ଜୁଲାଇରେ ଚଳଚଞ୍ଚଳ ହେବ ଭୁବନେଶ୍ବର

Advertisment
ମହାରାଷ୍ଟ୍ରରେ ୪ କୋଟି ଲୋକଙ୍କ ସମ୍ପୂର୍ଣ ଟିକାକରଣ

ହୋଟେଲ, ପର୍ଯ୍ୟଟନ ଶିଳ୍ପ କର୍ମଚାରୀଙ୍କୁ ଅଗ୍ରାଧିକାର
ଓକାକ୍‌ରେ ଆଇଟି କର୍ମଚାରୀଙ୍କୁ ଟିକାଦାନ ଆରମ୍ଭ
ବ୍ୟବସାୟୀ, ଔଷଧ ଦୋକାନୀଙ୍କୁ ଟିକାକରଣ ଖୁବ୍‌ଶୀଘ୍ର

ଭୁବନେଶ୍ବର : କରୋନାର ପ୍ରଥମ ଲହରରେ ରାଜଧାନୀରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ବିତୀୟ ଲହରରେ ବି ଏହା ସବୁ ରେକର୍ଡ ଅତିକ୍ରମ କରିସାରିଲାଣି। ଭବିଷ୍ୟ‌ତରେ କରୋନା ଯେପରି ରାଜଧାନୀକୁ ଅଧିକ ପ୍ରଭାବିତ କରିବନି ଏବଂ ସବୁ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ଅଫିସ ଆଦି ଖୋଲା ରହିବ ସେଥିପାଇଁ ବିଏମ୍‌ସି ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଖୁବ୍‌ ଶୀଘ୍ର ରାଜଧାନୀରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ବିଏମ୍‌ସି ପକ୍ଷରୁ ହୋଟେଲ କର୍ମଚାରୀ, ବିଭିନ୍ନ ବେସରକାରୀ ସଂସ୍ଥାର କର୍ମଚାରୀ, ବ୍ୟବସାୟୀ ସଂଘ, ଉଠା ଦୋକାନୀ, ଔଷଧ ଦୋକାନୀମାନଙ୍କୁ ଟିକାକରଣରେ ସାମିଲ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଯେଉଁଠିକୁ ଅଧିକ ଲୋକ ଯାତାୟତ କରୁଛନ୍ତି ବା ଯେଉଁମାନେ ପ୍ରତିଦିନ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରିବାକୁ ନିଷ୍ପତ୍ତି ହୋଇଛି। ଜୁଲାଇ ୧୫ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଯୋଜନା ହୋଇଥିଲେ ହେଁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ପର୍ଯ୍ୟଟନ ଶିଳ୍ପ. ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀଙ୍କୁ ଜୁଲାଇ ୧୦ ସୁଦ୍ଧା ଦୁଇ ଡୋଜ୍‌ ଟିକା ଦେବାକୁ ଯୋଜନା ହୋଇଛି। ଜୁଲାଇ ମାସରୁ ରାଜଧାନୀରେ ଯେପରି ସ୍ଥିତି ସ୍ବାଭାବିକ ହୋଇଯିବ ସେଥିପାଇଁ ବିଏମ୍‌ସି କମିସନରଙ୍କ ନେତୃତ୍ବରେ ପୂରା ଟିମ୍ ଲାଗି ପଡ଼ିଛନ୍ତି।

ଆଜିଠାରୁ ବିଭିନ୍ନ ସ୍ଥାନରେ ନୂଆ କେନ୍ଦ୍ର କରି ଏହିଭଳି ଟିକାକରଣ ଆରମ୍ଭ ହୋଇଛି। ଗୁରୁବାରଠାରୁ ତିନିଟି ଡ୍ରାଇଭ୍ ଇନ୍ ଟିକା କେନ୍ଦ୍ର ବି କାର୍ଯ୍ୟକ୍ଷମ ହେବ। ଯାହାକୁ ଯେଉଁଠି ସୁବିଧା ହେବ ସେଠାରେ ଏକାଠି କରି ଟିକା ଦେବାକୁ ବି ବିଏମ୍‌ସି ପଛଘୁଞ୍ଚା ଦେଉନି।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବହୁ ରାଜ୍ୟରେ ସଂକ୍ରମଣ କମି ଯାଇଥିବାବେଳେ ଖୁବ୍‌ ଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିବ। ବିମାନ, ଟ୍ରେନ୍ ଚଳାଚଳ ସ୍ବାଭାବିକ ହେଲେ ବାହାର ରାଜ୍ୟରୁ ଲୋକଙ୍କ ଯାତାୟତ ବଢ଼ିବ। ପର୍ଯ୍ୟଟକ ବି ଆସିବେ। ତେଣୁ ଏହାକୁ ନଜରରେ ବିଏମ୍‌ସି ପକ୍ଷରୁ ଆଜିଠାରୁ ହୋଟେଲ କର୍ମଚାରୀଙ୍କୁ ‌କୋଭିଡ ଟିକା ପ୍ରଦାନ ଆରମ୍ଭ ହୋଇଛି। ବିଏମ୍‌ସି ପକ୍ଷରୁ ଆଜି ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍ ଅଫ୍ ଓଡ଼ିଶା ସହଯୋଗରେ ଓଏସ୍‌ଏପି ୭ମ ବାଟାଲିଅନ ଉଚ୍ଚ ବିଦ୍ୟାଳୟରେ ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ଏଠାରେ ରାଜଧାନୀର ବହୁ ତାରକା ହୋଟେଲ ସମେତ ଛୋଟ ବଡ଼ ହୋଟେଲର କର୍ମଚାରୀମାନେ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟିକା ନେଇଥିଲେ। ସ୍ଲଟ୍ ବୁକିଂ କରି ଟିକା ନେବା ବିଳମ୍ବ ହେଉଥିବାରୁ ବିଏମ୍‌ସି ପକ୍ଷରୁ ଏହିଭଳି ପଦକ୍ଷେପ ‌ନିଆଯାଇଥିବା କୁହାଯାଇଛି। ଦୁଇରୁ ତିନି ଦିନରେ ସମସ୍ତ ହୋଟେଲ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଆଜି ଆଚାର୍ଯ୍ୟବିହାରସ୍ଥିତ ଓକାକ୍‌ ଟାୱାରରେ ଆଇଟି କର୍ମଚାରୀଙ୍କ ପାଇଁ ଟିକାଦାନ ଶିବିର ଆୟୋଜନ ହୋଇଥିଲା। ଏଥିରେ ରାଜଧାନୀର ବିଭିନ୍ନ ଆଇଟି କମ୍ପାନିର କର୍ମଚାରୀମାନେ ଯୋଗଦେଇ ଆଇକାର୍ଡ ଦେଖାଇ ଟିକା ନେଇଥିଲେ। ପ୍ରାୟ ୧୦୦ରୁ ଅଧିକ କର୍ମଚାରୀ ଟିକା ନେଇଥିଲେ।

ଉକ୍ତ ଅଧିକାରୀ ଜଣଙ୍କ କହିବାନୁଯାୟୀ, ଖୁବ୍‌ ଶୀଘ୍ର ପର୍ଯ୍ୟଟନ ଶିଳ୍ପ ସହିତ ସଂପୃକ୍ତ କର୍ମଚାରୀ, ବ୍ୟବସାୟୀ ମହାସଂଘ, ମାର୍କେଟ୍ ଆସୋସିଏସନ୍‌ଗୁଡ଼ିକ ସହଯୋଗରେ ବ୍ୟାପକ ଟିକାକରଣ କରାଯିବ। ରାଜଧାନୀର ସବୁ ଦୋକାନୀଙ୍କୁ ଟିକା ଦିଆଯିବ। ଏଥିରେ ଔଷଧ ଦୋକାନୀଙ୍କ ଠାରୁ ଆରମ୍ଭ କରି ସଉଦା, କପଡ଼ା ଦୋକାନୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଟିକା ଦିଆଯିବ। ଏଥିପାଇଁ ବିଭିନ୍ନ ମାର୍କେଟ୍ ନିକଟରେ ଅସ୍ଥାୟୀ ଟିକାଦାନ ଶିବିର ଖୋଲିବ।

ରାଜଧାନୀରେ ଯେପରି କରୋନା ସଂକ୍ରମଣ ଭୟ ରହିବନି ଏବଂ ବାହାର ରାଜ୍ୟର ପର୍ଯ୍ୟଟକ ଓ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକ ନିଜକୁ ସୁରକ୍ଷିତ ମଣିବେ ସେ ବ୍ୟବସ୍ଥା କରାଯାଉଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe