NewsKarnataka
ହରିଚନ୍ଦନପୁର : ୮ ବର୍ଷର ନାବାଳକ ଶାଳକ ଉପରେ ଗରମ ପାଣି ଢ଼ାଳିବା ଘଟଣାରେ ଦୈତାରୀ ପୁଲିସ ଭିଣୋଇ ଧନୁ ମୁଣ୍ଡାକୁ ଗୁରଫ କରି କୋର୍ଟଚାଲାଣ କରିଛି। ହରିଚନ୍ଦନପୁର ବ୍ଲକ୍ ରାସୋଳ ପଞ୍ଚାୟତ ଖସାପଦା ଗ୍ରାମସ୍ଥିତ ଶ୍ବଶୁର ଘରକୁ ଆସିଥିଲେ ଧନୁ ଏବଂ ପତ୍ନୀ ପୁଚୁକି। ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ଝଗଡ଼ା ହେଉଥିବାବେଳେ ନାବାଳକ ବୁଦୁ ଏହାକୁୁ ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଭିଣୋଇ ଧନୁ ତା ଉପରେ ଗରମ ପାଣି ଢ଼ାଳି ଦେଇଥିଲା।
ବୁଦୁ ଗୁରୁତର ଅବସ୍ଥାରେ ଏବେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ଏନେଇ ଦୈତାରୀ ଥାନାରେ ବୁଦୁଙ୍କ ସମ୍ପର୍କୀୟ ବେଣୁଧର ପିଙ୍ଗୁଆଙ୍କ ଅଭିଯୋଗକ୍ରମେ ପୁଲିସ କେସ୍ ନମ୍ବର ୫୪/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଧନୁକୁ କୋର୍ଟଚାଲାଣ କରିଛି। ଅନ୍ୟପକ୍ଷରେ ବୁଦୁର ବାପାମା' ଓ ବଡ଼ଭାଇ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ଗ୍ରାମରେ ବୁଦୁର ଅନ୍ୟଜଣେ ଭାଇ, ବଡ଼ମା' ଓ ଛୋଟଛୋଟ ୩ଟି ଭଣଜାଭାଣିଜୀ ଅଛନ୍ତି। ଗରିବ ପରିବାର ଦୁଃଖକଷ୍ଟରେ ଚଳୁଛନ୍ତି।
ଗତକାଲି ଖସାପଦା ଗ୍ରାମକୁ ଦୈତାରୀ ଥାନା ଅଧିକାରୀ ତୁଳସୀ ମଞ୍ଜରୀ ଭୂୟାଁ ଯାଇ ବୁଦୁଙ୍କ ପରିବାରକୁ ଚାଉଳ ଓ ରାସନ ସାମଗ୍ରୀ ଦେଇଥିଲେ। ଆଜି ରେବଣାପଳାଶପାଳ ଗ୍ରାମର ଯୁବ ସମାଜସେବୀ ସୁମନ୍ତ କୁମାର ସାହୁ, ଚିରଞ୍ଜୀବୀ ସାହୁ, ଲକ୍ଷ୍ମଣ କୁମାର ମହାନ୍ତ, ସନ୍ତୋଷ କୁମାର ବେଜ ଓ ମହେଶ୍ୱର ଦେହୁରୀ ପ୍ରମୁଖ ତାଙ୍କ ଘରେ ପହଞ୍ଚି ମାସକ ପାଇଁ ରାସନ ସାମଗ୍ରୀ, ପୋଷାକ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
Follow Us