ଭିମ୍‌ସାରର ସ୍ବାସ୍ଥ୍ୟ ଖରାପ ଚିକିତ୍ସା ସେବାରୁ ବଞ୍ଚିତ ରୋଗୀ

ସରକାର ବଦଳିବା ପରେ ପଶ୍ଚିମ ଓଡ଼ିଶା ସ୍ବାସ୍ଥ୍ୟସେବାର ଜୀବନରେଖା ଭିମ୍‌ସାର‌ ଅବସ୍ଥା ସୁଧୁରିଯିବ ବୋଲି ଲୋକଙ୍କ ମନରେ ଆଶା ରହିଥିଲା। ହେଲେ, ଏହା ମଧ୍ୟରେ ଦେଢ଼ବର୍ଷ ଅତିକ୍ରାନ୍ତ...

Untitled-21

ସମ୍ବଲପୁର: ସରକାର ବଦଳିବା ପରେ ପଶ୍ଚିମ ଓଡ଼ିଶା ସ୍ବାସ୍ଥ୍ୟସେବାର ଜୀବନରେଖା ଭିମ୍‌ସାର‌ ଅବସ୍ଥା ସୁଧୁରିଯିବ ବୋଲି ଲୋକଙ୍କ ମନରେ ଆଶା ରହିଥିଲା। ହେଲେ, ଏହା ମଧ୍ୟରେ ଦେଢ଼ବର୍ଷ ଅତିକ୍ରାନ୍ତ ହେବା ପରେ ବି ସ୍ଥିତି ସୁଧୁରିବା ବଦଳରେ ଅଧିକ ଜଟିଳ ହେବାରେ ଲାଗିଛି। କାଗଜକଲମରେ ସ୍ବୟଂଶାସନ କ୍ଷମତା ସୀମିତ ରହିଛି। କାମଚଳାଙ୍କ ଭରସାରେ ଚାଲିଥିବା ଭିମ୍‌ସାରରେ ସବୁ ଗୁରୁତ୍ବପୂର୍ଣ୍ଣ ପଦ ସହିତ ଡାକ୍ତରଙ୍କ ମଧ୍ୟ ଘୋର ଅଭାବ ପରିଲକ୍ଷିତ ହୋଇଛି। ପ୍ରାୟ ୮ ବର୍ଷ ହେଲା ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଅଟକି ରହିଛି। ଅସ୍ଥାୟୀ ନିଯୁକ୍ତି ଜରିଆରେ ଖାଲି ପଦ ପୂରଣ ନିମନ୍ତେ ପ୍ରୟାସ ହୋଇଥିଲେ ମଧ୍ୟ ଚାକିରି ଅନିଶ୍ଚିତତା କାରଣରୁ ଏଥିପ୍ରତି ଡାକ୍ତରମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁନାହିଁ। ବହୁ ବର୍ଷର ପ୍ରତୀକ୍ଷା ପରେ କିଛି ମାସ ତଳେ ଲୋକାର୍ପିତ ହୋଇଥିବା ସୁପର୍‌ ସ୍ପେସାଲିଟି ହସ୍ପିଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। କେତେକ ବିଭାଗରେ ଜଣେ, ଦୁଇଜଣ ଲେଖାଏଁ ବିଶେଷଜ୍ଞ ଡାକ୍ତର ଥିବା ବେଳେ ଆଉ କେତେକ ବିଭାଗ ପୂରା ଡାକ୍ତରଶୂନ୍ୟ। ଏଣ୍ଡୋକ୍ରାଇନୋଲଜି, ଗେଷ୍ଟ୍ରୋଏଣ୍ଟ୍ରୋଲଜି ଓ କ୍ଲିନିକାଲ୍‌ ହେମାଟୋଲଜି ବିଭାଗରେ ଡାକ୍ତର ନିଯୁକ୍ତି ହୋଇ ପାରିନଥିବାରୁ ପଶ୍ଚିମ ଓଡ଼ିଶା ଓ ଏହା ଉପରେ ନିର୍ଭରଶୀଳ ସୀମାନ୍ତ ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଗରିବ ରୋଗୀମାନେ ଏସବୁ ବିଭାଗର ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। 

ସ୍ଥାୟୀ ନିର୍ଦ୍ଦେଶକ ଏବଂ ଭିମ୍‌ସାର କାର୍ଯ୍ୟନିର୍ବାହୀ ପରିଷଦ ନଥିବାରୁ ସ୍ଥାୟୀ ନିଯୁକ୍ତି ସମ୍ଭବ ହେଉନାହିଁ। ୨୦୨୩ ଫେବ୍ରୁଆରିରେ ପ୍ରଫେସର ଲଳିତ ମେହେରଙ୍କ ଅବସର ପରେ କେତେକ ସ୍ଥାନୀୟ ପ୍ରଫେସର ନିର୍ଦ୍ଦେଶକ ଭାବେ କିଛି ମାସ କାମ ଚଳାଇବା ପରେ ପ୍ରାୟ ଏକ ବର୍ଷ ହେଲା ଡିଏମ୍‌ଇଟି ଏହାର ଅତିରିକ୍ତ ଦାୟିତ୍ବରେ ରହିଛନ୍ତି। ଏପଟେ ସ୍ବୟଂଶାସନ କ୍ଷମତା ମିଳିବା ଦିନଠାରୁ ପ୍ରାୟତଃ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ଏବଂ ଡାକ୍ତରଖାନାର ଅଧୀକ୍ଷକ ଭଳି ଗୁରୁତ୍ବପୂର୍ଣ୍ଣ ପଦ ଖାଲିପଡ଼ିଛି। ୧୧ ଅକ୍ଟୋବର ୨୦୨୩ରୁ ଭିମ୍‌ସାର କାର୍ଯ୍ୟନିର୍ବାହୀ ପରିଷଦର ୩ ବର୍ଷିଆ କାର୍ଯ୍ୟକାଳ ସରିଯାଇଥିଲେ ହେଁ ଏହାର ପୁନର୍ଗଠନ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ଆଶୁଚିକିତ୍ସା ବିଭାଗ ପାଇଁ କୋଠା ପ୍ରସ୍ତୁତ ଥିବା ସତ୍ତ୍ବେ ତାହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ସୁପର ସ୍ପେସାଲିଟି ହସ୍‌ପିଟାଲରେ ଖୋଲିଥିବା ନୂଆ କେନ୍ଦ୍ରୀୟ ଆଇସିୟୁର ୮୦ଟି ଶଯ୍ୟା ମଧ୍ୟରୁ ପ୍ରାୟ ୩୦ଟି କାର୍ଯ୍ୟକ୍ଷମ ରହିଛି। ଏପଟେ ପୁରୁଣା ଆଇସିୟୁ କୋଠାରେ ତାଲା ଝୁଲୁଥିବାରୁ ‌‌ସେଠାକାର ମୂଲ୍ୟବାନ ଯନ୍ତ୍ରପାତି ସବୁ ଖତ ଖାଉଛି। ପର୍ଯ୍ୟାପ୍ତ ଆଇସିୟୁ ଶଯ୍ୟା ଥିବା ସତ୍ତ୍ବେ ଆଇସିୟୁ ସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ। ଅନେକ ଜୀବନ ବିକଳରେ ଆଇସିୟୁ ସେବା ପାଇଁ ଘରୋଇ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ମା’ ଓ ଶିଶୁ ଯତ୍ନ ବିଭାଗ ପାଇଁ ନବନିର୍ମିତ ୯ ମହଲା କୋଠା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ମା’ ଓ ଶିଶୁ ଯତ୍ନ ବିଭାଗରେ ଶଯ୍ୟା ଅଭାବ ଥିବାରୁ ଅନେକ ସମୟରେ ମା’ ଓ ଶିଶୁମାନେ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। ଏତେ ବଡ଼ ଡାକ୍ତରଖାନାରେ ଟ୍ରମା କେୟାର ୟୁନିଟ୍‌ ସ୍ଥାପନ ହୋଇପାରି ନାହିଁ। ପଶ୍ଚିମ ଓଡ଼ିଶାବାସୀଙ୍କ ବହୁବର୍ଷର ଲଢ଼େଇ ପରେ ସ୍ବୟଂଶାସନ କ୍ଷମତା ପାଇଥିବା ଏହି ଡାକ୍ତରଖାନା ତଥା ମେଡିକାଲ କଲେଜ (ଭିମ୍‌ସାର)କୁ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟରେ ମିଶାଇବା ପାଇଁ ବଡ଼ ‌ଷଡ୍‌ଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପଶ୍ଚିମଓଡ଼ିଶାର ହୋଇଥିଲେ ହେଁ ଭିମ୍‌ସାରର ଏଭଳି ଅବସ୍ଥା ପଶ୍ଚିମ ଓଡ଼ିଶାବାସୀଙ୍କୁ ହତାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe