ବିଜୟ ପଟ୍ଟନାୟକଙ୍କ ଭ୍ରମଣ କାହାଣୀ ‘ଆମେରିକାରେ ସତୁରୀ ଦିନ’ ଲୋକାର୍ପିତ

Advertisment

ସମ‌ସ୍ତେ ଆତ୍ମଜୀବନୀ ଲେଖିବାକୁ ଚେଷ୍ଟା କରନ୍ତୁ: ସୌମ୍ୟ

ସମ‌ସ୍ତେ ଆତ୍ମଜୀବନୀ ଲେଖିବାକୁ ଚେଷ୍ଟା କରନ୍ତୁ: ସୌମ୍ୟ

ବିଜୟ ପଟ୍ଟନାୟକଙ୍କ ଭ୍ରମଣ କାହାଣୀ ‘ଆମେରିକାରେ ସତୁରୀ ଦିନ’ ଲୋକାର୍ପିତ

ଭୁବନେଶ୍ୱର : ଯୁବପିଢ଼ି ସାହିତ୍ୟ ପୁସ୍ତକ ପଢ଼ୁ ନଥିବାରୁ ଓଡ଼ିଆ ଭାଷା ମରି ମରିଯାଉଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। କିନ୍ତୁ ଏହା ଠିକ୍‌ ନୁହେଁ। ସାହିତ୍ୟ ପୁସ୍ତକର ଜନ୍ମ ଅତିବେଶିରେ ଦୁଇ ଶହ ବର୍ଷ ହେବ। କିନ୍ତୁ ଓଡ଼ିଆ ଭାଷା ହଜାରେ ବର୍ଷର। ଯେତେବେଳେ ସାହିତ୍ୟ ପୁସ୍ତକ ନଥିଲା, ସେତେବେଳେ ଭାଷା କେମିତି ବଞ୍ଚି ରହିଥିଲା? ବୁଦ୍ଧ ମନ୍ଦିର ପରିସରରେ ଆଜି ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଜୟ ପଟ୍ଟନାୟକଙ୍କ ଭ୍ରମଣ କାହାଣୀ ‘ଆମେରିକାରେ ସତୁରୀ ଦିନ’କୁ ଲୋକାର୍ପଣ କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ପୂର୍ବତନ ପ୍ରଶାସନିକ ଅଧିକାରୀ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଏବେ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରାଯାଇ ଯୁବପିଢ଼ିଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କରେ ଜଣାଇବାର ଆବଶ୍ୟକତା ରହିଛି। ଏହାସହ ସମକାଳୀନ ଇତିହାସବୋଧର ଅଭାବ ଦୂର କରିବାକୁ ସମ‌ସ୍ତେ ନିଜର ଆତ୍ମଜୀବନୀ ‌ଲେଖନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଉତ୍ତରପିଢ଼ି ଖୁବ୍‌ ସହଜରେ ତାଙ୍କର ଠିକ୍‌ ଇତିହାସଟିକୁ ଜାଣିପାରିବେ।

ମୁଖ୍ୟବକ୍ତା ସାହିତ୍ୟିକ ହରପ୍ରସନ୍ନ ଦାସ କହିଲେ, ପୁସ୍ତକଟି ତଥ୍ୟଭିତ୍ତିକ ଓ ଗବେଷଣାତ୍ମକ। ଲେଖକଙ୍କର ଦାଦା ସଚ୍ଚିଦାନନ୍ଦ ପଟ୍ଟନାୟକ କହିଲେ, ପିଲାଦିନୁ ପୁସ୍ତକ ପଢ଼ିବା ଓ ଲେଖାଲେଖି ପ୍ରତି ଲେଖକଙ୍କ ଆଗ୍ରହ ଥିଲା। ଅବସରପ୍ରାପ୍ତ ସରକାରୀ ଅଧିକାରୀ ଦିଲୀପ କୁମାର ସାମନ୍ତରାୟ କହିଲେ, ଆମେରିକାକୁ ନେଇ ଅନେକ ଭ୍ରମଣ କାହାଣୀ ଲେଖାଯାଇଛି। କିନ୍ତୁ ଲେଖକ ସେଠାକାର ପ୍ରତିଟି ସ୍ଥାନକୁ ତନ୍ନତନ୍ନ କରି ଅନୁଧ୍ୟାନ କରି ତା’ର ଇତିହାସ, ଭୂଗୋଳ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ଉପରେ ‌ଲେଖିଛନ୍ତି। କାର୍ଯ୍ୟକ୍ରମକୁ କବି ଅରୁଣ କୁମାର ସାହୁ ସଂଚାଳନ କରିଥିଲେ।

ଲେଖକ ଶ୍ରୀ ପଟ୍ଟନାୟକ କହିଲେ ଯେ ନାଲକୋରୁ ୨୦୧୬ରେ ଅବସର ପରେ ନୂଆନୂଆ ସ୍ଥାନ ଭ୍ରମଣ କରିବା ଇଚ୍ଛା ହୋଇଥିଲା। ୨୦୧୯ ମସିହାରେ ଆମେରିକା ଭ୍ରମଣ କାଳରେ ବିତାଇଥିବା ସତୁରୀ ଦିନରେ ନିଜର ଅନୁସନ୍ଧିତ୍ସୁ ମନ ନେଇ ଭେଟିଥିବା ଅସାଧାରଣ ଘଟଣାବଳୀ ସବୁ ଉକ୍ତ ପୁସ୍ତକରେ ଉଲ୍ଲେଖ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe