କଳାହାଣ୍ଡିରେ ଭୂପେଶ ବାଘେଲଙ୍କ ନିର୍ବାଚନ ପ୍ରଚାର: ‘ସମ୍ବିଧାନ ବଦଳାଇବାକୁ ଚାହୁଛନ୍ତି ନରେନ୍ଦ୍ର ମୋଦୀ’

Advertisment
କଳାହାଣ୍ଡିରେ ଭୂପେଶ ବାଘେଲଙ୍କ ନିର୍ବାଚନ ପ୍ରଚାର: ‘ସମ୍ବିଧାନ ବଦଳାଇବାକୁ ଚାହୁଛନ୍ତି ନରେନ୍ଦ୍ର ମୋଦୀ’

ଧର୍ମଗଡ଼/ବିଶ୍ୱନାଥପୁର: ନିର୍ବାଚନ ପ୍ରଚାର ପାଇଁ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କଳାହାଣ୍ଡିରେ ପହଞ୍ଚିଛନ୍ତି। ସେ ବୁଧବାର ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଓ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ପ୍ରଚାର କରିଛନ୍ତି। ଶ୍ରୀ ବାଘେଲ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନ ବଦଳାଇବାକୁ ଚାହୁଛନ୍ତି, କିନ୍ତୁ ସେ ଜାଣିବା କଥା ଭୋଟ୍‌ ଦେବାର ଅଧିକାର ବାବାସାହେବ ଅମ୍ବେଦକର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭୋଟ୍‌ର ମୂଲ୍ୟ ଯେତେ ଗୋଟିଏ ସାଧାରଣ ଲୋକର ଭୋଟ୍‌ ମୂଲ୍ୟ ମଧ୍ୟ ସେତିକି। ଏହି ସମାନତାର ଅଧିକାର ସମ୍ବିଧାନ ଦେଇଛି ବୋଲି ସେ କହିଥିଲେ। ତେଣୁ ସମ୍ବିଧାନ ବିରୋଧୀ ବିଜେପିକୁ ଭୋଟ୍‌ ନ ଦେଇ କଂଗ୍ରେସକୁ ଭୋଟ୍‌ ଦେବାକୁ ସେ ଅନୁରୋଧ କରିଥିଲେ।

କଳାହାଣ୍ଡି ଜିଲ୍ଲାରେ କଂଗ୍ରେସର ସାଂସଦ ପ୍ରାର୍ଥୀ ସହ ସମସ୍ତ ବିଧାୟକ ପ୍ରାର୍ଥୀ ବିଜୟୀ ହେବେ ବୋଲି ଓଡ଼ିଶା କଂଗ୍ରେସ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ତଥା ନର୍ଲା ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ କହିବା ସହିତ କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସଭାରେ ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀ, ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ରଶ୍ମିରେଖା ରାଉତ ଓ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ତୁଲେଶ୍ୱର ନାଏକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ ରାଜ୍ୟର ବିନ୍ଦ୍ରା ନୟାଗଡ଼  ବିଧାୟକ ଜନକ ରାମ ଦୁରୁଗ, ବିହାର ରାଜ୍ୟର ଉପ ସଭାପତି ଆଚାର୍ଯ୍ୟ ଗୌରବ, ଭାରତୀୟ କଂଗ୍ରେସ କଳାହାଣ୍ଡି ପ୍ରଭାରୀ ସ୍ୱପ୍ନିଲ ମିଶ୍ର, କିଷାନ ସେଲର ପୂର୍ବ ସଭାପତି ଆଶିଷ ପାଣ୍ଡେ ପ୍ରମୁଖ କଂଗ୍ରେସକୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ଧମର୍ଗଡ଼ର ସରଧାପୁରରେ ଆୟୋଜିତ ସଭାରେ ପିସିସି ସଭ୍ୟ ତୁଷାର ରଞ୍ଜନ ପାଟଯୋଶୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧର୍ମଗଡ଼ ବ୍ଲକ ସଭାପତି ପ୍ରେମଲାଲ ସାଗର ମଞ୍ଚ ପରିଚାଳନା କରିଥିଲେ।

ସେହିପରି ବିଶ୍ୱନାଥପୁର ଧନୁଯାତ୍ରା ପଡ଼ିଆରେ ଆୟୋଜିତ ସଭାରେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ ସଭାପତିତ୍ବ କରିଥିଲେ। ଶ୍ରୀ ବାଘେଲ ସଭାରେ ଉପସ୍ଥିତ ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀ ଓ ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ। ଓଡ଼ିଶାର ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ଦାସ ମଧ୍ୟ ଏହି ଜନସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe