ବିଜେପୁର ରାଜନୀତି: ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ବିଜେପୁର: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ବିଜେପୁର ନିର୍ବାଚନ ମଣ୍ତଳୀରେ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ଦଳୀୟ କନ୍ଦଳ ପଦାରେ ପଡ଼ିଛି। ବିଜେଡି ସମର୍ଥନରେ ଦୁଇ ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରି ନିର୍ବାଚନର ସାମ୍ନା କରିଥିବା ଚିତ୍ର ପଦାକୁ ଆସିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ରହି ଆସିଥିବା ବେଳେ ନିର୍ବାଚନ ଦିନ ଦୁଇଟି ଅଲଗା କ୍ୟାମ୍ପରେ କର୍ମୀ ଏବଂ ସମର୍ଥକଙ୍କୁ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ବିଜେପୁର  ବିଧାୟକ ସୁବଳ ସାହୁଙ୍କ ପରଳୋକ ପରେ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଫଳରେ କଂଗ୍ରେସ ସମର୍ଥିତ କର୍ମୀ ବହୁ ସଂଖ୍ୟାରେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ତେଣୁ ଦଳ ମଧ୍ୟରେ ପୁରୁଣା ଓ ନୂଆଁ କର୍ମୀଙ୍କ  ମଧ୍ୟରେ ତାଳ ମେଳର ଅଭାବ ଦେଖାଯାଉଥିଲା। ପଂଚାୟତ ନିବାର୍ଚନରେ ଏହି ଅସନ୍ତୋଷ ଆହୁରି ବୃଦ୍ଧି ପାଇଥିବା ବେଳେ ଅଧ୍ୟକ୍ଷ ନିର୍ବାଚନରେ ତାହା ମେଲି ଯାଇଛି। ବିଜେଡି ସମର୍ଥିତ ଏକାଧିକ ସମିତି ସଦସ୍ୟ ଲଢେଇ କରୁଥିବା ଦଳ ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି।

ପୂର୍ବରୁ ଦଳ ଦୁଇ ଭାଗରେ ବିଭକ୍ତ ହୋଇ କିଏ କାହାକୁ ସମର୍ଥନ ଦେବ, ସେ ନେଇ ଛକାପଞ୍ଝା ଆରମ୍ଭ ହୋଇଥିଲା। ନିର୍ବାଚନ ସରିବା ପରେ ମଧ୍ୟ ଉଭୟ ଗୋଷ୍ଠୀ ପୃଥକ ପୃଥକ ଭାବରେ ସମର୍ଥିତ ପ୍ରାର୍ଥୀଙ୍କୁ ନେଇ ଅଲଗା ଅଲଗା କ୍ୟାମ୍ପରେ ରଖିଥିଲେ। ମାତ୍ର ପରେ କୌଣସି ନିେର୍ଦ୍ଦଶ କ୍ରମେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଅଜ୍ଞାତବାସରେ ରହିଥିବାର ଶୁଣାଯାଇଥିଲା। ନିର୍ବାଚନ ପୂର୍ବଦିନ ଫେରିବା ସମୟରେ ପୁଣି ଦୁଇ ଗୋଷ୍ଠୀରେ ବିଭାଜିତ ହୋଇ ନିର୍ବାଚନୀ ଲଢେଇ କରିଥିଲେ।

ଜଣେ ମହିଳାଙ୍କୁ ପଂଚାୟତ ସମିତି ଅଧ୍ୟକ୍ଷା ପଦବିରେ ଅବସ୍ଥାପିତ କରିବା ପାଇଁ ଉପର ମହଲରୁ ନିେର୍ଦ୍ଦଶ ଆସିଥିବା ଚର୍ଚ୍ଚା ହେଉଛି। ମାତ୍ର ଗୋଷ୍ଠୀ ବିବାଦ କାରଣରୁ ତାହା ସମ୍ଭବ ହୋଇ ପାରି ନଥିଲା।  ବିଜେଡିର ବିବାଦ ପାଇଁ ଏକଦା କଂଗ୍ରେସର ଗଡ଼ ଥିବା ବିଜେପୁର ଠାରେ ପୁଣି ରାଜନିତୀ କଡ଼ ଲେଉଟାଉଥିବା ଦେଖିବାକୁ ମିଳିଛି। ବିଜେଡିର ସଂଗଠନ ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କୁ ବିଜେପୁର ଠାରେ ପ୍ରାର୍ଥୀ ହେବାକୁ ପଡ଼ିଥିଲା।

ବିଜେପୁରକୁ ଏନ୍ଏସି, ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ମାଧ୍ୟମରେ ବିଜେଡି ଏଠାକାର ଅସନ୍ତୋଷକୁ ଢାଙ୍କିବାକୁ ଚେଷ୍ଟା କରିଥିବା ବେଳେ ପୁଣି ଦଳ ମଧ୍ୟରେ ଫାଟ ଦେଖାଦେଇଛି।  ପଂଚାୟତ ନିର୍ବାଚନରେ ବିଜେପୁର, ଗାଇସିଲେଟ ଏବଂ ବରପାଲିର ଗୋଟିଏ ଲେଖାଏଁ ଜୋନ୍‌ରେ ବିଜେପି ବିଜୟ ଲାଭ କରିଥିବା ବେଳେ ତାହା ମଧ୍ୟ ବିଜେଡି ଗୋଷ୍ଠୀ କନ୍ଦଳ କାରଣରୁ ବୋଲି ଆ‌ଲୋଚନା ହେଉଛି। ପଂଚାୟତ ସମିତି ନିର୍ବାଚନରେ କଂଗ୍ରେସ ଓ ବିଜେପି ସମର୍ଥିତ କୌଣସି ପ୍ରାର୍ଥୀ ନାହାନ୍ତି। ମାତ୍ର ବିଜେଡିର ବିବାଦ ବିରୋଧୀ ଦଳକୁ ସୁହାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe