ଅସହ୍ୟ ହେଲାଣି ବିଦ୍ୟୁତ୍‌ କଷଣ, ପତ୍ର ହଲିଲେ ରାତିସାରା ବିଜୁଳି କାଟ୍‌

ଅସହ୍ୟ ହେଲାଣି ବିଦ୍ୟୁତ୍‌ କଷଣ, ପତ୍ର ହଲିଲେ ରାତିସାରା ବିଜୁଳି କାଟ୍‌

IndiaMART

ଜଳେଶ୍ବର: ଉତ୍ତର ବାଲେଶ୍ବର ଅଞ୍ଚଳରେ ଅଘୋଷିତ ବିଜୁଳି କାଟ ଅସହ୍ୟ ହେଲାଣି। ଗୋଟିଏ ଦିନରେ ସର୍ବନିମ୍ନ ୪/୫ ଘଣ୍ଟାରୁ ଅଧିକ ସମୟ ବିଜୁଳି କାଟ ହେଉଥିବାରୁ ଲୋକେ ଗୁଳୁଗୁଳିରେ ଛଟପଟ ହେଉଛନ୍ତି। ବିଜୁଳି କାଟ ଯୋଗୁ ଅଧିକ ପ୍ରଭାବିତ ହେଉଛି ଜଳ ଯୋଗାଣ। ନିୟମିତ ବିଜୁଳି କାଟ ହେଉଥିବା ଅଞ୍ଚଳରେ ପାଣି ପାଇଁ ଲୋକେ ଡହଳବିକଳ ହେଉଥିବା ଦେଖା ଯାଇଛି। ଏପରିକି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ସୁରୁଖୁରୁରେ ଚାଲି ପାରୁନଥିବାରୁ ବ୍ୟବସାୟୀ କ୍ଷତିଗ୍ରସ୍ତ ହେଉଛନ୍ତି।

ବିଶେଷ କରି ଜଳେଶ୍ବରର ବର୍ତ୍ତନା, ରାୟାଁରାମଚନ୍ଦ୍ରପୁର, ଖୁଲୁଡ଼ା, ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଭୋଗରାଇର କାନ୍ଥିଭଉଁରୀ, ଶ୍ରଦ୍ଧାପୁର, ରସୁଲପୁର, ନହରା, ବାଲିମ, ଖରିଦପିପଳ, ଗୁଣସାର୍ଥା, କୁଶୁଡ଼ା, ବାଲିଆପାଳ ବ୍ଲକର ଡଗରା, ଜାମକୁଣ୍ଡା, ଅସ୍ତି, ବସ୍ତାର ଦରଡ଼ା, ସନ୍ତୋଷପୁର, ଭେଲୋରା ଆଦି ଅଞ୍ଚଳରେ ବିଜୁଳି କାଟ ଯୋଗୁ ଉପଭୋକ୍ତା ଅତିଷ୍ଠ। କେଉଁଠି ୧୫ ମିନିଟ ତ କେଉଁଠି ଅଧଘଣ୍ଟା ପୁଣି ଆଉ କେଉଁଠି ଘଣ୍ଟା ଘଣ୍ଟା ବିଜୁଳି କାଟ ହେଉଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ସଟଡାଉନ ନିଆଯାଇଛି ଓ ମରାମତି କାର୍ଯ୍ୟ ଚାଲିଛି ବୋଲି ସଫେଇ ଦେଉଛନ୍ତି। ପୁଣି ପ୍ରତି ୫ରୁ ୧୦ ମିନିଟରେ ଥରେ ଲେଖାଏ ବିଜୁଳି ଟ୍ରିପ୍ କରିବା ସବୁଦିନିଆ ଘଟଣା ହୋଇଛି। ସେହିପରି ଯଦି ସାମାନ୍ୟ ବର୍ଷା କି ପବନ ହେଲା ତେବେ ଘଣ୍ଟା ଘଣ୍ଟା ବିଜୁଳି କାଟ ହେଉଛି। ବିଶେଷ କରି ଅପରାହ୍ନରେ କିମ୍ବା ସନ୍ଧ୍ୟାରେ ଯଦି ବର୍ଷା ସହ ସାମାନ୍ୟ ପବନରେ ପତ୍ର ଟିକେ ହଲିଗଲା ତେବେ ରାତି ତମାମ ବିଜୁଳି କାଟ ହେବା ଥୟ।

ଏବେ ଉତ୍ତର ବାଲେଶ୍ବର ଅଞ୍ଚଳରେ ଦୈନିକ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହୁଥିବା ବେଳେ ବିଜୁଳି କାଟ ଯୋଗୁ ଲୋକେ ଗରମରେ ସିଝି ଯାଉଛନ୍ତି। ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe