ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣାରେ ଆହତ ହେଲେ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଗଲା, ଜଟିଳ ଅସ୍ତ୍ରୋପଚାର ହେଲା। ଏଥିରେ ବିଜୁ ସ୍ବାସ୍ଥ୍ଯ ସ୍ମାର୍ଟ କାର୍ଡର ୫ ଲକ୍ଷ ଟଙ୍କା ସରିଗଲା। ହେଲେ ସୁସ୍ଥ ହେବା ତ ଦୂରର କଥା, ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ। ଏପଟେ କାର୍ଡରେ ଆଉ ଟଙ୍କା ନଥିବା ଦର୍ଶାଇ ହୋଇପାରୁନି ମାଗଣା ଚିକିତ୍ସା। ବ୍ଯୟବହୁଳ ଚିକିତ୍ସା, ଏପରିକି ଔଷଧ କିଣିବାକୁ ହାତରେ ଟଙ୍କା ନାହିଁ। ସ୍ବାସ୍ଥ୍ଯ ବିଭାଗ ବି ହାତ ଟେକି ଦେଇଛି। ଏସ୍ଥିତିରେ ହସ୍ପିଟାଲ ଶଯ୍ଯାରେ ଏବେ ମରଣକୁ ଦିନ ଗଣୁଛନ୍ତି ରାଜେନ୍ଦ୍ର ମହାନନ୍ଦିଆ। ଘର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ବରଙ୍ଗାକଛାର। ବାପା ଦିବ୍ଯାଙ୍ଗ, ହାତ ନାହିଁ। ଘରର ଏକମାତ୍ର ରୋଜଗାରକ୍ଷମ ୨୪ ବର୍ଷିୟ ପୁଅର ଏ ଅବସ୍ଥା ଗରିବ ବାପାମାଙ୍କୁ ମ୍ରିୟମାଣ କରିଛି। କଣ କରିବେ, ପୁଅର ଚିକିତ୍ସା ପାଇଁ କିଏ ଦେବ ଟଙ୍କା।
ଏ ଚିନ୍ତାରେ ଦୁହେଁ ଘାରି ହେଉଛନ୍ତି। ଗତ ମାର୍ଚ୍ଚ ୧ ତାରିଖରେ ବିଜୁ ଏକ୍ସପ୍ରେସ ୱେ କରମଡିହି ନିକଟରେ ହୋଇଥିଲା ଦୁର୍ଘଟଣା। ଡିଭାଇଡରରେ ପିଟି ହୋଇ ରାଜେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଜଟିଳ ଥିବାରୁ କଟକ ବଡ଼ ମେଡିକାଲ ଓ ପରେ ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ମୁଣ୍ଡରେ ଆଘାତ ଓ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ପାଟି ଦେଇ ଖାଦ୍ଯ ଯାଉ ନଥିବାରୁ ଖାଦ୍ୟ ନଳିରେ ଜଟିଳ ଅସ୍ତ୍ରୋପଚାର କରି ତରଳ ଖାଦ୍ଯ ଦିଆଗଲା। ଚିକିତ୍ସାରେ ଖର୍ଚ୍ଚ ହୋଇଗଲା ସ୍ଵାସ୍ଥ୍ୟ କାର୍ଡ ଟଙ୍କା। ଶେଷକୁ ଜମି ବିକ୍ରିର ୩୦ ହଜାର ଟଙ୍କା ମଧ୍ୟ ସାରିଦେଲେ ବାପା। କିନ୍ତୁ ରାଜେନ୍ଦ୍ର ଏବେ ବି ଅର୍ଦ୍ଧଚେଚନ ଅବସ୍ଥାରେ ହସ୍ପିଟାଲ ଶଯ୍ଯାରେ ପଡି ରହିଛନ୍ତି। ଖବର ପାଇ ଯୁବ ନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ ଜିଲ୍ଲାପାଳଙ୍କୁ ରାଜେନ୍ଦ୍ରଙ୍କ ଅବସ୍ଥା ସମ୍ପର୍କରେ ଅବଗତ କରି ସ୍ବତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏବେ ପ୍ରଶ୍ନ ଗରିବ ରାଜେନ୍ଦ୍ରଙ୍କ ଚିକିତ୍ସା କରିବ କିଏ। ସ୍ବାସ୍ଥ୍ଯ କାର୍ଡରେ ଟଙ୍କା ସରିଗଲା ବୋଲି ରୋଗୀକୁ ମରଣ ମୁଖରେ ଛାଡିଦେବା ଉଚିତ କି।
Follow Us