ପଶ୍ଚିମ ଉବୁଟୁବୁ, ଆସୁଛି ବଡ଼ ବନ୍ୟା

Advertisment

ଆଉ ୨୪ ଘଣ୍ଟା ପ୍ରବଳ ବର୍ଷିବ, ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଆଉ ୨୪ ଘଣ୍ଟା ପ୍ରବଳ ବର୍ଷିବ, ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଉବୁଟୁବୁ, ଆସୁଛି ବଡ଼ ବନ୍ୟା

ଭୁବନେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ପଶ୍ଚିମ ଓଡ଼ିଶା ବର୍ଷାପାଣିରେ ଉବୁଟୁବୁ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା ଦେଖା ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ସ୍ଥିତି ସଂଗିନ୍‌ ହୋଇପଡ଼ିଛି। ପଶ୍ଚିମ ଓଡ଼ିଶାର ସମସ୍ତ ନଦୀ ଉଛୁଳୁଛି। ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ମହାନଦୀରେ ବଡ଼ ବନ୍ୟା ଆଣିବାକୁ ଯାଉଛି। ଫଳରେ ଉପକୂଳ ଜିଲ୍ଲାମାନଙ୍କ ପାଇଁ ବି ବିପଦ ସୃଷ୍ଟି ହୋଇଛି। ହୀରା‌କୁଦରେ ଗେଟ୍‌ ଖୋଲିବା ପୂର୍ବରୁ ହିଁ ମହାନଦୀ ପୂର୍ଣ୍ଣଗର୍ଭା ହେଉଛି। ଆସନ୍ତା ୧୫ ତାରିଖ ସୁଦ୍ଧା ମୁଣ୍ଡଳି ଦେଇ ୧୨ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବ‌ାହିତ ହେବା ଆଶଙ୍କା ରହିଛି। ୧୪ରେ ହୀରାକୁଦ ଗେଟ୍‌ ଖୋଲିବ। ଏଥିସହ ଆହୁରି ୨୪ ଘଣ୍ଟା ବର୍ଷା ଆଶଙ୍କା ଥିବାରୁ ରାଜ୍ୟ‌େର ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିବାର ଆଶଙ୍କା କରାଯାଉଛି। ସମ୍ଭାବ୍ୟ ସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ଓ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ୧୫ ଓଡ୍ରାଫ୍‌ ଓ ୩ ଏନ୍‌ଡିଆର୍‌ଏଫ ଟିମ୍‌କୁ ମୁତୟନ କରାଯାଇଛି। ନଦୀ ବନ୍ଧ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ଉପକୂଳ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲାରେ ପାଣି ଘେରରେ ଥିବା ଲୋକଙ୍କ ପାଇଁ ରିଲିଫ ନିର୍ଦେଶ ମଧ୍ୟ ଦିଆଯାଇଛି।

ପଶ୍ଚିମ ଓଡ଼ିଶାରେ ସ୍ଥିତି ସଙ୍ଗିନ୍‌
୭ ଜିଲ୍ଲାକୁ ରେଡ୍ ଆଲର୍ଟ
୧୫ ତାରିଖରେ ମୁଣ୍ଡଳିରେ ୧୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ ସମ୍ଭାବନା

ଭାରତୀୟ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବ। ସେ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡିର କର୍ଲାମୁଣ୍ଡାରେ ସର୍ବାଧିକ ୬୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ର ଜାରି କରିଥିବା ସ୍ବତନ୍ତ୍ର ବୁଲେଟିନ୍ ଅନୁଯାୟୀ, ଲଘୁଚାପର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଓ ନୂଆପଡ଼ା ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଏସବୁ ଜିଲ୍ଲାରେ ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଲାଗି ରହିଛି। ଆହୁରି ବର୍ଷା ହେଲେ ସ୍ଥିତି ଆହୁରି ସଙ୍ଗିନ ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୭ଟି ଜିଲ୍ଲା ପାଇଁ ସତର୍କତାମୂଳକ ରେଡ଼୍ ଆଲର୍ଟ ଜାରି କରିଛି। ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର ସମେତ ଅନୁଗୁଳ, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ଏହି ୧୦ଟି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବାକୁ ଥିବାରୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି। ସେହିପରି ମାଲକାନଗିରି, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବର୍ଷା ସହିତ ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଲଘୁଚାପ ଯୋଗୁଁ ବଙ୍ଗୋପସାଗର ଅଶାନ୍ତ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଛ ଧରିବାକୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ ବିଭାଗ ସତର୍କ କରାଇଛି।

ସ୍ବତନ୍ତ୍ର ରିଲିଫ କମିସନର ଜାରି କରିଥିବା ପ୍ରେସ୍ ବିବୃତି ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୫ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ବଲାଙ୍ଗୀରରେ ୨୨୬.୩ ମିଲିମିଟର, ବୌଦ୍ଧରେ ୧୬୯.୭, କଳାହାଣ୍ଡିରେ ୧୬୦.୪, ସୁବର୍ଣ୍ଣପୁରରେ ୧୩୯.୬ ଓ କନ୍ଧମାଳରେ ୧୨୫.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। କଳାହାଣ୍ଡି ଓ ବଲାଙ୍ଗୀରର ଦୁଇଟି ଲେଖାଏଁ ବ୍ଲକରେ ୪୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଏସ୍‌ଆର୍‌ସିଙ୍କ ରିପୋର୍ଟ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର କାଳିଗଙ୍ଗା ନଦୀରେ ବନ୍ୟା ଆସିଥିବାରୁ ଏମ. ରାମପୁର ବ୍ଲକର ମୋହନଗିରି ଗ୍ରାମପଞ୍ଚାୟତର ୩ଟି ଗାଁର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ପ୍ରାୟ ୯୦ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସାରବେଡ଼ା ସ୍କୁଲରେ ଆଶ୍ରୟ ଦିଆଯାଇଛି। ସେହିପରି ଜିଲ୍ଲାର ଦେଉଳିପଡ଼ା ଓ ତେଜିପଡ଼ା ଗାଁର ୬୫ ଜଣଙ୍କୁ ମୋହନଗିରି ସ୍କୁଲରେ ରଖାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଡାକ୍ତର, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିୟୋଜିତ କରାଯାଇଛି। ବନ୍ୟା ଯୋଗୁଁ ଡମକର୍ଲାଖୁଣ୍ଟା ବ୍ରିଜ୍ ଧୋଇଯିବାରୁ ମୋହନଗିରିକୁ ସଂଯୋଗ କରୁଥିବା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ କନ୍ଧମାଳ-କଳାହାଣ୍ଡିକୁ ସଂଯୋଗ କରୁଥିବା ଏନ.ଏଚ-୫୯ରେ ଯାତାୟତ ବାଧାପ୍ରାପ୍ତ ହୋଇଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧରୁ କଳାହାଣ୍ଡିକୁ ଯୋଗାଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଭାବେ ଧୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଲିଗୁଡ଼ାରେ ପ୍ରବଳ ବର୍ଷା ହେବାରୁ ସ୍ଥିତି ଆହୁରି ସଙ୍ଗି୍‌ନ ହୋଇଛି। ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ରେଳଧାରଣା କ୍ଷତିଗ୍ରସ୍ତ ହେବାରୁ ଟ୍ରେନ୍‌ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।

ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଟିମ୍ ମୁତୟନ କରାଯିବା ସହ ରାସ୍ତା ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତଳିଆ ଅଞ୍ଚଳର ୩ଟି ଗ୍ରାମର ଲୋକଙ୍କୁ ପ୍ରଶାସନ ସ୍ଥାନାନ୍ତର କରିଛି। ରିପୋର୍ଟ ଲେଖା ହେବାବେଳକୁ ଜିଲ୍ଲାର ଆଉ ୫ଟି ଗାଁର ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଜାରି ରହିଥିଲା। ବନ୍ୟାପ୍ରଭାବିତ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମବାହିନୀଙ୍କୁ ନିୟୋଜିତ କରାଯାଇଥିବା ନେଇ ଏସ୍‌ଆରସି ଜଣାଇଛନ୍ତି।ଲଘୁଚାପ ଜନିତ ବର୍ଷାରେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ବନ୍ୟା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ସମୀକ୍ଷା କରିଥିଲେ। ସେସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେସିଂ ଜରିଆରେ ସେଠାକାର ପରିସ୍ଥିତି ବିଷୟରେ ଅବଗତ ହେବା ସହ ଆବଶ୍ୟକ ପଦକ୍ଷେପ ଓ ରିଲିଫ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ସଂଧ୍ୟା ସୁଦ୍ଧା ମହାନଦୀର ମୁଣ୍ଡଳି ବ୍ୟାରେଜରେ ପ୍ରତି ସେକେଣ୍ଡ ପିଛା ୮ ଲକ୍ଷ ୫୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେହିପରି ବେଲଗାଓଁରେ ୮୩ ହଜାର କ୍ୟୁସେ୍କ, ପଥରିଲାରେ ୯ ଲକ୍ଷ ୨୫ ହଜାର ୮୪୦ କ୍ୟୁସେକ୍ ଓ ଖଇରମାଳରେ ୧୦ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ଜଳ ସମ୍ପଦ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୧୫ ତାରିଖ ସକାଳେ ମୁଣ୍ଡଳିଠାରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେବ। ଏହା ଉପକୂଳ ଅଞ୍ଚଳରେ ବିପତ୍ତି ଆଣିପାରେ। ସେଥିପାଇଁ ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଥିବା ନଦୀବନ୍ଧଗୁଡ଼ିକରେ ପେଟ୍ରୋଲିଂ କରିବା ସହ ସତର୍କ ରହିବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe