କଟକରେ ବିହାରୀ ବନ୍ଧୁକ କାରବାର: ୫ ପିସ୍ତଲ, ୧୩ ରାଉଣ୍ଡ ଗୁଳି ଜବତ, ଦୁର୍ଦ୍ଦାନ୍ତ କାଦୁଆ ସମେତ ୫ ଗିରଫ

କଟକରେ ଚାଲିଥିବା ବିହାରୀ ବନ୍ଧୁକ କାରବାରର ପର୍ଦ୍ଦାଫାସ କରିଛି କଟକ କମିସନରେଟ୍ ପୁଲିସ। ଏହି ଘଟଣାରେ କୁଖ୍ୟାତ ଅପରାଧୀ ଯୋବ୍ରା ମାଟିଆ ମଙ୍ଗଳା ସାହିର କାଦୁଆ ଓରଫ ଦେବଦତ୍ତ ସିଂହ ବେହେରା(୨୬) ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।

dgddgcvcv

କଟକ: କଟକରେ ଚାଲିଥିବା ବିହାରୀ ବନ୍ଧୁକ କାରବାରର ପର୍ଦ୍ଦାଫାସ କରିଛି କଟକ କମିସନରେଟ୍ ପୁଲିସ। ଏହି ଘଟଣାରେ କୁଖ୍ୟାତ ଅପରାଧୀ ଯୋବ୍ରା ମାଟିଆ ମଙ୍ଗଳା ସାହିର କାଦୁଆ ଓରଫ ଦେବଦତ୍ତ ସିଂହ ବେହେରା(୨୬) ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ଯୋବ୍ରା ମହ୍ଲା ସାହିର ରାଜା ଓରଫ ପିୟୁଷ ରେଡି(୨୦), ନଦୀକୂଳ ସାହିର ଦୁର୍ଦ୍ଦାନ୍ତ ନଣ୍ଡା ଓରଫ ବିଜୟ ରାଓ(୩୬), ନୂଆସାହିର ହାପି ଓରଫ ଜ୍ୟୋତି ରଞ୍ଜନ ନାୟକ(୨୩), ବିଦୁ ଓରଫ ବୈଦ୍ୟନାଥ ବେହେରା(୨୨) ଓ ତଳସାହିର ତପୁ ଓରଫ ତପନ ସେଠୀ(୨୦)। କାଦୁଆ ନିକଟରୁ ଏହି ଚାରି ଅଭିଯୁକ୍ତ ବନ୍ଧୁକ କିଣିଥିଲେ। ଏହି ଗ୍ୟାଙ୍ଗ ନିକଟରୁ ୫ଟି ୭.୬୫ ଏମ୍‌ଏମ୍‌ ପିସ୍ତଲ, ୧୩ ରାଉଣ୍ଡ ଗୁଳି, ଗୋଟିଏ ସ୍କୁଟି ଏବଂ ୩ଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଛି। ଏହା ବ୍ୟତୀତ ଆହୁରି ଅଧିକ ବନ୍ଧୁକ ଓ ଗୁଳି ଏମାନେ ବିଭିନ୍ନ ଲୋକଙ୍କୁ ବିକିଛନ୍ତି। ଏସବୁ ସାମଗ୍ରୀ କାଦୁଆ ଓ ନଣ୍ଡା ବିହାରରୁ ଆଣିଥିଲେ। 

ଶୁକ୍ରବାର ସନ୍ଧ୍ୟାରେ ଯୋବ୍ରା ଅଞ୍ଚଳରେ ବନ୍ଧୁକ କାରବାର ହେଉଥିବା ସମ୍ପର୍କରେ ସ୍ପେସାଲ୍‌ ସ୍କ୍ୱାଡ୍‌ ଏସିପି ଅରୁଣ ସ୍ୱାଇଁ ଖବର ପାଇଥିଲେ। ସ୍ପେସାଲ୍‌ ସ୍କ୍ବାଡ୍‌ ଏସ୍‌ଆଇ ସୁନିଲ ଯାଦବ ଓ ମାଲଗୋଦାମ ଥାନା ଏସ୍‌ଆଇ ପିଟି ଗଣେଶଙ୍କ ସମେତ ସ୍କ୍ବାଡ୍‌ କର୍ମଚାରୀ ଯୋବ୍ରା ମାଟିଆ ମଙ୍ଗଳା ଛକରେ ଚଢ଼ଉ କରିଥିଲେ। ଏକ ସ୍କୁଟି ଧରି ଛିଡ଼ା ହୋଇଥିବା କାଦୁଆ ଖସିଯିବାକୁ ଉଦ୍ୟମ କଲା ବେଳେ ପୁଲିସ ମାଡ଼ି ବସିଥିଲା। ତା ନିକଟରୁ ଗୋଟିଏ ୭.୬୫ ଏମ୍‌ଏମ୍‌ ପିସ୍ତଲ ସହିତ ୫ ରାଉଣ୍ଡ ଗୁଳି ଜବତ ହୋଇଥିଲା। ତାକୁ ଜେରା ସମୟରେ ବିହାରରୁ କଟକ ଯାଏଁ ବନ୍ଧୁକ କାରବାରର ତଥ୍ୟ ମିଳିଥିଲା। ଗଲା ଏକ ମାସ ତଳେ କାଦୁଆ ଓ ନଣ୍ଡା ଦୁଇ ଥର ବିହାର ଯାଇଥିଲେ। ଏମାନେ ବିହାରରୁ ୧୦ରୁ ଅଧିକ ବନ୍ଧୁକ କିଣି କଟକ ଆଣିଥିଲେ। ଏଥିରୁ ୫ଟି ବନ୍ଧୁକକୁ କାଦୁଆ ଯୋବ୍ରାର ଦୁର୍ଦ୍ଦାନ୍ତ ବିଜୟ ରାଓ ସମେତ ୫ ଜଣଙ୍କୁ ବିକ୍ରି କରିଥିଲା। ଆଉ ଗୋଟିଏ ପିସ୍ତଲ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରିବାକୁ ଆସିଥିଲା ବେଳେ ପୁଲିସ ତାକୁ ମାଡ଼ି ବସିଥିଲା।

କାଦୁଆର ବୟାନ ଆଧାରରେ ସ୍ପେସାଲ ସ୍କ୍ବାଡ୍‌ ଯୋବ୍ରାର ବିଭିନ୍ନ ସାହିରେ ଚଢ଼ଉ କରି ନଣ୍ଡା ଓରଫ ବିଜୟ ରାଓ ଓ ତାର ସହଯୋଗୀ ରାଜା, ହାପି, ବିଦୁ ଓ ତପୁକୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଆଉ ୪ଟି ୭.୬୫ ଏମ୍‌ଏମ୍‌ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରିଥିଲା। ଅଭିଯୁକ୍ତ ନଣ୍ଡା ରାଓ ଜଣେ ପେସାଦାର ଅପରାଧୀ। ତା’ ବିରୋଧରେ ପୂର୍ବରୁ ଦାଦାବଟି, ଡକାୟତି, ହତ୍ୟା ଉଦ୍ୟମ ଭଳି ୧୪ଟି ସଙ୍ଗିନ ମାମଲା ମଙ୍ଗଳାବାଗ, ମର୍କତନଗର, ମାଲଗୋଦାମ ଥାନାରେ ରହିଛି। ଗଲା କିଛି ଦିନ ହେବ ସେ କିଛି ଅପରାଧୀଙ୍କୁ ଏକାଠି କରି ଗ୍ୟାଙ୍ଗ ଗଢ଼ିଥିଲା। ପାର୍ବଣ ପାଇଁ ଦାଦାବଟି ଆଦାୟ ଉଦ୍ଦେଶ୍ୟରେ ଏହି ଗ୍ୟାଙ୍ଗ ସକ୍ରିୟ ହେଉଥିଲା। କାଦୁଆ ବିରୋଧରେ ମାଲଗୋଦାମ ଥାନାରେ ୩ଟି ଓ ମର୍କତନଗର ଥାନାରେ ଗୋଟିଏ ମାମଲା ରହିଛି । କାଦୁଆର ଭାଇ ହରିଦତ୍ତ ସିଂହ ଓରଫ ବାପି ଯୋବ୍ରା ନଦୀକୂଳ ସାହିର ମାଛ ବ୍ୟବସାୟୀ ତପନ ନାୟକକୁ ୨୦୧୯ରେ ହତ୍ୟା କରିଥିଲା। ଅନ୍ୟପଟେ ଅଭିଯୁକ୍ତ ରାଜା ଓ ବିଦୁ ବିରୋଧରେ ଚାଉଳିଆଗଞ୍ଜ, ମାଲଗୋଦାମ ଥାନାରେ ୪ଟି ମାମଲା ରହିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂହ, ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe