ଜୀବନ ସଂଗ୍ରାମରେ ବିଜୟ, ଆଉ ନାହିଁ ‘କଟକି ମିକ୍ସଚର’ର ଚାହିଦା

ଜୀବନ ସଂଗ୍ରାମରେ ବିଜୟ, ଆଉ ନାହିଁ ‘କଟକି ମିକ୍ସଚର’ର ଚାହିଦା

ଝାରସୁଗୁଡ଼ା : କରୋନା ସଂକ୍ରମଣ ପରେ ଲୋକଙ୍କ ଜୀବନଯାପନ ପ୍ରଣାଳୀରେ ଅନେକ ପ୍ରକାର ପରିବର୍ତ୍ତନ ଘଟି ଚାଲିଛି। ଜୀବନ ଓ ଜୀବିକା ଉଭୟଙ୍କ ପାଇଁ ସଂଗ୍ରାମ ଅହରହ ଲାଗି ରହିଛି। କରୋନା ପୂରା ‌ସଂସାରର ସ୍ଥିତିକୁ ଦୋହଲାଇ ଦେଇଥିବା ସମୟରେ ପ୍ରତି ମୁହୂର୍ତ୍ତରେ ଅନେକ ଲୋକଙ୍କ ଜୀବନ କାହାଣୀ ସମାଜ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରୁଛି। ସଂପ୍ରତି ବାବା କା ଢ଼ାବା କାହାଣୀ ସାରା ଦେଶରେ ଭାଇରାଲ ହେବା ପରେ ସଂପୃକ୍ତ ବୃଦ୍ଧ ଢାବା ମାଲିକଙ୍କ ପାଖକୁ ସହାୟତାର ହାତ ଲମ୍ବି ଯାଇଥିଲା। ସାମାଜିକ ଗଣମାଧ୍ୟମ ଏହି ବୃଦ୍ଧ ଦମ୍ପତିଙ୍କ ଭାଗ୍ୟକୁ ଅନେକ ପରିମାଣରେ ହଠାତ୍‌ ବଦାଳାଇ ଦେଇ ପାରିଥିଲା। ଠିକ୍‌ ସେହିପରି ଆମ ଆଖପାଖରେ ଏଭଳି ଅନେକ ଚରିତ୍ର ସଂଘର୍ଷ କରୁଥିବା ନଜରକୁ ଆସୁଛି।

ଝାରସୁଗୁଡ଼ା ଶିଳ୍ପନଗରୀ ଏକ ବଡ଼ ବ୍ୟାବସାୟିକ କେନ୍ଦ୍ର। ଏହି ବ୍ୟବସାୟ କେନ୍ଦ୍ରରେ  କରୋନା ସଂକ୍ରମଣ ପରେ ଅନେକ ପରିବର୍ତ୍ତନ ହୋଇଛି। ଗତ ମାର୍ଚ୍ଚ ମାସରୁ  ଲକ୍‌ଡାଉନ୍‌, ସଟ୍‌ ଡାଉନ୍‌, କଣ୍ଟେନ୍‌ମେଣ୍ଟ ଜୋନ୍‌ ଭଳି ପରିସ୍ଥିତି ଜିଲ୍ଲାର ବ୍ୟବସାୟ ଉପରେ ଚୋଟ ପରେ ଚୋଟ ମାରି ଚାଲିଛି। ଛୋଟ ହେଉ କି ବଡ଼ ସବୁ  ବ୍ୟବସାୟୀ ଏଥିରେ ପ୍ରଭାବିତ ହୋଇଛନ୍ତି। ଛୋଟ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ବଡ଼ ବ୍ୟବସାୟୀ ମଧ୍ୟ ସେହି ଅନୁପାତରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଝାରସୁଗୁଡ଼ା ବେହେରାମାଲ ମୁଖ୍ୟ ରାସ୍ତା କଡ଼ରେ ମିକ୍ସଚର ଦୋକାନ କରି ପରିବାର ଚଳାଇଥିବା ବିଜୟ ଏବେ ହାର ମାନି ଯାଇଛନ୍ତି। ବିଜୟ ବରାଡ଼(୩୩) ଝାରସୁଗୁଡ଼ା ସହରରେ ଦୀର୍ଘ ୫ ବର୍ଷ ହେଲା ମିକ୍ସଚର ବିକ୍ରି କରି ପରିବାର ଚଳାଇ ଆସୁଛନ୍ତି।

publive-image

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ଗୋଦଶା ପଞ୍ଚାୟତର ଗୋଲାସାହି ଗ୍ରାମର ବିଜୟ କର୍ମସଂସ୍ଥାନ ପାଇଁ ଦୀର୍ଘ ୧୧ ବର୍ଷ ତଳେ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଝାରସୁଗୁଡ଼ାରେ ପୂର୍ବରୁ  ତାଙ୍କ ଗ୍ରାମର ପରମାନନ୍ଦ ସାହୁ  ମିକ୍ସଚର ବ୍ୟବସା‌ୟ କରୁଥିବା ବେଳେ ତାଙ୍କ ପାଖରେ ସେ କାମ କରିବାକୁ ଆସିଥିଲେ। ପରମାନନ୍ଦଙ୍କ ପାଖରେ ଥିବା ଏକ ଅଟୋରେ ସେ ମିକ୍ସଚର ବୋଝେଇ କରି ବିଭିନ୍ନ ସ୍ଥାନରେ ପହଞ୍ଚାଇବା ବିଜୟଙ୍କ କାମ ଥିଲା। ପରେ ସେ ନିଜେ ବେହେରାମାଲଠାରେ ଏକ ଘରଭଡ଼ା କରି ସେଠାରେ ମିକ୍ସଚର ବିକ୍ରି କରିବା ଆରମ୍ଭ କରିଥିଲେ। ‘କଟକି’ ମିକ୍ସଚରବାଲା ଭାବରେ ପରିଚିତ ବିଜୟ ଲକ୍‌ଡାଉନ୍‌ ପୂର୍ବରୁ  ଦୈନିକ ୩ ରୁ ୪ ହଜାର ଟଙ୍କାର ମିକ୍ସଚର୍‌ ବିକ୍ରି କରୁଥିଲେ। ସେଥିରୁ ସେ ୫ ରୁ ୭ ଶହ ଟଙ୍କା ଲାଭ ପାଉଥିବା ବେଳେ ଗାଁରେ ଥିବା ସ୍ତ୍ରୀ, ଦୁଇ ଛୋଟ ଛୁଆ ଓ ବୁଢ଼ୀ ମା’ଙ୍କୁ ଭରଣ ପୋଷଣ କରୁଥିଲେ। ତେବେ କରୋନା ତାଙ୍କ ଭାଗ୍ୟକୁ ହଠାତ୍‌ ବଦଳାଇ ଦେଇଥିଲା। ମାର୍ଚ୍ଚ ମାସରେ ଲକ୍‌ଡାଉନ୍‌ ଘୋଷଣା ପରେ ହଠାତ୍‌ ତାଙ୍କ ବ୍ୟବସାୟ ବନ୍ଦ ହୋଇ ଯାଇଥିଲା। ବନ୍ଦ ସମୟରେ ଘରୁ ଦୈନିକ ୧୫ ଶହ ରୁ ୨ ହଜାର ଟଙ୍କାର ପର୍ଯ୍ୟନ୍ତ ମିକ୍ସଚର ବିକ୍ରି ହେଉଥିଲା। ମାତ୍ର ଲକ୍‌ଡାଉନ୍‌ ପରବର୍ତ୍ତୀ କାଳରେ ଆଉ ସେ ଆଗପରି ବିକ୍ରି କରି ପାରୁ ନାହାନ୍ତି। ସେହି ସକାଳୁ ରାତି ପର୍ଯ୍ୟନ୍ତ ପରିଶ୍ରମ କଲେ ମଧ୍ୟ ୫ ଶହ ରୁ ୭ ଶହ ବିକ୍ରୟ ହେଉଥିବାରୁ ‌ବିଜୟ ଏବେ ଚିନ୍ତିତ ହୋଇ ପଡ଼ିଛନ୍ତି। ଏତେ କମ୍‌ ବିକ୍ରୟରୁ ସେ କିଭଳି ଘରଭଡ଼ା ବାହାର କରିବେ ବା ଗାଁରେ ଥିବା ୪ ପ୍ରାଣୀ କୁଟୁମ୍ବଙ୍କ ପ୍ରତିପୋଷଣ କରିବେ ଏହି ଚିନ୍ତାରେ ସେ ଘାରି ହେଉଥିବା ‌ଜଣାଯାଇଛି। ଆଠ ମାସ ହେବ ଘରକୁ  ଟଙ୍କା ପଠାଇବାରେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିବା ସେ କୁହନ୍ତି। ଗ୍ରାହକ ସଂଖ୍ୟା କମି ଯାଇଥିବା ବେଳେ ତେଲ, ଡାଲିର ମୂଲ୍ୟ ବଢ଼ି ଯାଇଥିବାରୁ  ଆଗଠାରୁ ଲାଭ ମଧ୍ୟ କମ୍‌ ମିଳୁଥିବା ବିଜୟ କହିଛନ୍ତି। ମିକ୍ସଚର ବ୍ୟବସାୟରେ ହେଉଥିବା କ୍ଷତି ଭରଣା ପାଇଁ ସେ କିଛି ଦିନ ହେବ ମିକ୍ସଚର୍‌ ସହିତ ଚା’ ତିଆରି କରି ବିକିବା ଆରମ୍ଭ କରି ସଂଗ୍ରାମ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe