Latest Odisha News
ନୂଆପଡ଼ା : ସାଧାରଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ ରାଜପଥରେ ଅତିଥି ଭାବେ ସାମିଲ ହୋଇଥିବା ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ଭୁଞ୍ଜିଆ ଓ କୁଞ୍ଜାବାଇ ଭୁଞ୍ଜିଆ ଗୁରୁବାର ଗାଁକୁ ଫେରିଛନ୍ତି। ଘରକୁ ପହଞ୍ଚିବା ପରେ ଚକୋଟିଆ ଭୁଞ୍ଜିଆ ଆଦିମ ଜନଜାତି ସଂପ୍ରଦାୟର ରୀତିନୀତି ଅନୁସାରେ ଶୁଦ୍ଧ ହୋଇ ଇଷ୍ଟଦେବୀ ସୁନାଦେଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଆଜି ବିଳମ୍ବ ହୋଇଯାଇଥିବାରୁ ଶୁକ୍ରବାର ଭୁଞ୍ଜିଆ ଦମ୍ପତି ଘରେ ଥିବା ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ଲାଲ ବଙ୍ଗଲାକୁ ପ୍ରବେଶ କରିବେ ବୋଲି ସୂଚନା ଦେଇଛନ୍ତି।
ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିବା ଭୁଞ୍ଜିଆ ଦମ୍ପତି ୬ ଦିନ ଦିଲ୍ଲୀରେ ରହି ବିଭିନ୍ନ ସ୍ଥାନ ବୁଲି ଆଜି ଉଡ଼ାଜାହାଜରେ ରାୟପୁର ପହଞ୍ଚିଥିଲେ। ସେଠାରୁ ଏକ ଗାଡ଼ିରେ ନୂଆପଡ଼ା ଆସିଥିଲେ। ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ସାକ୍ଷାତ କରିବା ପରେ ଭୁଞ୍ଜିଆ ଦମ୍ପତି ସୁନାବେଡ଼ା ଅଭୟାରଣ୍ୟ ସୁନାବେଡ଼ା ଗାଁରେ ପହଞ୍ଚିଥିଲେ। ଦମ୍ପତି ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ଚକୋଟିଆ ଭୁଞ୍ଜିଆ ପରମ୍ପରା ଅନୁସାରେ ସମାଜର ଭାଇବନ୍ଧୁକୁ ଡାକି ରୀତିନୀତି ଅନୁସାରେ ଶୁଦ୍ଧି ହୋଇଥିଲେ। ମା ସୁନାଦେଈ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ଘରକୁ ପ୍ରବେଶ କରିଥିଲେ।
ଗୁରୁବାର ଦିନ ବିଳମ୍ବ ହେବାରୁ ଲାଲ ବଙ୍ଗଲାକୁ ପ୍ରବେଶ କରିନଥିବା ସୂଚନା ଦେଇଛନ୍ତି। ଶୁକ୍ରବାର ଭୋରରେ ପୁଣି ଶୁଦ୍ଧି ହୋଇ ନିଜ ଇଷ୍ଟଦେବୀ ସହ ରୋଷେଇ ଘର ଲାଲ ବଙ୍ଗଲାକୁ ପ୍ରବେଶ କରିବେ ବୋଲି ସୂଚନା ଦେଇଛନ୍ତି।
Follow Us