ସୁଶାନ୍ତଙ୍କ ପଦୋନ୍ନତି ଉପନିର୍ବାଚନର ସଂକେତ!

Advertisment
‘ଦାଦନ ଚାଲାଣରେ ସରକାରୀ ବାବୁଙ୍କ ହାତ’

New Indian Express

ବରଗଡ଼ : ବିଜେପୁର ଆସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ରଖିବେ ନା ଛାଡ଼ିବେ, ଏହି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଉଛି। ଉଭୟ ବିଜେପୁର ଏବଂ ହିଞ୍ଜିଳିରୁ ବିଜୟୀ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ରାଜନୈତିକ ବିଶ୍ଳେଷକଙ୍କ ହିସାବ କହୁଛି, ବିଜେପୁର ପୁଣି ଏକ ଉପନିର୍ବାଚନର ସମ୍ମୁଖୀନ ହେବ। ଅର୍ଥାତ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବେ। ଶପଥ ଗ୍ରହଣର ୧୫ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଗୋଟିଏ ଆସନରୁ ଇସ୍ତଫା ଦେବେ। ଅର୍ଥାତ ଖୁବ୍‌ ଶିଘ୍ର ଚିତ୍ର ସ୍ପଷ୍ଟ ହେବ। କିନ୍ତୁ ସୁଶାନ୍ତ ସିଂଙ୍କୁ କ୍ୟାବିନେଟ୍‌ ପାହ୍ୟାକୁ ପଦୋନ୍ନତି ଦେଇ ମୁଖ୍ୟମନ୍ତ୍ରୀ ବିଜେପୁର ଉପନିର୍ବାଚନ ପାଇଁ ସଂକେତ ଦେଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ଯୁକ୍ତି ହେଲା, ୨୦୧୮ ଉପନିର୍ବାଚନ ବେଳେ ସୁଶାନ୍ତ ସିଂ ଗୋଟି ଚାଳନା କରିଥିଲେ। ରୀତା ସାହୁଙ୍କୁ ବିଜେଡିରେ ମିଶାଇବା ସହ ତାଙ୍କୁ ବିଜୟୀ କରାଇବାରେ ସୁଶାନ୍ତ ବହୁ ପରିଶ୍ରମ କରିଥିଲେ। ଯାହାର ଫଳ ସ୍ବରୂପ ତାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଥିଲା। ଏଥର ବିଜେପୁରରେ ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟ ସିଧାସଳଖ ବୁଝୁଥିଲେ।

ବିଜେପୁର, ବରପାଲି ଏବଂ ଗାଇସିଲାଟ୍‌ର ଭୋଟ୍‌ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ପଟକୁ ଟାଣିବା ପାଇଁ ସେ ଅସୁସ୍ଥତା ସତ୍ବେ ପରିଶ୍ରମ କରିଥିଲେ। ବୃହତ୍‌ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ବିଜୟୀ ହେଲେ। ଯେହେତୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ବିଜେପୁର ବିକାଶ କଥା ବୁଝିବେ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି, ନିର୍ଭରଯୋଗ୍ୟ ସୁଶାନ୍ତ ସିଂଙ୍କୁ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ବ ବିଭାଗ ଦେଇଛନ୍ତି। ଯଦି ବିଜେପୁରରେ ପୁନର୍ବାର ଉପନିର୍ବାଚନ ହୁଏ, ତାହା ବି ସୁଶାନ୍ତ ବୁଝିବେ ବୋଲି ଗୋଟିଏ ହିସାବରେ ସ୍ପଷ୍ଟ ସଂକେତ ମିଳୁଛି। ଜିଲ୍ଲାର ନିର୍ବାଚିତ ୫ଟି ଆସନର ସମସ୍ତ ବିଜୟୀ ପ୍ରାର୍ଥୀ ମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ। କିନ୍ତୁ ସୁଶାନ୍ତଙ୍କ ବ୍ୟତୀତ ଅନ୍ୟମାନେ ବାଦ୍‌ ପଡ଼ିଲେ। ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କେବଳ ବିଜେପୁରକୁ ବାଦ୍‌ ଦେଲେ ଅନ୍ୟ ସବୁଠି ବିଜେଡିର ଲୋକସଭା ପ୍ରାର୍ଥୀ ପଛୁଆ ରହିଥିଲେ। ଏହି ଆଧାରରେ ଅନ୍ୟମାନଙ୍କୁ ମନ୍ତ୍ରୀ ମଣ୍ଡଳରେ ସୁଯୋଗ ମିଳିଲା ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସୁଶାନ୍ତଙ୍କ ଆସନ ଭଟଲିରେ ମଧ୍ୟ ବିଜେଡି ୭ହଜାର ଭୋଟ୍‌ ବିଜେପି ଠାରୁ କମ୍‌ ପାଇଥିଲା। ତେବେ,ଯେ‌ହେତୁ ସୁଶାନ୍ତ ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ବିଜୟ ପାଇଁ ପଥ ପରିଷ୍କାର କରିଥିଲେ, ତାଙ୍କୁ ମନ୍ତ୍ରୀ ପଦ ସହ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ମିଳିଲା ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe