ବିଜୟ ମହାନ୍ତି ଅମର ରହେ... ୯୫ ବର୍ଷୀୟା ମା’ଙ୍କୁ କହି ହେଉ ନ ଥିଲା ମୃତ୍ୟୁ ଖବର

Advertisment
ବିଜୟ ମହାନ୍ତି ଅମର ରହେ... ୯୫ ବର୍ଷୀୟା ମା’ଙ୍କୁ କହି ହେଉ ନ ଥିଲା ମୃତ୍ୟୁ ଖବର

ଜନ୍ମମାଟି କେନ୍ଦ୍ରାପଡ଼ା, ବଢ଼ିଥିଲେ କିନ୍ତୁ ବାରିପଦାରେ। ସେମିତି ବାଲେଶ୍ବର ସହିତ ସମ୍ପର୍କ ବି କିଛି କମ୍‌ ନଥିଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରବାଦପୁରୁଷ ବିଜୟ ମହାନ୍ତିଙ୍କର। ଏବେ ବାଲେଶ୍ବର ରେମୁଣାରେ ରହୁଛନ୍ତି ତାଙ୍କ ମାଆ। ଯେଉଁଠି ମାଆ ସେଇଠି ଘର। ସେଥିପାଇଁ ତ ଟିକେ ଫୁରସତ ମିଳିଲେ ମାଆକୁ ଦେଖିବା ପାଇଁ ସେ ଚାଲି ଆସୁଥିଲେ ବାଲେଶ୍ବର ରେମୁଣାସ୍ଥିତ ସାନଭାଇ ଘରକୁ। କିନ୍ତୁ ବିଧିର ବିଧାନ ବିଚିତ୍ର। ୯୫ ବର୍ଷୀୟା ମାଆ ଆଗରେ ତାଙ୍କର ଜଗତଜିତା ପୁଅ ଚାଲିଗଲା। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଆଙ୍କୁ କହି ହେଉ ନ ଥିଲା ପୁଅର ମୃତ୍ୟୁ ଖବର। କେମିତି ତାଙ୍କୁ ଏ ଖବର କୁହାଯିବ, କେହି ବୁଝିପାରୁ ନଥିଲେ। ଗତକାଲିଠୁ ଟିଭିରେ ପୁଅକୁ ଦେଖି ବାରମ୍ବାର ପଚାରୁଥିଲେ, ହେଲେ କେହି ତାଙ୍କୁ ଜଣାଇବାକୁ ସାହସ ଜୁଟାଇ ପାରୁ ନ ଥିଲେ। ‘ସମ୍ବାଦ’କୁ ଏ କଥା କହିଲାବେଳେ କୋହ ସମ୍ଭାଳି ପାରିନଥିଲେ ବିଜୟଙ୍କ ସାନଭାଇ ଅଜୟ ମହାନ୍ତିଙ୍କ ପତ୍ନୀ। ଖାଲି ଭୋ ଭୋ ହୋଇ କାନ୍ଦିଥିଲେ। ପରଦାରେ କେତେଥର ବଡ଼ଭାଇର ଚରିତ୍ରରେ ଅଭିନୟ କରିଛନ୍ତି ବିଜୟ ମହାନ୍ତି। ପରିବାରର ବୋଝ ସମ୍ଭାଳିଥିବାର ଦୃଶ୍ୟ ଚିତ୍ରାୟିତ ହୋଇଛି। ବାସ୍ତବ ଜୀବନରେ ବି ସେ ଠିକ୍ ସେମିତି ଥିଲେ। ପରିବାରର ମେରୁଦଣ୍ଡ ଥିଲେ। ସବୁ କଥା ବୁଝୁଥିଲେ। ହସ୍‌ପିଟାଲ ନଯିବା ପର୍ଯ୍ୟନ୍ତ ସବୁଦିନ ପରିବାରର ଭଲମନ୍ଦ ପଚାରୁଥିଲେ।

publive-image

ବିଜୟ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗ୍ରାମର ଆଦିକନ୍ଦ ମହାନ୍ତି ଓ ଶାନ୍ତିଲତାଙ୍କ ବଡ଼ପୁଅ। ଆଦିକନ୍ଦଙ୍କର ୨ ପୁଅ ଓ ୩ ଝିଅ। ବାପା ବାରିପଦାରେ ସରକାରୀ ବସ୍ କଣ୍ଡକ୍ଟର ଥିବାରୁ ବିଜୟଙ୍କ ଛାତ୍ରଜୀବନ ଏହିଠାରେ କଟିଥିଲା। ଏମ୍‌କେସି ହାଇସ୍କୁଲ, ଏମ୍‌ପିସି କଲେଜରେ ପାଠପଢ଼ା। ସେପଟେ ଚାକିରିରୁ ଅବସର ପରେ ବି ମୟୂରଭଞ୍ଜର ମୋହ ଛାଡ଼ି ପାରିନଥିଲେ ଆଦିକନ୍ଦ। ବେତନଟୀରେ ରହିଯାଇଥିଲେ। ଏହି ସମୟରେ ବିଜୟଙ୍କ ସାନଭାଇ ଅଜୟ ମହାନ୍ତିଙ୍କୁ ପୁଲିସ ଚାକିରି ମିଳିଥିଲା। ଅଜୟଙ୍କର କର୍ମକ୍ଷେତ୍ର ଥିଲା ଅବିଭକ୍ତ ବାଲେଶ୍ବର ଜିଲ୍ଲା। ୯ ବର୍ଷ ତଳେ ଆଦିକନ୍ଦଙ୍କର ଦେହାନ୍ତ ପରେ ପତ୍ନୀ ଶାନ୍ତିଲତା ସାନପୁଅ ପାଖରେ ରହି ଆସୁଛନ୍ତି। ପୁଲିସ ଏଏସ୍‌ଆଇ ପଦରୁ ଅବସର ନେବା ପରେ ଅଜୟ ପ୍ରାୟ ୧୦ ବର୍ଷ ହେଲା ରେମୁଣା ଅସ୍ତପୁରା ଅଞ୍ଚଳରେ ଘର କରି ରହୁଛନ୍ତି। ସେଇଠି ମାଆ ମଧ୍ୟ ରହୁଛନ୍ତି। ବଡ଼ଭାଇଙ୍କ ମୃତ୍ୟୁ ଖବର ପାଇ ଅଜୟ ଗତକାଲିଠୁ ଭୁବନେଶ୍ବର ଚାଲି ଯାଇଥିବାବେଳେ ଘରେ ବୃଦ୍ଧା ଶାଶୂଙ୍କୁ ଜଗିଛନ୍ତି ଅଜୟଙ୍କ ପତ୍ନୀ।
(ବାଲେଶ୍ୱରରୁ ମନୋଜ ବିଶ୍ବାଳ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe