରିବ। ଏହାଦ୍ୱାରା ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଉପକୃତ ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe