ବିଜେପୁର ଉପନିର୍ବାଚନ : ସରିଲା ପ୍ରଚାର, ବାହୁଡ଼ିଲେ ନେତା, ୨୪ ଘଣ୍ଟାର ଛକାପଞ୍ଝା ପରେ ସୋମବାର ଭୋଟ

Advertisment

ବରଗଡ଼ରେ ତୁଙ୍ଗନେତାଙ୍କ ଡେରା

ବରଗଡ଼ରେ ତୁଙ୍ଗନେତାଙ୍କ ଡେରା

ଆଜି ବିଜେପୁର ଫଳାଫଳ

ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ଦୀର୍ଘ ୨୦ ଦିନ ଧରି ଚାଲିଥିବା ପ୍ରଚାର ଅଭିଯାନରେ ଶନିବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ବିରାମ ପଡ଼ିଛି। ମଝି‌ରେ ଆଉ ମାତ୍ର ୨୪ ଘଣ୍ଟା ସମୟ। ଏହି ୨୪ ଘଣ୍ଟାର ଛକାପଞ୍ଝା ପରେ ୨୧ ତାରିଖ ସକାଳୁ ଭୋଟ୍‌ ପଡ଼ିବ; ୨୪ ତାରିଖ ଦିନ ଫଳାଫଳ ଘୋଷଣା ହେବ।

ଗତ ମାସ ୩୦ ତାରିଖ ହିଁ ସବୁ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହା ପରଠୁ ଆରମ୍ଭ ହୋଇଥିଲା ପ୍ରଚାର। ଦଶହରା ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରଚାର ଅଭିଯାନ ମାନ୍ଦା ପଡ଼ିଥିଲା। ପାର୍ବଣ ପରେ ପ୍ରଚାର ଜମିଥିଲା। ମାଇକ୍‌, ବାଜା, ରୋଡ୍‌ ସୋ, ନିର୍ବାଚନୀ ସଭା ନିର୍ବାଚନ ମଣ୍ଡଳୀକୁ ଥରାଇ ଦେଇଥିଲା। ଏସବୁ ଆଜି ସନ୍ଧ୍ୟାରୁ ବନ୍ଦ ହୋଇଯାଇଛି। କାନଫଟା ମାଇକ ସ୍ୱର ବନ୍ଦ ହେବାରୁ ସବୁଆଡ଼େ ଏକ ପ୍ରକାର ନିରବତା ଛାଇ ଯାଇଛି। ତେବେ ପ୍ରାର୍ଥୀ ଓ ସମର୍ଥକମାନେ ପ୍ରଚାର ଅଭିଯାନ ବନ୍ଦ ସତ୍ତ୍ବେ ଆହୁରି ତତ୍ପର ହୋଇ ଉଠିଛନ୍ତି। ଆରମ୍ଭ ହୋଇଯାଇଛି ଘରକୁ ଘର ବୁଲି ପ୍ରଚାର। ହାତରେ ଆଉ ମାତ୍ର ୨୪ ଘଣ୍ଟା ରହିଛି। ଏହି ଅବଧିକୁ ଭରପୂର ଉପଯୋଗ କରିବା ପାଇଁ ଆରମ୍ଭ ହୋଇଛି ଅନ୍ଧାରୀ ବିଜେ। ଏତିକି ସମୟରେ ଭୋଟ୍‌ ବ୍ୟାଙ୍କ ଏପଟ ସେପଟ ହେବାର ଆଶଙ୍କା ଥିବାରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ତେବେ, ବିଜେପୁର ଭୋଟର ନିରବ ରହିଛନ୍ତି । ସେମାନେ କାହାକୁ ଭୋଟ ଦେବେ, ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଛନ୍ତି।

ଅନ୍ୟପକ୍ଷରେ ଆଜି ସନ୍ଧ୍ୟା‌ରେ ନିର୍ବାଚନ ପ୍ରଚାର ଶେଷ ‌ହେବା ପରେ ନିର୍ବାଚନ ମଣ୍ଡଳୀରେ ଡେରା ପକାଇଥିବା ବାହାର ଇଲାକାର ନେତା ଏବଂ ଅଭିନେତାମାନେ ଫେରି ଯାଇଛନ୍ତି। ଅଧିକାଂଶ ନିଜନିଜ ଘରକୁ ଫେରି ଯାଇଥିବାବେଳେ ଦଳୀୟ ନିର୍ବାଚନ ଦାୟିତ୍ୱ ମୁଣ୍ଡାଇଥିବା ନେତାମାନେ ଗୋଟି ଚାଳନା ପାଇଁ ବରଗଡ଼ରେ ଡେରା ପକାଇଛନ୍ତି। ୨୪ ତାରିଖ ପରେ ହିଁ ସେମାନେ ବରଗଡ଼ ଛାଡ଼ିବେ। ତୁଙ୍ଗ ନେତାଙ୍କ ପ୍ରକୋଷ୍ଠରେ ତୁହାକୁ ତୁହା ରୁଦ୍ଧଦ୍ୱାର ବୈଠକ ଜାରି ରହିଛି। ବାକି ରହିଥିବା ଗୋଟିଏ ଦିନ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛଥିବାବେଳେ ବିରୋଧୀଙ୍କୁ ରୋକିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ସମ୍ଭାବ୍ୟ ଭୋଟ କିଣାବିକା ଉପରେ ନିର୍ବାଚନ ପର୍ଯ୍ୟବେକ୍ଷକ କଡ଼ା ନଜର ରଖିଥିବାବେଳେ ଆଇନଶୃଙ୍ଖଳା ରକ୍ଷା ଲାଗି ପୁଲିସ ମଧ୍ୟ ସତର୍କ ରହିଛି। ଶନିବାର ଅପରାହ୍ନରୁ ପୁଲିଂ ପାର୍ଟି ଭିଭିପାଟ୍‌ ମେସିନ ସମେତ ଅନ୍ୟ ଅବାଶ୍ୟକ ଉପକରଣ ସହ ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଯାଇଛନ୍ତି। ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ବିଭିନ୍ନ ଅଂଚଳ ପରିଦର୍ଶନ କରି ଆଇନଶୃଙ୍ଖଳା ସ୍ଥିତି ତଦାରଖ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe