ଭୁବନେଶ୍ୱର, କଟକର ୨୧ ମାଛ ନମୁନା ନେଗେଟିଭ୍‌

Advertisment

ପମଫ୍ରେଟ୍‌ ମାଛରେ ଫର୍ମାଲିନ୍‌ ମିଳିବା ଘଟଣା

ପମଫ୍ରେଟ୍‌ ମାଛରେ ଫର୍ମାଲିନ୍‌ ମିଳିବା ଘଟଣା

ଭୁବନେଶ୍ୱର, କଟକର ୨୧ ମାଛ ନମୁନା ନେଗେଟିଭ୍‌

ଭୁବନେଶ୍ୱର: ପମ୍‌ଫ୍ରେଟ୍‌ ମାଛରେ ଗତ ଶୁକ୍ରବାର ଯାଞ୍ଚ ସମୟରେ ଫର୍ମାଲିନ୍‌ର ଉପସ୍ଥିତିକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଫର୍ମାଲିନ୍‌ ଭଳି ଏକ ବିଷାକ୍ତ ରସାୟନ ମାଛରେ ମିଳିବା ପରେ ରାଜ୍ୟବ୍ୟାପୀ ମାଛ ବଜାରରୁ ନମୁନା ସଂଗ୍ରହ କାର୍ଯ୍ୟ ଜାରି ରହିଛି। ତେବେ ଗତ ରବିବାର ଭୁବନେଶ୍ୱର ଓ କଟକର ମାଛ ବଜାରରୁ ସଂଗୃହୀତ ମାଛ ନମୁନା ରିପୋର୍ଟରେ ଫର୍ମାଲିନ୍‌ର ଉପସ୍ଥିତି ଜଣାପଡ଼ିନାହିଁ। ଯାହାଫଳରେ ମାଛରେ ଫର୍ମାଲିନ୍‌ ମିଶିବାକୁ ନେଇ ସୃଷ୍ଟି ହୋଇଥିବା ହଇଚଇରେ ସାମାନ୍ୟ ରୋକ୍‌ ଲାଗିଛି।

ସୂଚନା ଅନୁଯାୟୀ, ଗତ ରବିବାର ଉଭୟ ମତ୍ସ୍ୟ ଓ ପଶୁସଂପଦ ବିଭାଗ ଓ ଖାଦ୍ୟ ସୁରକ୍ଷା ପକ୍ଷରୁ ମିଳିତ ଭାବେ ଭୁବନେଶ୍ୱର ଓ କଟକରୁ ମାଛ ନମୁନା ସଂଗ୍ରହ କରାଯାଇଥିଲା। ରାଜଧାନୀର ୟୁନିଟ-୪ସ୍ଥିତ ମାର୍କେଟ୍‌ ଓ ଅନ୍ୟ ସ୍ଥାନରୁ ମିଶାଇ ୧୨ଟି ନମୁନା ଓ କଟକରୁ ୯ଟି ନମୁନା ସଂଗ୍ରହ ହୋଇଥିଲା। ଏଥିରେ ପେମଫ୍ରେଟ୍‌, ଚିଙ୍ଗୁଡ଼ି, ରୋହି, ଭାକୁର, ଇଲିଶି, ଭେକ୍‌ଟି ଓ ଖଇଙ୍ଗା ଭଳି ମାଛ ନମୁନା ରହିଥିଲା। ସଂଗୃହୀତ ଏହି ନମୁନାକୁ ଜନସ୍ୱାସ୍ଥ୍ୟ ଲାବୋରେଟାରି ଓ ପଶୁସଂପଦ ବିଭାଗର ଲାବୋରେଟାରିକୁ ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ଆଜି ଏହି ଦୁଇ ଲାବୋରେଟାରିକୁ ପରୀକ୍ଷା ରିପୋର୍ଟରେ ଫର୍ମାଲିନ୍‌ ନ ଥିବା ସ୍ପଷ୍ଟ ହୋଇଛି। ମାତ୍ର କେଉଁ ପରିସ୍ଥିତିରେ ପମଫ୍ରେଟ୍‌ ମାଛରେ ଫର୍ମାଲିନ୍‌ର ଉପସ୍ଥିତି ଜଣାପଡ଼ିଲା ତାହାକୁ ନେଇ ତର୍ଜମା ଜାରି ରହିଛି ବୋଲି ବିଭାଗୀୟ ଅଧିକାରୀ ମତ ଦେଇଛନ୍ତି। ରାଜ୍ୟବ୍ୟାପୀ ମାଛ ନମୁନା ସଂଗ୍ରହ ଜାରି ରହିଥିବାରୁ ଆଗାମୀ କିଛିଦିନ ମଧ୍ୟରେ ଫର୍ମାଲିନ୍‌ ନେଇ ସ୍ପଷ୍ଟ ମତ ହୋଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା.ରାମଚନ୍ଦ୍ର ରାଉତଙ୍କ ସୂଚନା ଅନୁଯାୟୀ, ମାଛ କିଣିବା ସମୟରେ ୬ଟି ବିଷୟରେ ଧ୍ୟାନ ଦେବାକୁ ଖାଦ୍ୟ ସୁରକ୍ଷା ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛଇ। ପଚି ଯାଇଥିବା କିମ୍ବା ଧରିଲେ ଖଣ୍ଡ ଖଣ୍ଡ ହୋଇଯାଉଥିବା, ମାଛର ରଂଗ ବଦଳି ଯାଇଥିବା, ମାଛରେ କଳା ଦାଗ, ମାଛର ଶିରା ପ୍ରଶିରା ଶୁଖି ଯାଇଥିବା କିମ୍ବା କୌଣସି ବାହାର ପଦାର୍ଥ ଲାଗିଥିଲେ ଜଣେ ମାଛ କିଣନ୍ତୁ ନାହିଁ ବୋଲି ଡା.ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe