ରାଜନୈତିକ ତିକ୍ତତାରେ ଅସ୍ଥିର ବିଜେପୁର

Advertisment
ରାଜନୈତିକ ତିକ୍ତତାରେ ଅସ୍ଥିର ବିଜେପୁର

ବରଗଡ଼/ବିଜେପୁର: ମଂଗଳବାର ବିଜେପୁର ଡାକ୍ତରଖାନା ପରିସରରେ ଠିକା କାମକୁ କେନ୍ଦ୍ରକରି ଘଟିଥିଲା ଗୋଷ୍ଠୀ ସଂଘର୍ଷ। ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡ୍‌ପିଟ୍‌ ପର୍ଯ୍ୟନ୍ତ କଥା ଯାଇଥିଲା। ଉଭୟ ପକ୍ଷରୁ ଥାନାରେ ମାମଲା ବି ଦିଆଯାଇଛି। ଏତେ ସବୁ ଘଟଣା ପରେ ବି ବିଜେପୁର ଶାନ୍ତ ପଡ଼ିନି। କାଳେ କିଛି ବଡ଼ ଅଘଟଣ ଘଟିବ, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସଶସ୍ତ୍ର ପୁଲିସ୍‌ ମୁତୟନ ରହିଛନ୍ତି। ବିଜେପୁର ଏନ୍‌ଏସି ଅଧ୍ୟକ୍ଷା ସୀତା ବାରିକ ଅଭିଯୋଗରେ ମନ୍ତ୍ରୀ ରୀତା ସାହୁଙ୍କ ପୁଅ ‌ସୌରଭଙ୍କ ସମେତ ତାଙ୍କ ସମର୍ଥକ ପହଂଚି ଗଣ୍ଡ‌‌ଗୋଳ କରିଥିଲେ। ଏପରିକି ତାଙ୍କ ଶାଢ଼ୀ ଟଣାଓଟରା କରିଥିଲେ ବୋଲି ଅଭିଯୋଗ କରିଛନ୍ତି।

ସେହିପରି ପରୋକ୍ଷ ଗୋଷ୍ଠୀ ପକ୍ଷରୁ ୱାର୍ଡ ନମ୍ବର ୭ର ସଦସ୍ୟ ଉମାକାନ୍ତ ବେସନ ତାଙ୍କୁ ଜାତିଆଣ ଆକ୍ଷେପ କରି ପ୍ରାଣାନ୍ତକ ଆକ୍ରମଣ ହୋଇଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ୍‌ ଉଭୟ ପକ୍ଷରୁ ଏତଲା ଗ୍ରହଣ କରି ମାମଲା ରୁଜୁ କରିଛି। ବୁଧବାର ବିଜେପୁର ଏହି ରାଜନୈତିକ ତିକ୍ତତାରେ ଅସ୍ଥିର ରହିଛି। ମନ୍ତ୍ରୀଙ୍କ ପୁଅ ସୌରଭଙ୍କୁ ଗିରଫ କରିବା ପାଇଁ ଏନ୍ଏସି ଅଧ୍ୟକ୍ଷା ସୀତା ବାରିକଙ୍କ ନେତୃତ୍ବରେ ମହିଳାମାନେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଘଟଣାର ୨୪ ଘଣ୍ଟା ବିତି ସାରିଥିଲେ ହେଁ ପୁଲିସ୍‌ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରୁନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ବିଜେପୁରରେ ବିଜେଡିର ଏହି ଦୁଇ ଫାଳିଆ ଚିତ୍ର ବହୁ ଦିନରୁ ଚାଲି ଆସୁଛି। ଦଳ ସେଠାରେ ନିର୍ବାଚନ ହେଉ କି ସଭା ହେଉ, ଅଲଗା ଅଲଗା କାର୍ଯ୍ୟକ୍ରମ କରୁଛି। ବିଗତ ଦିନରେ ଜନସଂପର୍କ ଯାତ୍ରା ବି ଦୁଇ ଗୋଷ୍ଠୀ ପକ୍ଷରୁ ଅଲଗା ଅଲଗା ହୋଇଛି। ଠିକା କାମକୁ ନେଇ ଦୁଇ ପକ୍ଷ ମଧ୍ୟରୁ ଛକାପଞ୍ଝା ଲାଗି ରହିଥିଲା। ତେବେ ଏହା ମଂଗଳବାର ଉଗ୍ର ରୂପ ଧାରଣ କରିଥିଲା। ଏନେଇ ତୁରନ୍ତ କିଛି ପଦକ୍ଷେପ ନ ହେଲେ ସ୍ଥିତି ବିସ୍ଫୋରକ ହୋଇପାରେ ବୋଲି ‌େଲାକେ ଚର୍ଚ୍ଚା କରୁଛନ୍ତି। ତେବେ ଏହି ଘଟଣାକୁ ନେଇ ଆଗକୁ କିଛି ହଟଚମଟ କଲା ଭଳି ଘଟଣା ଘଟିପାରେ ବୋଲି ମଧ୍ୟ କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe