ଉଚ୍ଚଶିକ୍ଷା ଓ ଗବେଷଣା ହବ୍‌ ହେବ ଭୁବନେଶ୍ବର

Advertisment
ଉଚ୍ଚଶିକ୍ଷା ଓ ଗବେଷଣା ହବ୍‌ ହେବ ଭୁବନେଶ୍ବର

ନୂଆଦିଲ୍ଲୀ:  ଗବେଷଣା ଓ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଭୁବନେଶ୍ବରକୁ କେନ୍ଦ୍ର ସରକାର ଗୁରୁତ୍ବ ଦେବାକୁ ଯାଉଛନ୍ତି। ଦେଶର ୯ଟି ପ୍ରମୁଖ ସହରକୁ ଗବେଷଣା ଓ ଉଚ୍ଚ ଶିକ୍ଷା ହବ୍‌ ପ୍ରତିଷ୍ଠା କରିବା ପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଉଛି ସେଥିରେ ଭୁବନେଶ୍ବର ସହର ସାମିଲ ଥିବାର ଜଣାପଡିଛି।

ବିଶ୍ବସ୍ତ ସୁତ୍ରରୁ ଜଣାପଡିଛି ଯେ, ଦେଶର ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟାଙ୍କ ତତ୍ତ୍ବାବଧାନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ବାରା ଗବେଷଣା ଓ ଉଚ୍ଚ ଶିକ୍ଷା ସଂସ୍ଥାନ ବହୁଳ ସହରମାନଙ୍କର ଚୟନର କାର୍ଯ୍ୟ ଜାରି ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଉଁ ୯ଟି ସହରକୁ ଗବେଷଣା ଓ ଉଚ୍ଚ ଶିକ୍ଷାର ହବ୍‌ ରୂପେ ବିକଶିତ କରାଯିବା ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଇଛି ସେସବୁ ସହର ହେଲା- ଭୁବନେଶ୍ବର, ଦିଲ୍ଲୀ, ଚେନ୍ନାଇ, ଯୋଧପୁର, ହାଇଦ୍ରାବାଦ, ଜମ୍ମୁ, ବେଙ୍ଗାଲୁରୁ, ବାରାଣାସୀ ଓ ପୁନେ।

ସୂତ୍ର ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ର ସରକାର ଏ ସବୁ ସହରମାନଙ୍କୁ ଗବେଷଣା ଓ ଶିକ୍ଷା ରୂପେ ବିକଶିତ କରିବା ହବ୍‌ ସଂପର୍କିତ ଘୋଷଣା କରିବେ। କେନ୍ଦ୍ର ସରକାରଙ୍କ ଦ୍ବାରା ୯ଟି ସହରକୁ ଗବେଷଣା ଓ ଶିକ୍ଷାର ହବ୍‌ ରୂପେ ପ୍ରତିଷ୍ଠା କରିବା ନେଇ ଯେଉଁ ସବୁ ପରିମାପକ ନିର୍ଦ୍ଧାରିତ କରୁଛନ୍ତି ସେଥିରେ ସଂବନ୍ଧିତ ସହରମାନଙ୍କରେ ଗବେଷଣା ଓ ଉଚ୍ଚ ଶିକ୍ଷା ସଂସ୍ଥାନ ସହିତ ପ୍ରମୁଖ ଉଦ୍ୟୋଗମାନଙ୍କର ଅବସ୍ଥିତିକୁ ମଧ୍ୟ ଧ୍ୟାନ ରଖାଯାଇଥିବାର କୁହାଯାଉଛି। ଭୁବନେଶ୍ବର ସହର ସ୍ମାର୍ଟ ସିଟି ତାଲିକାରେ ସର୍ବୋଚ୍ଚ ସ୍ଥାନରେ ଥିବା ସହିତ ସହରରେ ଶିକ୍ଷା ଓ ଗବେଷଣାର କିଛି ସଂସ୍ଥାନର ଉପସ୍ଥିତିକୁ ବିଚାରକୁ ନେଇ ଭୁବନେଶ୍ବର ସହରରେ ଶିକ୍ଷାର ହବ୍‌ ବିକଶିତ କରିବାର ପ୍ରମୁଖ କାରଣ ବୋଲି କୁହାଯାଉଛି।

ସୂଚନା ଯୋଗ୍ୟ, ଚଳିତ ବର୍ଷ ୨୦୨୧-୨୨ ସାଧାରଣ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଭାଷଣରେ ଦେଶର ଅନେକ ସହରରେ ବିଭିନ୍ନ ପ୍ରକାରର ଗବେଷଣା ପ୍ରତିଷ୍ଠାନ, ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଭାରତ ସରକାରଙ୍କୁ ସହାୟତା ଓ ସହଯୋଗ କରୁଛି ବୋଲି ଉଲ୍ଲେଖ କରିବା ସହିତ ହାଇଦ୍ରାବାଦରେ ୪୦ଟି ପ୍ରତିଷ୍ଠାନ ରହିଥିବାର କହିଥିଲେ। ହାଇଦ୍ରାବାଦ ଭଳି ୯ଟି ସହରରେ ଅନୁଷ୍ଠାନିକ ଏକକ ଭିତ୍ତିଭୂମି ଗଠନ କରାଯିବ ତଥା ଏକ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯିବ ବୋଲି ସେ ଘୋଷଣା କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦେଶରେ ବର୍ତ୍ତମାନ ୩୦ରୁ ଊର୍ଦ୍ଧ ସହରରେ ୫୦ରୁ ଅଧିକ ଗବେଷଣା ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନ ରହିଛି। ସେଥିରୁ ଚୟନିତ ହେବାକୁ ଥିବା ୯ଟି ସହର  ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ଫୋକସ ପ୍ରଦାନ କରାଯାଇ ବିକଶିତ କରାଯିବ। ୯ଟି ସହର ଗବେଷଣା ଓ ଉଚ୍ଚ ଶିକ୍ଷାର ହବ୍‌ ରୂପେ ପରିଣତ ହେଲେ ଏହାର ଫାଇଦା ଦେଶକୁ ମିଳିବା ସହିତ ବିଶ୍ବର ଛାତ୍ରଛାତ୍ରୀ ମାନଙ୍କୁ ଏହା ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe