Bibhu Babu's calculations: ବିଭୁ ବାବୁଙ୍କ ଗଣନା ସତ ହେଲା

ଆମ ମାତୃଭାଷାର ସୁରକ୍ଷା, ଏହାର ପ୍ରଚାର ଓ ପ୍ରସାର ସମେତ ରକ୍ତଦାନ, ମତଦାନ, ନିଶା ନିବାରଣ, ପରିବାର ଓ ପରିବେଶ ଏବଂ ବରିଷ୍ଠ ନାଗରିକଙ୍କ ନୈତିକ ମନୋବଳ ବୃଦ୍ଧି ଲକ୍ଷ୍ୟରେ ‘ଷାଠିଏ ଛୁଇଁଲା, ନୂଆ ଜୀବନ ଆରମ୍ଭ ହେଲା’ ଆଦି ବହୁବିଧ ସାମାଜିକ....

daggdagzvc

ଭୁବନେଶ୍ବର: ଆମ ମାତୃଭାଷାର ସୁରକ୍ଷା, ଏହାର ପ୍ରଚାର ଓ ପ୍ରସାର ସମେତ ରକ୍ତଦାନ, ମତଦାନ, ନିଶା ନିବାରଣ, ପରିବାର ଓ ପରିବେଶ ଏବଂ ବରିଷ୍ଠ ନାଗରିକଙ୍କ ନୈତିକ ମନୋବଳ ବୃଦ୍ଧି ଲକ୍ଷ୍ୟରେ ‘ଷାଠିଏ ଛୁଇଁଲା, ନୂଆ ଜୀବନ ଆରମ୍ଭ ହେଲା’ ଆଦି ବହୁବିଧ ସାମାଜିକ କାର୍ଯ୍ୟକ୍ରମ ତ୍ବରାନ୍ବିତର ମହତ ଲକ୍ଷ୍ୟରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବେଛାସେବୀ ସଂଗଠନ ‘‘ଆମ ଓଡ଼ିଶା’’ କାର୍ଯ୍ୟରତ। ତେବେ ‘ସମ୍ବାଦ’ର ସଂପାଦକ ପଦରୁ ସେ ଅବ୍ୟାହତି ନେବା ପରେ ତାଙ୍କ ସଂପାଦନାରେ ଗତ ଜୁଲାଇରୁ ନିୟମିତ ପ୍ରକାଶ ପାଇଆସୁଛି ସାପ୍ତାହିକ ପତ୍ରିକା ‘‘ଆମ ଓଡ଼ିଶା’’।

ଏଥିରେ ସ୍ଥାନିତ ଜ୍ୟୋତିର୍ବିଦ୍‌ ବିଭୁଦାନନ୍ଦ ଶତପଥୀଙ୍କ ନିୟମିତ ସ୍ତମ୍ଭ ‘ଆମ ଗ୍ରହ ନକ୍ଷତ୍ର’ରେ ଟ୍ରମ୍ପ ପ୍ରଶାସନର ପରିବର୍ତ୍ତିତ ଆଭିମୁଖ୍ୟରେ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କର ରୂପରେଖ, ଜମ୍ମୁ-କାଶ୍ମୀରର ପହଲ୍‌ଗାମ୍‌ରେ ସଂଘଟିତ ଗଣହାତ୍ୟାରୁ ସୂତ୍ରପାତ ଭାରତ-ପାକିସ୍ତାନ ଉତ୍ତେଜନା ଓ ଅପରେସନ୍‌ ସିନ୍ଦୂରର ପରିଣାମ, ସର୍ବୋପରି କେନ୍ଦ୍ର ଓ ରାଜ୍ୟ ନେତୃବର୍ଗଙ୍କ ସମ୍ପର୍କରେ ପ୍ରକାଶିତ ଅନେକ ଭବିଷ୍ୟବାଣୀ ଆପାତତଃ ସତ ପ୍ରମାଣିତ ହୋଇଛି। ଏହି କ୍ରମରେ ବହୁ ଚର୍ଚ୍ଚିତ ବିହାର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ‘କିଏ ପିନ୍ଧିବ ବିଜୟ ମୁକୁଟ’ ଶିରୋନାମରେ ଭୋଟ ପୂର୍ବରୁ ‘‘ଆମ ଓଡ଼ିଶା’’ର ୭-୧୩ ନଭେମ୍ବର ସଂସ୍କରଣରେ ଭବିଷ୍ୟବାଣୀ ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜନତା ଦଳ (ୟୁ) ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ପ୍ରମୁଖଙ୍କ ଜନ୍ମ ତାରିଖକୁ ନେଇ ଜ୍ୟୋତିର୍ବିଦ୍‌ ଶ୍ରୀ ଶତପଥୀ ଗଣନା କରି ଭବିଷ୍ୟବାଣୀ କରିଥିଲେ ଯେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡ଼ିଏ) ପୁନର୍ବାର କ୍ଷମତାକୁ ଆସିବ।

ନୂଆପଡ଼ା ଉପନିର୍ବାଚନର ଫଳାଫଳ ନିର୍ଣ୍ଣୟ ପାଇଁ ଶ୍ରୀ ଶତପଥୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମ ସମୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମ ରାଶି, ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେଡି ପ୍ରତ୍ୟାଶୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମାନୁସାରେ ଆସୁଥିବା ରାଶିକୁ ନେଇ ଗଣନା କରିଥିଲେ। ଭୋଟଦାନ ତାରିଖର ଦୁଇ ସପ୍ତାହ ପୂର୍ବରୁ ‘‘ଆମ ଓଡ଼ିଶା’’ର ୩୧ ଅକ୍ଟୋବର-୬ ନଭେମ୍ବର ସଂସ୍କରଣରେ ‘ନୂଆପଡ଼ା ଦେଖିବ ନୂଆ ପ୍ରତିନିଧି’ ଶୀର୍ଷକରେ ପ୍ରକାଶ ପାଇଥିଲା ଭବି‌ଷ୍ୟବାଣୀ।  ବିହାର ନିର୍ବାଚନ ଓ ନୂଆପଡ଼ା ଉପନିର୍ବାଚନକୁ ନେଇ ବହୁ ରାଜନୈତିକ ସମୀକ୍ଷକ, ଜନମତ ସର୍ଭେକୁ ଆଧାର କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ପୂର୍ବାନୁମାନ ଏତେ ସଠିକ ନଥିଲା। ମାତ୍ର ଉଭୟ କ୍ଷେତ୍ରରେ ଶ୍ରୀ ଶତପଥୀଙ୍କ ଭବିଷ୍ୟବାଣୀ ଥିଲା ସଠିକ ଓ ସ୍ପଷ୍ଟ। ସେ ନିର୍ଦ୍ଦିଷ୍ଟ ଭାବେ କହିଥିଲେ ଯେ ବିହାରରେ ଏନ୍‌ଡିଏ ପୁନର୍ବାର ସରକାର ଗଢ଼ିବ ଓ ନୂଆପଡ଼ାରେ ବିଜୟ ଟୀକା ପିନ୍ଧିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଶ୍ରୀ ଶତପଥୀଙ୍କ ଏହି ପୂର୍ବାନୁମାନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe