୧୬ରେ ଭାଷା ସୁରକ୍ଷା ସମ୍ମିଳନୀରେ ଆଇନ ଅମାନ୍ୟ ଆନ୍ଦୋଳନ ଡାକରା

Advertisment
୧୬ରେ ଭାଷା ସୁରକ୍ଷା ସମ୍ମିଳନୀରେ ଆଇନ ଅମାନ୍ୟ ଆନ୍ଦୋଳନ ଡାକରା

ଭୁବନେଶ୍ୱର : ଭାଷା ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଭାଷା ଆୟୋଗ ଗଠନ ଓ ଦଣ୍ଡବିଧାନ ଦାବିରେ ଆସନ୍ତା ୧୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ‘ଭାଷା ସୁରକ୍ଷା ସମ୍ମିଳନୀ’ ସଭାପତି ତଥା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପରିଡ଼ା କହିଛନ୍ତି ଯେ ୨୦୧୬ ଅଗଷ୍ଟ ୧୬ରୁ ଭାଷା ଆଇନ କାର୍ଯ୍ୟକାରୀ ହେଲା ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଇତିମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ସଚିବାଳୟର ଗୋଟିଏ ବି ଫାଇଲ୍‌ ଓଡ଼ିଆରେ ଲେଖାଯାଇ ନାହିଁ କି ସେଥିରେ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଦସ୍ତଖତ କଲେ ନାହିଁ। ପ୍ରଶାସନ, କୋର୍ଟ, ବ୍ୟବସାୟ ପ୍ରତିଷ୍ଠାନରୁ ଓଡ଼ିଆ ଭାଷାକୁ ଲୋପ କରି ଦିଆଗଲାଣି। ଏପରି ଆଉ କିଛି ବର୍ଷ ଚାଲିଲେ ଓଡ଼ିଶାରୁ ଓଡ଼ିଆ ଭାଷା ଲୋପ ପାଇଯିବ।

ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପରିଡ଼ା କହିଥିଲେ ଯେ ସେ ଯାହା କରୁଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦେଶରେ ହେଉଛି ବୋଲି ତାଙ୍କ ବିରୋଧରେ ଯେଉଁ ଅପପ୍ରଚାର ଚାଲିଛି। ଯେଉଁମାନେ ଅପପ୍ରଚାର କରୁଛନ୍ତି ସେମାନେ ପ୍ରଥମେ ଭାଷା ଆଇନକୁ କାର୍ଯ୍ୟକାରୀ କରିବାକୁ ଦାବି କରନ୍ତୁ। ସେ ଆହୁରି କହିଥିଲେ ଯେ ରାଜ୍ୟସଭାକୁ ଦ୍ୱିତୀୟ ଥର ଟିକେଟ ମିଳିଲା ନାହିଁ ବୋଲି ଆନ୍ଦୋଳନ କରୁଛି ବୋଲି ଯେଉଁମାନେ କହୁଛନ୍ତି ସେମାନେ ମିଥ୍ୟାବାଦୀ। କାରଣ ୨୦୧୬ ଜୁଲାଇ ୧ରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଥିଲା। କିନ୍ତୁ ୨୦୧୨ରୁ ଭାଷା ଆଇନ କାର୍ଯ୍ୟକାରୀ କରିବା ଲାଗି ସେ ଦାବି କରି ଆସୁଛନ୍ତି ବୋଲି କହିଥିଲେ।

ବୈଷ୍ଣବବାବୁ ଭାଷା ଆନ୍ଦୋଳନର ଗରିମା ନଷ୍ଟ କରୁଛନ୍ତି: ଭାଷା ଆନ୍ଦୋଳନ

ଭୁବନେଶ୍ୱର : ଭାଷା ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଭାଷା ଆୟୋଗ ଗଠନ ଓ ଦଣ୍ଡବିଧାନ ଦାବିରେ ପୂର୍ବତନ ସାଂସଦ ବୈଷ୍ଣବ ଚରଣ ପରିଡ଼ା ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଇଥିବାବେଳେ ଭାଷା ଆନ୍ଦୋଳନ, ଓଡ଼ିଶା ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି।

ଆଜି ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଓଡ଼ିଆରେ ଓଡ଼ିଶା ଶାସନ ଖିଲାପକାରୀଙ୍କୁ ଦଣ୍ଡବିଧାନ କରିବାକୁ ମନ୍ତ୍ରୀସ୍ତରୀୟ କମିଟିର ସଭ୍ୟ ଥିବା ବେଳେ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସରକାରଙ୍କୁ ଦେଇଥିବା ପରାମର୍ଶ ଦେଇଥିଲେ। ଏହାହିଁ ଥିଲା ଭାଷା ଆନ୍ଦୋଳନର ମୋଳିକ ଦାବି। ତେଣୁ ରାଜ୍ୟରେ ବଳବତ୍ତର ଥିବା କୋଣସି ଆଇନକୁ ଅମାନ୍ୟ ନ କରି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସଂଗଠନ ପକ୍ଷରୁ ନୀରବ କଳା ପତାକା ଅଭିଯାନ ଚଳାଇଛି। ଆଇନ ସଂଶୋଧନ କରି ଓଡ଼ିଆ ଭାଷାକୁ ତାର ପ୍ରଶାସନିକ ସାର୍ବଭୋମତ୍ତ୍ୱ ପ୍ରଦାନ କରିବା ପରିବର୍ତେ ଇଂରାଜି ମନସ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଖଲୋକ ବୈଷ୍ଣବ ଚରଣ ପରିଡ଼ାଙ୍କୁ ପ୍ରୟୋଗ କରି ଭାଷା ଆନ୍ଦୋଳନର ଗାରିମା ହ୍ରାସ କରିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି।

ଭାଷା ଆନ୍ଦୋଳନର ଦାବି ପ୍ରତି କେବେ ବି ସମର୍ଥନ ଜଣାଇନଥିବା ବୈଷ୍ଣବ ବାବୁ କଳା ପତାକା ଅଭିଯାନ ୫୦୦ ଦିନ ଅତିକ୍ରମ କଲା ପରେ ହଠାତ ଭାଷା ଆନ୍ଦୋଳନର ଦାବି ସପକ୍ଷରେ ଆଇନ ଅମାନ୍ୟ ଡାକରା ଦେଇଛନ୍ତି। ଭାଷା ଆନ୍ଦୋଳନର ଶ୍ରେୟ ଲୁଟ କରିବାକୁ ଏବେ ଶ୍ରୀ ପରିଡ଼ା ମିଛ କଥା କହି ବିଭ୍ରାନ୍ତ କରୁଛନ୍ତି ବୋଲି ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ, ସ୍ତମ୍ଭକାର ଜାନକୀଶ ବଡପଣ୍ଡା, ଆବାହକ ପବିତ୍ର ମହାରଥା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶାରଦା ପ୍ରସାଦ ମହାପାତ୍ର, ନବ କିଶୋର ପ୍ରଧାନ, ନାରାୟଣ ଖୁଣ୍ଟିଆ, ଆଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe